ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦରମହକୁମା ମୁଖ୍ୟ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଏଥିସହ ଉକ୍ତ ମହିଳାଙ୍କ ସମ୍ପର୍କୀୟମାନେ ଚିକିତ୍ସାରେ ଅବହେଳା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରି ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି।
ଘଟଣାରୁ ପ୍ରକାଶ ଏମ୍.ଭି. ୪୩ ଗ୍ରାମର ବନ୍ଦନା ମଣ୍ଡଳ ନାମକ ଜଣେ ଗର୍ଭବତୀ ମହିଳାଙ୍କୁ ସାପ କାମୁଡ଼ିଥିବା ସନ୍ଦେହ କରି ପରିବାର ଲୋକେ ରାତି ୧ଟାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ସିଦ୍ଧାର୍ଥ ଭୋଳ ଉକ୍ତ ମହିଳାଙ୍କ ଚିକିତ୍ସା କରିବା ସହ ତାଙ୍କ ଶରୀର ସୁସ୍ଥ ଥିବା କହିଥିଲେ ଏବଂ ତାଙ୍କୁ ଡାକ୍ତରଖାନାରେ ରହିବାକୁ କହିଥିଲୋ କିନ୍ତୁ ପରିବାରବର୍ଗ ଡାକ୍ତରଙ୍କୁ ନ ଜଣାଇ ରୋଗୀଙ୍କୁ ଘରକୁ ନେଇ ଯାଇଥିବା ଡାକ୍ତର ଭୋଳ ପ୍ରକାଶ କରିଛନ୍ତି। ପୁନର୍ବାର ବୁଧବାର ସକାଳୁ ଉକ୍ତ ମହିଳାଙ୍କ ଶରୀର ପୁନର୍ବାର ଅସୁସ୍ଥ ହେବାରୁ ପରିବାର ଲୋକ ଡାକ୍ତରଖାନା ଆଣିଥିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହି ଘଟଣାକୁ ନେଇ ପରିବାର ଲୋକେ ଡାକ୍ତରଖାନା ଆସି ମହିଳାଙ୍କ ମୃତ୍ୟୁ ପାଇଁ ଡାକ୍ତରଙ୍କ ଅବହେଳା ବୋଲି ଦାୟୀ କରି ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିଲେ। ଏ ସମ୍ବନ୍ଧରେ ପରିବାରବର୍ଗ ପ୍ରକାଶ କରିଛନ୍ତି ଯେ, ରାତି ୧ଟାର ମହିଳାଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ସେ ସମ୍ପୂର୍ଣ୍ଣ ଠିକ୍ ଥିବା କହି ଘରକୁ ପଠାଇ ଦେଇଥିଲେ। ଫଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ମାଲକାନଗିରି ପୋଲିସ ପହଞ୍ଚି ଗଣ୍ଡଗୋଳ ପରିସ୍ଥିତିକୁ ଆୟତ୍ତ କରିଥିଲେ। ଏ ସମ୍ବନ୍ଧରେ ଥାନାରେ ଅଭିଯୋଗ ପରେ ଏହାର ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି।