ଭୁବନେଶ୍ୱର, ୨୩।୧୦(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ମୁମ୍ବାଇଠାରେ ଅନୁଷ୍ଠିତ ଇଣ୍ଡିଆ କେମ୍ ୨୦୨୬ରେ ଓଡ଼ିଶା ଏକ ଅଗ୍ରଣୀ ପୁଞ୍ଜି ଆକର୍ଷଣକାରୀ ରାଜ୍ୟ ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିଛି। ମୁଖ୍ୟମନ୍ତ୍ରୀ ତାଙ୍କ ଟିମ୍ ସହ ଓଡ଼ିଶାର ନେତୃତ୍ୱ ନେଇ କେମିକାଲ ଓ ପେଟ୍ରୋ କେମିକାଲ କ୍ଷେତ୍ରରେ ଆୟୋଜିତ ଏହି କନ୍କ୍ଲେଭରେ ଯୋଗଦେବା ପରେ ଶୁକ୍ରବାର ଭୁବନେଶ୍ୱର ଫେରିଛନ୍ତି। ଏହାପରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁମ୍ବାଇରେ ୨ଦିନରେ ୯ଟି ଏମ୍ଓୟୁ ସହ ୪ଟି ଇନ୍ଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ସ୍ବାକ୍ଷରିତ ହୋଇଛି ଏବଂ ଏହାଦ୍ୱାରା ଓଡ଼ିଶାକୁ ସମୁଦାୟ ୫୩,୮୯୩.୫୧ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି, ଯାହାଦ୍ୱାରା ୨୦,୨୧୦ଟି ନିଯୁକ୍ତି ସୁଯୋଗ ସୃଷ୍ଟିହେବ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆସନ୍ତା ବର୍ଷ ଏହି ସମ୍ମିଳନୀ ଓଡ଼ିଶାରେ ଆୟୋଜନ କରିବା ଲାଗି ସେ କେନ୍ଦ୍ର ସରକାର ଓ ଏଫ୍ଆଇସିସିଆଇ ସହ ଆଲୋଚନା କରିଥିଲେ ଏବଂ ଏଥିପାଇଁ ଉଭୟେ ଗ୍ରୀନ୍ ସିଗ୍ନାଲ ଦେଇଛନ୍ତି। ୨୦୨୭ ଅକ୍ଟୋବରରେ ଓଡ଼ିଶା କେମ୍-୨୦୨୭ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି। ଏହି ୨ଦିନିଆ କନ୍କ୍ଲେଭ୍ରେ ବିଭିନ୍ନ ବିଜ୍ନେସ୍ ଲିଡରଙ୍କ ସହ ୨୫ଟି ଓ୍ବାନ୍ ଟୁ ଓ୍ବାନ୍ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶାରେ ମେଟାଲ, ମେଟାଲ ଡାଉନଷ୍ଟ୍ରିମ୍ କେମିକାଲ, ପେଟ୍ରୋ କେମିକାଲ ଏବଂ ପ୍ଲାଷ୍ଟିକ୍ ଆଦି ସମସ୍ତ ପ୍ରକାର ପରସ୍ପର ନିର୍ଭରଶୀଳ ଶିଳ୍ପ ସ୍ଥାପନକରି ଓଡ଼ିଶାରେ ଏକ କମ୍ପ୍ଲିଟ୍ ଇଣ୍ଡଷ୍ଟ୍ରିଆଲ୍ ଇକୋସିଷ୍ଟମ ଗଠନ କରାଯିବ। ଏହାଦ୍ୱାରା ଆତ୍ମନିର୍ଭର ଭାରତ ଗଠନର ଲକ୍ଷ୍ୟ ପୂରଣରେ ଓଡ଼ିଶା ଏକ ମଜଭୁତ ସ୍ତମ୍ଭ ହୋଇପାରିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳ ଅଭିଯାନ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ବହୁ ସଂଖ୍ୟକ ଜନସାଧାରଣଙ୍କ ସମେତ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏବଂ ଅନେକ ବିଧାୟକ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି।
Dharitri – Odisha’s No.1 Odia Daily