ଆମ ପିଲା ବହୁତ ଆଡ୍‌ଭାନ୍ସ: ଜନ୍ମ ହେବା ମାତ୍ରେ କୁହନ୍ତି AI

ନୂଆଦିଲ୍ଲୀ,୨୯ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା ବ୍ୟତୀତ ଏହି ଆଲୋଚନା ମଧ୍ୟରେ ଏଆଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ବନ୍ଧରେ ଏକ ପ୍ରମୁଖ ଆଲୋଚନା ମଧ୍ୟ ହୋଇଥିଲା। ଆଜିର ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଭୂମିକା ବିଷୟରେ ପ୍ରଧାନମନ୍ତ୍ରୀ ବିଲ୍‌ ଗେଟ୍ସଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ଥଟ୍ଟା କରି କହିଛନ୍ତି, ଭାରତର ପିଲାମାନେ ଏତେ ଆଡଭାନ୍ସ ଯେ, ସେମାନେ ସେମାନଙ୍କର ପ୍ରଥମ ଶବ୍ଦ ‘AI’ କହିବା ଆରମ୍ଭ କରିଛନ୍ତି। ‘ଭାରତରେ ଆମେ ଅଧିକାଂଶ ରାଜ୍ୟରେ ମାଆଙ୍କୁ ‘ଏଆଇ’ବୋଲି କହୁଛୁ ଏବଂ ବର୍ତ୍ତମାନ କେତେକ ଉନ୍ନତ ପିଲା ଏଆଇକୁ ସେମାନଙ୍କର ପ୍ରଥମ ଶବ୍ଦ ଭାବରେ ବ୍ୟବହାର କରୁଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଏଆଇ ସୁନ୍ଦର ଭାବରେ ଦେଶରେ ପ୍ରବେଶ କରିଛି, ସାଧାରଣ ଲୋକ ମଧ୍ୟ ଏହାକୁ ସହଜରେ ବ୍ୟବହାର କରିପାରିବେ। ସେ କହିଛନ୍ତି, ‘ଜି -୨୦ ଶିଖର ସମ୍ମିଳନୀରେ ମୁଁ ଭାଷା ବ୍ୟାଖ୍ୟା ପାଇଁ ଏଆଇ ବ୍ୟବହାର କରିଥିଲି। ଜି-୨୦ ଶିଖର ସମ୍ମିଳନୀରେ ମୋର ସମସ୍ତ ଡ୍ରାଇଭର ଏକ ଏଆଇ ଆପ୍‌ ଡାଉନଲୋଡ କରିଥିଲେ। ଯାହା ମାଧ୍ୟମରେ ସେମାନେ ବିଭିନ୍ନ ବିଦେଶୀ ଅତିଥିଙ୍କ ସହ ଯୋଗାଯୋଗ କରିଥିଲେ। ଯେଉଁମାନେ ଏହି ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିଲେ।

Share