Categories: ଖେଳ

‘ଟିମ୍‌ ଇଣ୍ଡିଆର ଦୁଇ ଖେଳାଳିଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ଚାପ ସମ୍ଭାଳି ପାରିବେ ନାହିଁ’

ନୂଆଦିଲ୍ଲୀ,୨୫।୧: ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ପଡୋଶୀ ପରସ୍ପରକୁ ଭେଟିବେ। ଅକ୍ଟୋବର ୨୩ ତାରିଖରେ ମେଲବୋର୍ନ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଆଇସିସି ପକ୍ଷରୁ ଗତ ସପ୍ତାହରେ ଘୋଷଣା କରାଯାଇଛି। ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ମହମ୍ମଦ ହାଫିଜ ଭାରତ-ପାକ୍‌ ମ୍ୟାଚ୍‌ ଉପରେ ନିଜ ମତ ରଖିଛନ୍ତି।

ବର୍ତ୍ତମାନ ଲିଜେଣ୍ଡସ ଲିଗ୍‌ କ୍ରିକେଟ (ଏଲ୍‌ଏଲ୍‌ସି)ରେ ଏସିଆନ ଲାୟନ୍ସ ପାଇଁ ଖେଳୁଥିବା ହାଫିଜ କହିଛନ୍ତି, ଟିମ୍‌ ଇଣ୍ଡିଆର ଦୁଇ ବରିଷ୍ଠ ବ୍ୟାଟର ବିରାଟ କୋହଲି ଓ ରୋହିତ ଶର୍ମା ପାକିସ୍ତାନ ପାଇଁ ଚିନ୍ତାର କାରଣ ହୋଇପାରନ୍ତି। କାରଣ ଏହି ଦୁଇ ଖେଳାଳିଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ଖେଳାଳିଙ୍କ ପାଖରେ ଭାରତ-ପାକିସ୍ତାନ ମ୍ୟାଚ୍‌ର ଚାପକୁ ସମ୍ଭାଳିବାର ଦକ୍ଷତା ନାହିଁ।

“କୋହଲି ଓ ରୋହିତ ଏଭଳି ଦୁଇ ଦକ୍ଷ ଖେଳାଳି ପାକିସ୍ତାନ ଲାଗି ଚିନ୍ତାର କାରଣ ପାଲଟି ପାରନ୍ତି। ଅନ୍ୟ ଖେଳାଳିମାନେ ଭଲ ନୁହେଁ ବୋଲି ମୁଁ କହୁନାହିଁ। କିନ୍ତୁ ଯଦି ଏହି ଦୁଇ ଖେଳାଳି ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୁଅନ୍ତି, ତେବେ ଅନ୍ୟମାନେ ଚାପର ସମ୍ମୁଖୀନ ହୋଇପାରିବେ ନାହିଁ” ବୋଲି ହାଫିଜ କହିଛନ୍ତି।

Share