ଈର୍ଷାପରାୟଣ ହୋଇ ଝିଆରୀଙ୍କୁ ହତ୍ୟା କଲେ ଖୁଡ଼ୀ

ବରଗଡ଼ ଅଫିସ୍‌,୧୦।୧: ବରଗଡ଼ ଜିଲା ପାଇକମାଳ ଥାନା ଅଧୀନ ଯୋଗିନ୍ଦ୍ରନାଥପୁର ଗ୍ରାମର ଜଣେ ନାବାଳିକାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ପାରିବାରିକ କଳହ ହତ୍ୟାର କାରଣ ଏବଂ ମୃତ ନାବାଳିକାଙ୍କ ଖୁଡ଼ୀ ହିଁ ହତ୍ୟାକାରୀ ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି। ପୋଲିସ ଅଭିଯୁକ୍ତ ତଥା ମୃତ ନାବାଳିକାଙ୍କ ଖୁଡ଼ୀଙ୍କୁ ରବିବାର ଗିରଫ କରି ପଦ୍ମପୁର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ପଦ୍ମପୁର ସବଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏ ନେଇ ଏକ ମାମଲା (ନଂ.୭/୨୧) ରୁଜୁ ହୋଇଛି ।
ବରଗଡ଼ ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇ ଏସ୍‌ପି ପଦ୍ମିନୀ ସାହୁ କହିଥିଲେ, ମୃତ ନାବାଳିକାଙ୍କ ବାପା ରାଜିନ୍ଦ୍ର ପାଣ୍ଡେ ଓ ଶ୍ୟାମ ରଣା ଓରଫ ପାଣ୍ଡେ ଦୁଇ ଭାଇ । ଉଭୟେ ବିବାହିତ ଏବଂ ଉଭୟଙ୍କ ଘର ଗୋଟିଏ ଜାଗାରେ ରହିଛି। ରାଜିନ୍ଦ୍ରଙ୍କ କନ୍ୟା (ମୃତ ନାବାଳିକା) ଓ ୪ବର୍ଷର ପୁଅ ଅଛନ୍ତି। ସେହିପରି ଶ୍ୟାମଙ୍କ ଦେଢ଼ବର୍ଷର ଶିଶୁପୁତ୍ର ଅଛନ୍ତି। ଶିଶୁପୁତ୍ର ଅପେକ୍ଷା ଉକ୍ତ ନାବାଳିକାଙ୍କୁ ଶ୍ୟାମଙ୍କ ସମେତ ପରିବାରର ଅନ୍ୟମାନେ ଅଧିକ ସ୍ନେହ କରୁଥିଲେ। ଏଥିରେ ନାବାଳିକାଙ୍କ ଖୁଡ଼ୀ (ଶ୍ୟାମଙ୍କ ସ୍ତ୍ରୀ)ଙ୍କ ଇର୍ସା ମନୋଭାବ ଜାଗ୍ରତ ହୋଇଥିଲା । ଏନେଇ ଶ୍ୟାମ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ପୂର୍ବରୁ ଝଗଡ଼ା ହୋଇଥିଲା। ଏପରି କି ମୃତ ନାବାଳିକା ତାଙ୍କ ଘରୁ କିଛି ପଇସା ମଧ୍ୟ ଚୋରି କରିଥିବା ଅଭିଯୁକ୍ତ ଖୁଡ଼ୀ ପୋଲିସ ଆଗରେ ବୟାନ ଦେଇଛନ୍ତି ଏବଂ ପୂର୍ବରୁ ଏଥିପାଇଁ ଗଣ୍ଡଗୋଳ ହୋଇଥିବା ଏସ୍‌ପି କହିଛନ୍ତି। ଫଳରେ ଖୁଡ଼ୀ ସେହିଦିନଠାରୁ ପ୍ରତିଶୋଧ ପରାୟଣ ହୋଇ ସୁଯୋଗ ଅପେକ୍ଷାରେ ଥିଲେ।
ଘଟଣା ଦିନ ଅର୍ଥାତ୍‌ ଗତ ୩ ତାରିଖ ଅପରାହ୍ନରେ ମା’ ବାପା ଘରେ ନ ଥିବାବେଳେ ନାବାଳିକା ଜଣକ ଏକ କୁର୍‌କୁରେ ପ୍ୟାକେଟ୍‌ ଧରି ତାଙ୍କ ଖୁଡ଼ୀଙ୍କ ଘରକୁ ଯାଇଥିଲେ। ସେତେବେଳେ ସେଠାରେ କେହି ନ ଥିବାର ସୁଯୋଗ ନେଇ ଖୁଡ଼ୀ ନାବାଳିକାଙ୍କୁ କ୍ଷେତ ପଟକୁ ଶୌଚଯିବା ଆଳରେ ନିକଟସ୍ଥ ଜଙ୍ଗଲକୁ ନେଇଥିଲେ। ସେଠାରେ ଖୁଡ଼ୀ ସାଙ୍ଗରେ ନେଇଥିବା ବାଲ୍‌ଟିରେ ନାବାଳିକାଙ୍କ ମୁଣ୍ଡକୁ ପିଟିଥିଲେ। ପରେ ପଥରରେ ମୁଣ୍ଡକୁ ଛେଚି ଦେଇଥିଲେ। ଫଳରେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା ବୋଲି ଅଭିଯୁକ୍ତ ବୟାନ ଦେଇଥିବା ଏସ୍‌ପି ସାହୁ କହିଛନ୍ତି। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ପ୍ରଦ୍ୟୁମ୍ନ କୁମାର ମିଶ୍ର, ପଦ୍ମପୁର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ, ପାଇକମାଳ ଥାନାଧିକାରୀ ବିଶ୍ୱଜିତ ମନବୋଧ ପ୍ରମୁଖ ଉପସ୍ଥିତ ଥିଲେ।