ଓଟିଇଟି ପରୀକ୍ଷାଫଳ ପ୍ରକାଶ: ପାସ୍‌ ହାର ରହିଛି…

କଟକ,୩ା୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଫଳ ପ୍ରକାଶ ପାଇଛି। ପରୀକ୍ଷାର୍ଥୀଙ୍କ କୃତକାର୍ଯ୍ୟ ହାର ୬୪.୪୮% ହୋଇଛି। ପେପର-୧ରେ ପାସ୍‌ ହାର ୬୮.୨୮% ଓ ପେପର-୨ରେ ପାସ୍‌ ହାର ୬୦.୬୮% ହୋଇଛି। ବୋର୍ଡ ଓ୍ବେବ୍‌ସାଇଟ୍‌ www.bseodisha.ac.inରେ ପରୀକ୍ଷାଫଳ ବୁଧବାର ସନ୍ଧ୍ୟା ୬ଟାରୁ ଉପଲବ୍ଧ ହୋଇଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ୟୁଜର ଆଇଡି ଓ ପାସ୍‌ଓ୍ବାର୍ଡ କିମ୍ବା ଜନ୍ମ ତାରିଖ ବ୍ୟବହାର କରି ଫଳ ଜାଣିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ ସେମାନଙ୍କ ଡିଜିଟାଇଜ୍‌ଡ ସାର୍ଟିଫିକେଟ ବୋର୍ଡ ଓ୍ବେବ୍‌ସାଇଟ୍‌ରୁ ଆସନ୍ତା ୭ ତାରିଖ ପୂର୍ବାହ୍ନ ୧୧ଟା ପରଠାରୁ ଆବଶ୍ୟକ ଦେୟ ଦାଖଲ କରି ଡାଉନଲୋଡ୍‌ କରିପାରିବେ। ମୁଦ୍ରିତ ସାର୍ଟିଫିକେଟ ଯୋଗାଇ ଦିଆଯିବା ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ରହିବ। ଏଥିସହ ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ ଓଏମ୍‌ଆର୍‌ ଉତ୍ତର ଖାତା ନକଲ ବୋର୍ଡ ଓ୍ବେବ୍‌ସାଇଟ୍‌ରୁ ଆସନ୍ତା ୫ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଡାଉନଲୋଡ୍‌ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାନୁସାରେ, ଜୁଲାଇ ୫ରେ ହୋଇଥିବା ଓଟିଇଟି ପରୀକ୍ଷାରେ ରାଜ୍ୟରୁ ମୋଟ ୯୭,୧୫୧ ଜଣ ଫର୍ମ ପୂରଣ କରିଥିଲେ। ତନ୍ମଧ୍ୟରୁ ୮୪,୭୩୧ଜଣ ପରୀକ୍ଷା ଦେଇଥିବା ବେଳେ ୧୨,୪୨୦ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ମୋଟ ୫୩,୩୧୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପେପର-୧ ପାଇଁ ୨୮,୮୨୧ ଜଣ ଫର୍ମ ପୂରଣ କରିଥିଲେ। ତନ୍ମଧ୍ୟରୁ ୨୪,୯୯୧ଜଣ ପରୀକ୍ଷା ଦେଇଥିବା ବେଳେ ୩୮୩୦ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ତେବେ ପେପର-୧ରେ ମୋଟ ୧୭,୦୬୫ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ପେପର-୨ ପାଇଁ ୬୮୩୩୦ ଜଣ ଫର୍ମ ପୂରଣ କରିଥିଲେ। ତନ୍ମଧ୍ୟରୁ ୫୯,୭୪୦ଜଣ ପରୀକ୍ଷା ଦେଇଥିବା ବେଳେ ୮,୫୯୦ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ତେବେ ପେପର-୨ରେ ମୋଟ ୩୬,୨୪୯ ଜଣ କୃତକାର୍ଯ୍ୟ ହୋଇଛନ୍ତି।

Odisha’s No.1 Odia Daily

Share
Tags: OTET Result