ଆମ ରାଜଧାନୀ: ଅତୀତ ଓ ବର୍ତ୍ତମାନ

ପ୍ର. ନୀହାର ରଞ୍ଜନ ପଟ୍ଟନାୟକ

 

ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଗୋଟିଏ ଦିନରେ ନିର୍ମିତ ହୋଇନାହିଁ। ଏହାର ବିଗତ ଦୁଇହଜାର ବର୍ଷର ଗୌରବମୟ ଇତିହାସ ବିଭିନ୍ନ ସମୟରେ ଓଡ଼ିଶା ତଥା ସମଗ୍ର ଦେଶକୁ ମହିମାନ୍ବିତ କରିଛି। ଓଡ଼ିଶାବାସୀଙ୍କ ରାଜନୈତିକ, ସାମାଜିକ ତଥା ସାଂସ୍କୃତିକ ଜୀବନକୁ ପରିପୁଷ୍ଟ କରାଇବାରେ ଭୁବନେଶ୍ୱରର ପ୍ରଭାବଶାଳୀ ଭୂମିକା ରହିଆସିଛି।
ଭାରତର ପ୍ରାଚୀନତମ ସହରଗୁଡ଼ିକ ମଧ୍ୟରୁ ଭୁବନେଶ୍ୱର ଅନ୍ୟତମ। ‘ସ୍ବର୍ଣ୍ଣାଦ୍ରି ମହୋଦୟ’ରେ ଥିବା ବର୍ଣ୍ଣନାରୁ ଜଣାଯାଏ ଯେ, ପ୍ରାଚୀନ କାଳରେ ଖଣ୍ଡାଚନ୍ଦ (ଖଣ୍ଡଗିରି) ଓ ଦହିରଙ୍ଗେଶ୍ୱର (ଧଉଳି ପାହାଡ଼) ମଧ୍ୟବର୍ତ୍ତୀ ଅଞ୍ଚଳକୁ ଭୁବନେଶ୍ୱର ନାମରେ ନାମିତ କରାଯାଇଥିଲା। ‘ବ୍ରହ୍ମପୁରାଣ’ରେ ଭୁବନେଶ୍ୱରକୁ ଏକାମ୍ର କ୍ଷେତ୍ର ନାମରେ ସୂଚା ଯାଇଛି। ଏକ ଆମ୍ରବୃକ୍ଷତଳେ ପ୍ରଭୁ ଲିଙ୍ଗରାଜ ପ୍ରଥମେ ପୂଜା ପାଉଥିବାରୁ ଏହାକୁ ଏକାମ୍ର କ୍ଷେତ୍ର ବୋଲି କୁହାଯାଇଥାଏ। ତ୍ରିଭୁବନେଶ୍ୱର (ଭଗବାନ ଶିବ)ରୁ ଭୁବନେଶ୍ୱର (ଲିଙ୍ଗରାଜ) ଅନୁସାରେ ଏହି ସ୍ଥାନର ନାମକରଣ ହୋଇଛି ବୋଲି କଥିତ ଅଛି।
ଭୁବନେଶ୍ୱର ପ୍ରସଙ୍ଗରେ ଖ୍ରୀ.ପୂ. ୨୬୧ ପୂର୍ବରୁ ସବିଶେଷ ଐତିହାସିକ ତଥ୍ୟ ଉପଲବ୍ଧ ହୁଏ ନାହିଁ। କିନ୍ତୁ ଏହା ସ୍ପଷ୍ଟ ଯେ ଏହା ପୂର୍ବରୁ ଭୁବନେଶ୍ୱର ଧନଜନରେ ସମୃଦ୍ଧ ଥିଲା, ଯେଉଁଥିପାଇଁ ମଗଧ ସମ୍ରାଟ ଅଶୋକଙ୍କ ଦ୍ୱାରା ପ୍ରସିଦ୍ଧ କଳିଙ୍ଗ ଯୁଦ୍ଧ ଏହାର ଉପକଣ୍ଠରେ ଥିବା ଦୟାନଦୀ କୂଳରେ ସଂଘଟିତ ହୋଇଥିଲା। ସେତେବେଳେ କଳିଙ୍ଗର ରାଜଧାନୀ ଥିଲା ତୋଷାଳୀ। ଆଧୁନିକ ଭୁବନେଶ୍ୱରର ଦକ୍ଷିଣ ପାର୍ଶ୍ୱରେ ତୋଷାଳୀର ଅବସ୍ଥିତି ନିରୂପଣ କରାଯାଇଥାଏ। ଅଶୋକଙ୍କ ତ୍ରୟୋଦଶ ଶିଳାନୁଶାସନରେ ଉଲ୍ଲେଖ କରାଯାଇଛି ଯେ କଳିଙ୍ଗ ଯୁଦ୍ଧରେ ଏକ ଲକ୍ଷ ଲୋକ ନିହତ, ଦେଢ଼ଲକ୍ଷ ବନ୍ଦୀ ଓ ବହୁ ଲୋକ କ୍ଷତବିକ୍ଷତ ହୋଇଥିଲେ। ଅବଶ୍ୟ ଏପରି ସଂଖ୍ୟାନେଇ ଐତିହାସିକମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୁଏ। କଳିଙ୍ଗ ଯୁଦ୍ଧ ସମ୍ରାଟ ଅଶୋକଙ୍କ ଜୀବନରେ ଅଭୂତପୂର୍ବ ପରିବର୍ତ୍ତନ ଆଣି ଦେଇଥିଲା। ଭୁବନେଶ୍ୱରର ପବିତ୍ର ଭୂମି ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିଲା, ଯାହାଦ୍ୱାରା ଅଶୋକ ବୌଦ୍ଧଧର୍ମ ଗ୍ରହଣ କରିଥିଲେ। ଏହି ବିଶ୍ୱବିଖ୍ୟାତ ଘଟଣାର ସ୍ମୃତିରକ୍ଷା ପାଇଁ ୧୯୭୨ରେ ଜାପାନ ବୁଦ୍ଧ ସଂଘ ଓ କଳିଙ୍ଗ ନିପ୍ପନ ବୁଦ୍ଧ ସଂଘର ସହାୟତାରେ ଧଉଳିଠାରେ ବିଶାଳ ଶାନ୍ତିସ୍ତୂପ ନିର୍ମାଣ କରାଯାଇଛି।
ଖ୍ରୀଷ୍ଟପୂର୍ବର ପ୍ରଥମ ଶତାବ୍ଦୀରେ କଳିଙ୍ଗ ସାରା ଭାରତର ରାଜନୈତିକ ଦିଗ୍‌ବଳୟକୁ ଉଦ୍ଭାସିତ କରିଥିଲା। ଏହା ମୂଳରେ ଥିଲେ ସମ୍ରାଟ ଖାରବେଳ। ତାଙ୍କ ରାଜଧାନୀ ଥିଲା କଳିଙ୍ଗନଗର ଯାହା ଅଧୁନା ଭୁବନେଶ୍ୱର ସହ ଚିହ୍ନିତ କରାଯାଏ। ଭୁବନେଶ୍ୱରରେ ଅବସ୍ଥିତ ଉଦୟଗିରିରେ ପାହାଡ଼ର ହାତୀଗୁମ୍ଫା ଅନୁଶାସନ ହେଉଛି ଖାରବେଳ ରାଜତ୍ୱ ସମ୍ବନ୍ଧରେ ପ୍ରାୟତଃ ଏକମାତ୍ର ଐତିହାସିକ ଉପାଦାନ। ପ୍ରାକୃତ ଭାଷାରେ ଲିଖିତ ଏହି ହାତୀଗୁମ୍ଫା ଅନୁଶାସନରେ ଖାରବେଳଙ୍କ କୃତିତ୍ୱ ବିଷୟରେ ସୂଚନା ମିଳେ। ଖାରବେଳ ଥିଲେ ଜୈନଧର୍ମାବଲମ୍ବୀ। ଭୁବନେଶ୍ୱରରେ ଅବସ୍ଥିତ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ରେ ଖାରବେଳଙ୍କ ନିର୍ର୍ମିତ ଜୈନ ଗୁମ୍ଫାଗୁଡ଼ିକ ଦଣ୍ଡାୟମାନ।
ଭୁବନେଶ୍ୱର ନବମ ଶତାବ୍ଦୀରେ ସୋମବଂଶୀ ବା କେଶରୀ ବଂଶର ରାଜାମାନଙ୍କ ଅଧୀନସ୍ଥ ଥିଲା। କେଶରୀ ବଂଶର ରାଜାମାନେ ଏଠାରେ ଅନେକ ମନ୍ଦିର ନିର୍ମାଣ କରିଥିଲେ। ସେଗୁଡ଼ିକ ମଧ୍ୟରୁ ପ୍ରସିଦ୍ଧ ଥିଲା ଲିଙ୍ଗରାଜ ମନ୍ଦିର, ଯାହା ସୋମବଂଶୀ ରାଜା ଯଯାତି କେଶରୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏଠାରେ ନିର୍ମିତ ମୁକ୍ତେଶ୍ୱର ମନ୍ଦିର ଓ ରାଜାରାଣୀ ମନ୍ଦିର ସୋମବଂଶୀ ରାଜତ୍ୱ ସମୟରେ ନିର୍ମିତ ହୋଇଥିଲା। ପୂର୍ବରୁ ଭୁବନେଶ୍ୱରରେ ନିର୍ମିତ ଏକମାତ୍ର ବିଷ୍ଣୁ ମନ୍ଦିର ଥିଲା ଅନନ୍ତ ବାସୁଦେବ ମନ୍ଦିର, ଯାହା କି ବିଷ୍ଣୁଙ୍କ ଉପାସନା ନିମନ୍ତେ ଗଙ୍ଗବଂଶର ରାଜା ଅନଙ୍ଗଭୀମଦେବଙ୍କ କନ୍ୟା ଚନ୍ଦ୍ରିକା ଦେବୀ ନିର୍ମାଣ କରିଥିଲେ। କେବଳ ସେତିକି ନୁହେଁ, ଗଙ୍ଗ ରାଜତ୍ୱରେ ଭୁବନେଶ୍ୱରରେ ମେଘେଶ୍ୱର, ଯମେଶ୍ୱର, ଭାସ୍କରେଶ୍ୱର, ମିତ୍ରେଶ୍ୱର, ବରୁଣେଶ୍ୱର ଓ ଚିତ୍ରେଶ୍ୱର ଆଦି ମନ୍ଦିର ନିର୍ମିତ ହୋଇଥିଲା। ସେହିପରି ସୂର୍ଯ୍ୟବଂଶୀ ଗଜପତି ରାଜତ୍ୱ ସମୟରେ କପିଳେଶ୍ୱର ମନ୍ଦିର ଓ ପାପନାଶିନୀ ମନ୍ଦିର ନିର୍ମାଣ କରାଯାଇଥିଲା। କଥିତ ଅଛି, ଗୋଟିଏ ସମୟରେ ଭୁବନେଶ୍ୱରରେ ପ୍ରାୟ ଏକ ସହସ୍ର ମନ୍ଦିର ରହିଥିଲା। କିନ୍ତୁ ଏବେ ଏହାର ସଂଖ୍ୟା ପାଞ୍ଚଶହକୁ ଖସିଆସିଛି।
ଭୁବନେଶ୍ୱର ଥିଲା ହିନ୍ଦୁ, ବୌଦ୍ଧ, ଜୈନ ଧର୍ମୀୟ ସ୍ଥାପତ୍ୟଶୈଳୀର ମିଳନ ସ୍ଥଳୀ। କଳିଙ୍ଗ ସ୍ଥାପତ୍ୟ ଶୈଳୀର ସ୍ବତନ୍ତ୍ରତା ଭୁବନେଶ୍ୱରର ମନ୍ଦିର ଓ ଅନ୍ୟ ସ୍ମାରକୀଗୁଡ଼ିକରେ ଦୃଶ୍ୟମାନ ହୁଏ। କିନ୍ତୁ ଦୁଃଖର ବିଷୟ ଆଫଗାନ ଓ ମୋଗଲ ରାଜତ୍ୱ ସମୟରେ ଭୁବନେଶ୍ୱରରେ ଥିବା ଅନେକ ମନ୍ଦିର ତଥା ସ୍ଥାପତ୍ୟ କୀର୍ତ୍ତିଗୁଡ଼ିକୁ ଭାଙ୍ଗି ଦିଆଯାଇଥିଲା। ଏବେ ବି ଏହାର ଭଗ୍ନାବଶେଷ ଗୁଡ଼ିକ ଅନେକ ସ୍ଥାନରେ ଦୃଷ୍ଟିଗୋଚର ହୁଏ।
ଏହାପରେ ଭୁବନେଶ୍ୱର ମରହଟ୍ଟା ଶାସନାଧୀନ ହେଲା। ୧୮୦୩ ରେ ଇଂରେଜମାନେ ମରହଟ୍ଟାମାନଙ୍କୁ ପରାସ୍ତ କରି ଓଡ଼ିଶା ଅଧିକାର କଲେ। ସେହିଦିନଠାରୁ ଭୁବନେଶ୍ୱର ବ୍ରିଟିଶ ସରକାରଙ୍କ ଶାସନାଧୀନ ହୋଇ ରହିଲା। ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଭୁବନେଶ୍ୱରର ବଳିଷ୍ଠ ଭୂମିକା ରହିଛି। ଚନ୍ଦକା ନିକଟସ୍ଥ ଦାରୁଠେଙ୍ଗଗଡ଼ର ଦଳେଇ ପିଣ୍ଡିକୀ ବାହୁବଳେନ୍ଦ୍ରଙ୍କ ଇଂରେଜ ବିରୋଧୀ ସଂଗ୍ରାମର ପଟାନ୍ତର ନାହିଁ। ଭାରତଛାଡ଼ ଆନ୍ଦୋଳନ ସମୟରେ ପୁରୁଣା ଭୁବନେଶ୍ୱରସ୍ଥ ବି.ଏମ୍‌. ବିଦ୍ୟାଳୟର ଛାତ୍ରମାନେ ଯେମିତି ଗୁପ୍ତଭାବେ ଟେଲିଗ୍ରାଫ ଓ ରେଳପଥ ସଂଯୋଗକୁ କାଟି ଦେଇଥିଲେ, ତାହା ସ୍ବାଧୀନତା ଆନ୍ଦୋଳନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।
୧୯୩୬ ଏପ୍ରିଲ ୧ରେ ୬ଟି ଜିଲାକୁ ନେଇ ଭାଷାଭିତ୍ତିକ ଏକ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା। ନୂତନ ଓଡ଼ିଶାର ରାଜଧାନୀ ହୋଇଥିଲା କଟକ। କିନ୍ତୁ ଭାରତର ସ୍ବାଧୀନତା ଲାଭ ପରେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ୧୯୪୮ ଏପ୍ରିଲ ୧୩ ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ପ୍ରତିଷ୍ଠିତ କରିଥିଲେ। ଏହି ନୂତନ ପ୍ରାଦେଶିକ ରାଜଧାନୀ ନିର୍ମାଣର ଯୋଜନା ପ୍ରସ୍ତୁତ କରିଥିଲେ ବିଖ୍ୟାତ ଜର୍ମାନ ସ୍ଥପତି ଅଟୋ କୋନିଗସବର୍ଗର। ସେତେବେଳେ ଚଣ୍ଡିଗଡ଼ ଓ ଜାମ୍‌ସେଦପୁର ସମେତ ସ୍ବତନ୍ତ୍ର ଯୋଜନା ଅନ୍ତର୍ଗତ ଗଢ଼ିଉଠିଥିବା ସହରଭାବେ ଭୁବନେଶ୍ୱର ସ୍ବାଧୀନ ଭାରତରେ ଥିଲା ପ୍ରଥମ। ଶେଷରେ ୧୯୪୯ ଅଗଷ୍ଟ ୧୯ରେ ଭୁବନେଶ୍ୱର ଓଡ଼ିଶାର ନୂତନ ରାଜଧାନୀ ଭାବେ ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିଲା। ସେହିବର୍ଷ ବିଧାନସଭାକୁ କଟକସ୍ଥିତ ରେଭେନ୍ସାକଲେଜ ଆସେମ୍ବ୍ଲି ହଲ୍‌ରୁ ଭୁବନେଶ୍ୱର ସର୍ଦ୍ଦାର ପଟେଲ ହଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ନୂତନ ନିର୍ମିତ ବିଧାନ ସୌଧରେ ସ୍ଥାୟୀଭାବେ ବିଧାନସଭା କାର୍ଯ୍ୟ କରିଥିଲା।
ଯଦିଓ ଭୁବନେଶ୍ୱର ନଗରର ପରିକଳ୍ପନା ଓ ନିର୍ମାଣ ଯୋଜନା ଅଟୋ କୋନିଗସବର୍ଗର କରିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ରାଜଧାନୀର କ୍ରମବର୍ଦ୍ଧିତ ଜନସଂଖ୍ୟା ଯୋଗୁ ଗତ କିଛି ଦଶନ୍ଧି ଧରି ମୂଳଯୋଜନାର ସ୍ବରୂପ ବଦଳିଯାଇଛି। ଯଦି ଗତ କିଛି ବର୍ଷର ଜନସଂଖ୍ୟା ବୃଦ୍ଧିର ପରିସଂଖ୍ୟାନ ନେବା, ତେବେ ଦେଖିବା ପ୍ରତ୍ୟେକ ବର୍ଷ ଭୁବନେଶ୍ୱରରେ ଏହା ବୃଦ୍ଧି ଘଟିଛି। ବର୍ତ୍ତମାନ ଭୁବନେଶ୍ୱର ଦେଶର ଦ୍ରୁତତମ ଗତିରେ ବିକାଶ କରୁଥିବା ସହର ମଧ୍ୟରୁ ଅଗ୍ରଗଣ୍ୟ।
ଏବେ ନିଃସନ୍ଦେହ ଯେ, ଭୁବନେଶ୍ୱର ବିକାଶ କ୍ଷେତ୍ରରେ ବହୁ ଉପରକୁ ଉଠିଗଲାଣି। ଅନେକ ପ୍ରତିଷ୍ଠିତ ଆଇଟି କମ୍ପାନୀ ସେମାନଙ୍କ ଶାଖା ଖୋଲି ସାରିଲେଣି। ଏଠାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅନେକ ବିଶ୍ୱସ୍ତରୀୟ ଚିକିତ୍ସାଳୟ ଉନ୍ନତମାନର ଚିକିତ୍ସା ପ୍ରଦାନ କରୁଛନ୍ତି। ସେହିପରି ଭୁବନେଶ୍ୱରରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନଗୁଡ଼ିକ ଉଚ୍ଚକୋଟୀର ଶିକ୍ଷା ଓ ଉତ୍କର୍ଷ ଗବେଷଣା ପାଇଁ ମାଧ୍ୟମ ସାଜିଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ଭୁବନେଶ୍ୱର ମହାନଗର ନିଗମ ରାଜଧାନୀକୁ ଅତ୍ୟାଧୁନିକ ସହରରେ ପରିଣତ କରିବା ପାଇଁ ଆବଶ୍ୟକୀୟ ଯୋଜନା ଓ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି। କେନ୍ଦ୍ର ସରକାର ‘ସ୍ମାର୍ଟ ସିଟି ମିଶନ’ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ଦେଶର କୋଡ଼ିଏଟି ସହର ମଧ୍ୟରେ ଭୁବନେଶ୍ୱରକୁ ମନୋନୀତ କରିଥିଲେ।
ଭୁବନେଶ୍ୱର ବାସିନ୍ଦା ନିଜ ସହରକୁ ବିଶ୍ୱସ୍ତରୀୟ ଏକ ଅତ୍ୟାଧୁନିକ ସହର ଭାବେ ଦେଖିବାକୁ ଚାହୁଁଛନ୍ତି ସତ, କିନ୍ତୁ ତତ୍‌ ସଙ୍ଗେ ସଙ୍ଗେ ସେମାନେ ସେମାନଙ୍କର ସୁରକ୍ଷା ଓ ନିରାପତ୍ତା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପସନ୍ଦ କରୁଛନ୍ତି। ଭୁବନେଶ୍ୱରରେ ଅପରାଧର ମାତ୍ରା ଯେମିତି ବଢ଼ି ବଢ଼ି ଚାଲିଛି ରାଜଧାନୀବାସୀଙ୍କ ପାଇଁ ‘ସ୍ମାର୍ଟସିଟି’ ବଦଳରେ ଅପରାଧ ମୁକ୍ତ ‘ସେଫ୍‌ ସିଟି’ (ନିରାପଦ ସହର)ର ଆବଶ୍ୟକତା ବରଂ ଅଧିକ ରହିଛି। ଉପଯୁକ୍ତ ଶିକ୍ଷା, ସ୍ବାସ୍ଥ୍ୟ ଓ ନିରାପତ୍ତା, ଏହି ତିନୋଟି ଉପରେ ରାଜଧାନୀବାସୀଙ୍କ ସୁଖ ଓ ଶାନ୍ତି ନିର୍ଭର କରେ। ଏଥିପାଇଁ ସରକାରୀ ଓ ବେସରକାରୀ ସ୍ତରରେ ନିରବଚ୍ଛିନ୍ନ ତତ୍ପରତା ପ୍ରକାଶ ପାଇବା ଆବଶ୍ୟକ। ପୁନଶ୍ଚ ସାଂସ୍କୃତିକ ବିଭବଗୁଡ଼ିକର ସଂରକ୍ଷଣ କରାଯାଉ ନ ହେଲେ ଭୁବନେଶ୍ୱରର ପ୍ରାଚୀନ ଐତିହ୍ୟ ଆଧୁନିକତାର ଚକତଳେ ବିଲୀନ ହୋଇଯିବ।
ନୂତନ ସହରଟିଏ ଗଢ଼ିବା ସହଜ। କିନ୍ତୁ ଗଢ଼ାଯାଇଥିବା ପୁରାତନ ସହରକୁ ପୁନଃନିର୍ମାଣ କରିବା ନିଶ୍ଚିତଭାବେ ଏକ କଷ୍ଟକର ବ୍ୟାପାର। କିନ୍ତୁ ଏହା ଅସମ୍ଭବ ନୁହେଁ। ଆଜି ରାଜଧାନୀ ପ୍ରତିଷ୍ଠା ଦିବସରେ ପ୍ରତ୍ୟେକ ଭୁବନେଶ୍ୱରବାସୀଙ୍କର ଅନ୍ତଃସ୍ବର ହେଉ, ”ମୋ ସହର ମୋ ଗର୍ବ ଓ ଗୌରବ“।
ପୂର୍ବତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ଓଡ଼ିଶା
ମୋ: ୯୮୬୧୦୬୪୯୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri