ରାଜ୍ୟରେ ୩ କୋଟି ୨୩ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର

ଭୁବନେଶ୍ୱର,୬ା୧(ବ୍ୟୁରୋ): ରାଜ୍ୟର ୧୪୬ ବିଧାନସଭା ନିର୍ବାଚନମଣ୍ଡଳୀରେ ଚୂଡ଼ାନ୍ତ ଫଟୋ ଭୋଟର ତାଲିକା ଗୁରୁବାର ପ୍ରକାଶ କରାଯାଇଛି। ୫୮ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲାପାଳଙ୍କ କାର୍ଯ୍ୟାଳୟ, ୩୦ ଜିଲାର ନିର୍ବାଚନ ଅଧିକାରୀ ତଥା ଜିଲାପାଳଙ୍କ କାର୍ଯ୍ୟାଳୟ, ରାଜ୍ୟର ସମସ୍ତ ବୁଥ୍‌ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‌ସାଇଟ୍‌ରେ ଫଟୋ ଭୋଟର ତାଲିକା ପ୍ରକାଶ କରାଯାଇଛି। ୨୦୨୩ ଚୂଡ଼ାନ୍ତ ଫଟୋ ଭୋଟର ତାଲିକା ଅନୁଯାୟୀ ରାଜ୍ୟରେ ସର୍ବମୋଟ ୩ କୋଟି ୨୩ ଲକ୍ଷ ୪୯ ହଜାର ୩୪୧ ଭୋଟର ଅଛନ୍ତି। ସେଥିମଧ୍ୟରୁ ୧,୬୪,୯୬,୧୫୩ ଜଣ ପୁରୁଷ ଭୋଟର ହୋଇଥିବାବେଳେ ୧,୫୮,୪୯,୯୬୬ ଜଣ ମହିଳା ଏବଂ ୩୨୨୨ ତୃତୀୟଲିଙ୍ଗ ଭୋଟର ରହିଛନ୍ତି। ଏତଦ୍‌ବ୍ୟତୀତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ମଧ୍ୟରେ ୧୭ ବର୍ଷରୁ ଊର୍ଦ୍ଧ୍ୱ ୭୮,୨୬୦ ଜଣ ଯୁବ ଭୋଟରଙ୍କ ଆଗୁଆ ଦରଖାସ୍ତ ଗ୍ରହଣ କରାଯାଇଛି ଏବଂ ପରବର୍ତ୍ତୀ ଯୋଗ୍ୟତା ସୂଚକ ତାରିଖରେ ସେମାନଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବ ା ବରଗଡ଼ ଜିଲା ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ହୋଇଥିବାରୁ ସେଠାରେ ବର୍ତ୍ତମାନ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟ ଚାଲୁରହିଛି। ଫଟୋ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଭୋଟରଙ୍କ ଫଟୋ ପରିଚୟପତ୍ର ସ୍ପିଡ୍‌ ପୋଷ୍ଟ ଯୋଗେ ଘର ଠିକଣାରେ ମାଗଣାରେ ପହଞ୍ଚାଇ ଦିଆଯିବ। ଦୁର୍ବଳ ଶ୍ରେଣୀର ଆଦିବାସୀମାନେ ବସବାସ କରୁଥିବା ଜିଲାଗୁଡ଼ିକରେ ୨୨୭ଟି ସ୍ବତନ୍ତ୍ର ପ୍ରଚାର ଅଭିଯାନ କରାଯାଇ ଯୋଗ୍ୟ ଭୋଟରମାନଙ୍କୁ ତାଲିକାଭୁକ୍ତ କରାଯାଇଛି। ୨୦୨୩ର ଚିଠା ଭୋଟର ତାଲିକାରେ ରାଜ୍ୟର ଲିଙ୍ଗ ଅନୁପାତ ୯୫୯ ଜଣରୁ ଚୂଡ଼ାନ୍ତ ଫଟୋ ଭୋଟର ତାଲିକାରେ ୯୬୧କୁ ବୃଦ୍ଧି ପାଇଛି। ସେହିପରି ୨୦୨୩ ଫଟୋ ଭୋଟର ତାଲିକା ଅନୁସାରେ ୧୮-୧୯ ବର୍ଷର ଭୋଟରଙ୍କ ସଂଖ୍ୟା ୨,୧୦,୨୬୮ରୁ ୪,୪୬,୭୭୯କୁ ବୃଦ୍ଧି ପାଇଛି। ୨୦୨୨ ତାଲିକାରେ ୯୯.୭୪% ଫଟୋ ଭୋଟର ଥିବାବେଳେ ୨୦୨୩ ଚୂଡ଼ାନ୍ତ ତାଲିକାରେ ୯୯.୯୯% ଫଟୋ ଭୋଟର ଅଛନ୍ତି। ସେହିପରି ୨୦୨୩ର ଭୋଟର ଫଟୋ ପରିଚୟ ପତ୍ରଧାରୀଙ୍କ ସଂଖ୍ୟା ଶତକଡ଼ା ୯୯.୯୯କୁ ବୃଦ୍ଧି ପାଇଛି। ୨୦୨୨ଚିଠା ଭୋଟର ତାଲିକାରେ ୪୯,୮୯୭ ଜଣ ସର୍ଭିସ୍‌ ଭୋଟର ଥିବାବେଳେ ୨୦୨୩ର ଚୂଡ଼ାନ୍ତ ଭୋଟର ତାଲିକାରେ ଏହା ବୃଦ୍ଧି ପାଇ ୪୯,୯୧୯ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।