ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍ ଖୋଲାଯାଇ ଉଦ୍ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ ଶନିବାର ମଧ୍ୟାହ୍ନରୁ ରାଜଘାଟ ଗେଜଠାରେ ବନ୍ୟାଜଳ ବୃଦ୍ଧିପାଇ ବିପଦ ସଙ୍କେତ ୧୦. ୩୬ ମି ଊର୍ଦ୍ଧ୍ୱରେ ପ୍ରବାହିତ ହେଉଥିବାର ସେଚ ବିଭାଗ ସୂଚନା ଦେଇଛନ୍ତି। ଏଭଳି ସ୍ଥିତିରେ ଉତ୍ତର ବାଲେଶ୍ୱର ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ୱର ବ୍ଲକର ଶତାଧିକ ପଞ୍ଚାୟତରେ ବନ୍ୟାପାଣି ପ୍ରବେଶ କରିଥିବାର ସୂଚନା ମିଳିଛି। ବନ୍ୟାଯୋଗୁ ୪ ବ୍ଲକର ସ୍ଥିତି ଗମ୍ଭୀର ହୋଇଥିବାବେଳେ ରାସ୍ତାଘାଟ ବୁଡ଼ିଯାଇ ପାଣିର ସ୍ରୋତ ଛୁଟୁଛି। ଭୋଗରାଇ ବ୍ଲକର ୧୫ ପଞ୍ଚାୟତର ଶତାଧିକ ଗାଁ ବନ୍ୟା ପ୍ଲାବିତ ହୋଇଥିବାରୁ ଜୀବନଜୀବିକା ଦୁର୍ବିସହ ହୋଇଛି। ସୁବର୍ଣ୍ଣରେଖା ଦୁର୍ବଳ ନଦୀବନ୍ଧରେ ସେଚ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ହଜାର ହଜାର ବାଲିବସ୍ତା ମହଜୁଦ୍ ରଖାଯାଇଥିବା ସେଚ ବିଭାଗର ଏସି ବିକ୍ରମ କେଶରୀ ମଲ୍ଲିକ ନିର୍ଦେଶକ୍ରମେ ଏସ୍ଡିଓ ସତ୍ୟସୁନ୍ଦର ମଣ୍ଡଳ, ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ଦେ ଓ ଡାକ୍ତର ସିଂ ଦୁର୍ବଳ ନଦୀବନ୍ଧରେ ୨୪ ଘଣ୍ଟିଆ ସତର୍କ ନଜର ରଖିଛନ୍ତି। ବନ୍ୟା ମୁକାବିଲା ନିମନ୍ତେ ୪ଟି ବ୍ଲକର ତହସିଲ, ବ୍ଲକ, ସେଚ, ଡ୍ରେନେଜ ଓ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀର ଛୁଟି ବାତିଲ କରି ବନ୍ୟାଞ୍ଚଳରେ ସେବା ଓ ଉଦ୍ଧାର ଲାଗି ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ନିର୍ଦେଶ ଦେଇଛନ୍ତି। ବନ୍ୟା ପ୍ରପୀଡ଼ିତ ସମସ୍ତ ସ୍କୁଲ କଲେଜକୁ ଛୁଟି ଘୋଷଣା କରାଯାଇଛି।