କାହା ସ୍ବାର୍ଥରେ କୋର୍ଟ ବାହାରେ ସମାଧାନ

ଭୁବନେଶ୍ୱର,୨୨।୨(ବ୍ୟୁରୋ):ନବୀନ ନିବାସକୁ ଲାଗି ଭୀମପୁରା ମୌଜାରେ ଥିବା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରାୟ ୩ ଏକର ଜମିରେ ବହୁରାଷ୍ଟ୍ରୀୟ କମ୍ପାନୀ ହୋଟେଲ କରିବା ଘଟଣାକୁ ନେଇ ବିବାଦ ଲାଗି ରହିଥିବାବେଳେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପକୁ ନେଇ କଂଗ୍ରେସ ଅଭିଯୋଗ ଉଠାଇଛି। ସୋମବାର କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ଉପସଭାପତି ଶିବାନନ୍ଦ ରାୟ କହିଛନ୍ତି, ସରକାର କାହିଁକି ଏହି ଜମି ବିବାଦରେ ଆପୋସ ସମାଧାନ ଚାହିଁଲେ। ଉକ୍ତ ଜମିକୁ ବିକ୍ରି କରିବା ଆଇନସିଦ୍ଧ ନୁହେଁ। କିନ୍ତୁ ସରକାର ବିକ୍ରି ଓ ଖରିଦ କାରବାରରେ ଜଡ଼ିତ ଥିବା ବ୍ୟକ୍ତିବିଶେଷଙ୍କୁ ଅହେତୁକ ଅନୁକମ୍ପା ଦେଖେଇଛନ୍ତି। ଓଡ଼ିଶା ହିନ୍ଦୁ, ଦେବଦେବୀ ସମ୍ପର୍କିତ ଆଇନ ୧୯୫୧ ଧାରା ୧୯ ଅନୁସାରେ ଯଦି ପ୍ରଭୁ ଲିଙ୍ଗରାଜ ଟ୍ରଷ୍ଟବୋର୍ଡ କୌଣସି ସମ୍ପତ୍ତିକୁ ଲିଜ୍‌ ଦେବାପାଇଁ ଚାହାନ୍ତି ତାହାହେଲେ ଦେବୋତ୍ତର କମିଶନରଙ୍କୁ ଏ ବାବଦରେ ଜଣାଇବା ଆବଶ୍ୟକ। ଏହି ନିୟମ ଅନୁସାରେ, କମିଶନର ସର୍ବାଧିକ ୫ ବର୍ଷ ପର୍ଯ୍ୟନ୍ତ ଲିଜ୍‌ ଦେଇପାରିବେ। କିନ୍ତୁ ଏହି ହୋଟେଲକୁ କେତେବର୍ଷ ପାଇଁ ଲିଜ୍‌ ଦିଆଯାଇଛି? ଏହି ବିବାଦ ନ୍ୟାୟାଳୟରେ ବିଚାରାଧୀନ ଥିବାବେଳେ କାହା ସ୍ବାର୍ଥକୁ ପୂରଣ କରିବାପାଇଁ ସରକାର କୋର୍ଟ ବାହାରେ ଆପୋସ ସମାଧାନ ପାଇଁ ଆବେଦନ କରିଥିଲେ ବୋଲି ରାୟ ପ୍ରଶ୍ନ କରିଛନ୍ତି।
ସେହିପରି ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ କହିଛନ୍ତି, ଭୀମପୁରା ମୌଜାର ଏହି ଜମିଟି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରଠାରୁ ମାତ୍ର କିଛି ଶହ ମିଟର ଦୂରରେ ରହିଛି। ଏହି ଅଞ୍ଚଳରେ ଅନ୍ୟ ବାସିନ୍ଦାଙ୍କୁ ଦ୍ୱିତୀୟ ମହଲା ଘର କରିବା ପାଇଁ ବିଡିଏ ଅନୁମତି ଦେଉ ନ ଥିଲାବେଳେ ଏବେ ବହୁତଳ ହୋଟେଲ ପାଇଁ କିଏ କାହିଁକି ଓ କାହା ସ୍ବାର୍ଥରେ ଅନୁମତି ପ୍ରଦାନ କରିଛନ୍ତି। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସେବାବୃତ୍ତି ନିମନ୍ତେ ସେବାୟତଙ୍କୁ ଦିଆଯାଇଥିବା ଜମିରୁ ନାମ କାଟି ଦିଆଯାଇଥିବାବେଳେ କିଭଳି ଏହାକୁ ବ୍ୟବସାୟିକ ଅନୁଷ୍ଠାନକୁ ହସ୍ତାନ୍ତର କରାଗଲା। ଘଟଣାରେ ସରକାର ଖୋଦ ମୁଖ୍ୟମନ୍ତ୍ରୀ ନିଜେ ମୁହଁ ଖୋଲନ୍ତୁ। ତତ୍‌ସହିତ ସେବାୟତଙ୍କୁ ସେବାବୃତ୍ତି ନିମନ୍ତେ ଦିଆଯାଇଥିବା ଜମିକୁ ତାଙ୍କ ମାର୍ଫତରେ ରଖାଯାଉ। ଏଥିପାଇଁ ସରକାର ସୁପ୍ରିମକୋର୍ଟରେ ଆବେଦନ କରନ୍ତୁ ବୋଲି ପିସିସି ପକ୍ଷରୁ ଦାବି କରାଯାଇଛି।