ମୁଖ୍ୟ ସ୍ରୋତକୁ ଫେରିଲେ ୪୦୦ରୁ ଊର୍ଦ୍ଧ୍ୱ ମାଓବାଦୀ ସମର୍ଥକ: ପୋଡ଼ିଲେ ଡ୍ରେସ୍‌

ଚିତ୍ରକୋଣ୍ଡା,୫।୧୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ ଲାଉଗୁଡ଼ାଠାରେ ୪୦୦ରୁ ଊର୍ଦ୍ଧ୍ୱ ମାଓବାଦୀ ସମର୍ଥକ ଶନିବାର ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଏପରି କି ଅଗଷ୍ଟ ୨୨ରେ ଗୁରୁପ୍ରିୟାଠାରେ ୧୮୦ ଶିମିଳିଆ ଏବଂ ୫୦୦ରୁ ଊର୍ଦ୍ଧ୍ୱ ମାଓବାଦୀ ସମର୍ଥକ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ।
ଶନିବାର ସ୍ବତନ୍ତ୍ର ଜନସମ୍ପର୍କ କାର୍ଯ୍ୟକ୍ରମରେ ସ୍ବାଭିମାନ ଅଞ୍ଚଳ ଧୂଳିପୁଟ ଓ ପାପରମେଟେଲା ପଞ୍ଚାୟତ ଅଞ୍ଚଳର ୪୦୦ରୁ ଊର୍ଦ୍ଧ୍ୱ ମାଓବାଦୀ ସମର୍ଥକ ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ମାଲକାନଗିରି ଏସ୍‌ପି ନୀତୀଶ ୱାଡୱାନି, ଚିତ୍ରକୋଣ୍ଡା ଏସ୍‌ଡିପିଓ ଆରସେଲ୍‌ କିସପୋଟା, ପୋଲିସ ଅଧିକାରୀ ଲକ୍ଷ୍ମୀ ନାରାୟଣ ମୁଦୁଲି, ଯୋଡ଼ାମ୍ବ ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ଏବଂ ପାପରମେଟେଲା ଥାନାଧିକାରୀ ରଜନୀକାନ୍ତ ଦୀପଙ୍କ ଉପସ୍ଥିତିରେ ଘରବାହୁଡ଼ା ନିମନ୍ତେ ମାଓବାଦୀଙ୍କ ହାତ ଛାଡ଼ି ସରକାର, ଓଡ଼ିଶା ପୋଲିସର ବିଶ୍ୱାସଭାଜନ ହୋଇ ହାତ ଧରାଧରି ହୋଇ ଶପଥପାଠ କରିବା ସହିତ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ l ପରେ ମାଓବାଦୀଙ୍କ କୁଶ ପୁତ୍ତଳିକା ଦାହ କରି ମାଓବାଦୀ ଡ୍ରେସ ମଧ୍ୟ ପୋଡ଼ିଥିଲେ। ଏଥିସହ ଓଡ଼ିଶା ପୋଲିସ ପକ୍ଷରୁ ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ସମସ୍ତଙ୍କୁ ନୂତନ ବସ୍ତ୍ର, ଖେଳ ସାମଗ୍ରୀ ଏବଂ ଉପକରଣ ପ୍ରଦାନ କରାଯାଇଥିଲା l କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାମରେ ଆକୃଷ୍ଟ ହୋଇ ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ସେମାନେ କହିଛନ୍ତି।