ଆସନ୍ତାକାଲି ସରିବ ପଞ୍ଚାୟତ ନିର୍ବାଚନ, ଜାଣନ୍ତୁ ଏଥର କେମିତି ହେବ ଗଣତି

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁବାର ସରିବ ମତଦାନ। ତେବେ ୨୬ରୁ ଭୋଟ୍‌ ଗଣତି ଆରମ୍ଭ ହେବ। ପୂର୍ବରୁ ବୁଥ୍‌ରେ ଗଣତି କରାଯାଇ ସେହିଦିନ ପ୍ରାର୍ଥୀଙ୍କ ଫଳାଫଳ ଘୋଷଣା କରାଯାଉଥିଲା। ମାତ୍ର ଚଳିତଥର ଗଣତି ପ୍ରକ୍ରିୟାରେ ପରିବର୍ତ୍ତନ ହୋଇଛି। ଏଥର ଭୋଟ ଗଣତି ସେଣ୍ଟ୍ରାଲ କାଉଣ୍ଟିଂ ହେବ।

୨୬ ତାରିଖ ସକାଳ ୮ରୁ ଭୋଟ୍‌ ଗଣତି ଆରମ୍ଭ ହେବ। ଜିଲା ପରିଷଦ ଜୋନ୍‌ ଅନୁସାରେ ଏହି ଗଣତି ହେବ। ୩୧୪ ବ୍ଲକରେ ଏହି ଗଣତି ହେବ। ସେଥିପାଇଁ ସମସ୍ତ ବ୍ଲକରେ ବଡ଼ବଡ଼ ହଲର ବ୍ୟବସ୍ଥା କରାଯାଇଛି। ଭୋଟ୍‌ ଗଣତି କେନ୍ଦ୍ରରେ ପ୍ରତି ଜୋନ୍‌ରେ ଯେତିକି ପଞ୍ଚାୟତ ରହିଛି ସେତିକି ଗଣତି ପାଇଁ ଟେବୁଲ ରହିବ। ଗୋଟଏ ହଲ୍‌ରେ ସର୍ବାଧିକ ୧୦ଟି ଟେବୁଲ ରହିବ।

ଓଡ଼ିଆ ଆଲଫାବେଟ୍‌ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଟେବୁଲ ଦିଆଯିବ। ଗୋଟିଏ ଟେବୁଲ ଭୋଟ୍‌ ଗଣତି ପାଇଁ ୪ ଜଣ ଅଧିକାରୀ ରହିବେ। ଜଣେ କଉଣ୍ଟିଂ ସୁପର ଭାଇଜର, ଦୁଇ ଜଣ କଉଣ୍ଟିଂ ଆସିଷ୍ଟାଣ୍ଟ ଆଉ ଜଣେ ଗ୍ରୁପ ଡି କର୍ମଚାରୀ ରହିବେ। କେଉଁ ଟିମ୍‌ କେଉଁ ଟେବୁଲରେ ବସିବେ ସେନେଇ ଧର୍ମଗୁଳା ପଡ଼ି ନିଷ୍ପତ୍ତି ନିଆଯିବ। ଜିଲା ପରିଷଦ ଅନୁଯାୟୀ ଗଣନା କରାଯିବ। ଯେଉଁ ବ୍ଲକରେ ୫ଟି ଜିଲା ପରିଷଦ ଜୋନ୍‌ ଥିବ ପ୍ରଥମ ଦିନ ଗୋଟିଏ, ଦ୍ବିତୀୟ ଦିନ ୨ଟି ତୃତୀୟ ଦିନ ୨ଟି ଜିଲା ପରିଷଦ ଜୋନ୍‌ରେ ଗଣତି ହେବ। ଯେଉଁ ବ୍ଲକରେ ୬ଟି ଜିଲା ପରିଷଦ ଜୋନ୍‌ ଥିବ ପ୍ରତିଦିନ ୨ଟି ଜୋନ୍‌ର ଭୋଟ ଗଣତି ହେବ। ଜଣେ ପ୍ରାର୍ଥୀଙ୍କ ପାଇଁ ଜଣେ ଏଜେଣ୍ଟ ରହିବେ। ଗଣତି ପାଇଁ ଧାର୍ଯ୍ୟ ହୋଇଥିବା ସମୟର ୧୫ ମିନିଟ ପୂର୍ବରୁ ବାଲଟ ବକ୍ସ ଗଣତି ହଲ୍‌କୁ ଅଣାଯିବ।

ବାଲଟ ବକ୍ସର ସିଲ ଖୋଲାଯିବା ପରେ ଟେବୁଲ ଉପରେ ବାଲଟ ପେପରକୁ ଢ଼ଳାଯିବ। ପରେ ବାଲଟ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା ରଖାଯିବ। ପ୍ରଥମେ ଓ୍ବାର୍ଡମେମ୍ବର ପରେ ସରପଞ୍ଚ, ପରେ ସମିତିସଭ୍ୟ ଏବଂ ଶେଷରେ ଜିଲା ପରିଷଦ ପ୍ରାର୍ଥୀଙ୍କର ଭୋଟ୍‌ ଗଣନା ହେବ। ପରେ ବ୍ଲକ କାର୍ଯ୍ୟାଳୟରେ ଫେଜ୍‌ ଓ୍ବାଇଜ୍‌ ଫଳାଫଳ ଘୋଷଣା ହେବ ।