ଗଞ୍ଜାମ,୧୬/୧୧ (ବିଦ୍ୟାଧର ସାହୁ): ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର ଅବସରରେ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠରେ ୫୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭୋର୍ ସମୟରୁ ହିଁ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ଦିନତମାମ ଏହି ଭିଡ଼ ଲାଗି ରହିଥିଲା। ହଜାର ହଜାର ଶ୍ରଦ୍ଧାଳୁ ଲମ୍ବା ଧାଡ଼ିରେ ଠିଆ ହୋଇ ପ୍ରଭୁ ବଟେଶ୍ୱରଙ୍କ ଦର୍ଶନ କରିଥିଲେ।
ତେବେ ମାନସିକଧାରୀ ଭକ୍ତମାନେ ଭୋଗ ରାନ୍ଧିବା ପାଇଁ ପାଣିର ଘୋର ଅଭାବ ଯୋଗୁଁ ନାନା ହଇରାଣ ହରକତ ହୋଇଥିଲେ। ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପୂର୍ବରୁ ଗ୍ରାମ୍ୟ ଜଳଯୋଗାଣ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ମନ୍ଦିର ତଥା ବାଲିଯାତ୍ରା କମିଟି ଓ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।
ସେହିପରି ଜାତୀୟ ରାଜପଥର ହୁମାଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା କାମ ଅଧାପନ୍ତରିଆ ହୋଇ ପଡ଼ିଥିବାରୁ ରାସ୍ତାରେ ଏଣେତେଣେ ଡଷ୍ଟ ଓ ମେଟାଲ ପଡ଼ି ରହିଥିଲା। ଫଳରେ ଏହି ରାସ୍ତାରେ ଯାତାୟାତ କରୁଥିବା ବାଇକ୍ ଆରୋହୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ଠାକୁରଙ୍କ ଦର୍ଶନ ସାଙ୍ଗକୁ ଭକ୍ତମାନେ ନିକଟସ୍ଥ ସମୁଦ୍ରକୂଳ ଓ ଶିଶୁ ଉଦ୍ୟାନ ବୁଲିବା ସହ ପ୍ରାକୃତିକ ପରିବେଶର ମଜା ଉଠାଇଥିଲେ। ଅନ୍ୟପକ୍ଷରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ସୁଲଭ ମୂଲ୍ୟରେ ସୁସ୍ୱାଦୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ସହ ଲଡ଼ୁ ବିତରଣର ବ୍ୟବସ୍ଥା ମଧ୍ୟ ହୋଇଥିଲା।
ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ରମ୍ଭା ଥାନା ଅଧିକାରୀ କୁମାର ମୁଦୁଲିଙ୍କ ନେତୃତ୍ୱରେ ପୋଲିସ ମୁତୟନ କରାଯାଇଥିଲା। ପୋଲି ପକ୍ଷରୁ ଭିଡ଼ ନିୟନ୍ତ୍ରଣ ସହ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା। ଏଥିସହ ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ଛଅ ଖଣ୍ଡ ଗ୍ରାମର ଗ୍ରାମବାସୀ ଓ ଯୁବଗୋଷ୍ଠୀ ଭିଡ଼ ନିୟନ୍ତ୍ରଣ ଓ ସୁପରିଚାଳନାରେ ସହଯୋଗ କରିଥିଲେ।