ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ: ୩ ଶିକ୍ଷକ ନିଲମ୍ବିତ

ଦେବଗଡ଼,୧୧।୪ ଦେବଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଗତ ୯ ତାରିଖରେ ଅନୁଷ୍ଠିତ ଓଟିଇଟି (ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ) ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପରୀକ୍ଷା ପରିଚାଳନା ଦାୟିତ୍ୱରେ ଅବହେଳା ଅଭିଯୋଗରେ ଦେବଗଡ଼ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ରବିବାର ୨ଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି। ସେମାନେ ହେଲେ ପରୀକ୍ଷା କେନ୍ଦ୍ର ଶ୍ରେଣୀ କୋଠରି ଦାୟିତ୍ୱରେ ଥିବା ସୁନାମୁଣ୍ଡା ହାଇସ୍କୁଲର ଶିକ୍ଷକ ବିଶ୍ୱନାଥ କିଷାନ, ଚେକିଂ ଦାୟିତ୍ୱରେ ଥିବା ଶିକ୍ଷକ ସୁଶାନ୍ତ କୁମାର ରାୟ ଏବଂ ରିଲିଭର ତଥା ଚେକିଂ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ରଞ୍ଜିତା ମିଶ୍ର। ତେବେ ଜିଲା ଶିକ୍ଷା ଅଧିକାରୀଙ୍କ ଏହି ନିଲମ୍ବନ ଆଦେଶ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ସହ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ ବଞ୍ଚାଇବାକୁ ଯାଇ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀଙ୍କ ମତାମତ ଲୋଡିବାରୁ କେନ୍ଦ୍ର ଅଧୀକ୍ଷକଙ୍କ ବିରୋଧରେ ମଧ୍ୟ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।