ଶିକ୍ଷକଙ୍କୁ କୋଭିଡ୍‌ ଦାୟିତ୍ୱ ନ ଦେବାକୁ ଓଷ୍ଟାର ଦାବି

ଭଞ୍ଜନଗର,୬।୭(ଡି.ଏନ.ଏ.)- କୋଭିଡ୍‌-୧୯ ପରିଚାଳନା ଦାୟିତ୍ୱରେ ଥିବା ଗଞ୍ଜାମ ଜିଲାର ୨ ଶିକ୍ଷକଙ୍କର କରୋନାରେ ମୃତ୍ୟୁ ଘଟିଛି। ତେଣୁ ଶିକ୍ଷକମାନଙ୍କୁ ସିଧାସଳଖ କୋଭିଡ୍‌ ଦାୟିତ୍ୱ ଅଗଷ୍ଟ ୩୧ ପର୍ଯ୍ୟନ୍ତ ନଦେବାକୁ ଓଷ୍ଟା ରାଜ୍ୟ ସଂଘ ଉପ ସଭାପତି ସନ୍ତୋଷ ଜେନା ରବିବାର ସଂଘର ଏକ ବୈଠକରେ ଭଞ୍ଜନଗରଠାରେ ଦାବି କରିଛନ୍ତି। ସରକାରୀସ୍ତରରେ ଶିକ୍ଷକମାନଙ୍କୁ ଯଦିଓ କରୋନା ଯୋଦ୍ଧାଭାବେ ଘୋଷଣା କରାଯାଇନାହିଁ। ତଥାପି ଶିକ୍ଷକମାନଙ୍କୁ ସଙ୍ଗରୋଧ କେନ୍ଦ୍ର ପରିଚାଳନା ଠାରୁ ଘରଘର ବୁଲି ସର୍ଭେ ପର୍ଯ୍ୟନ୍ତ ବହୁ ଦାୟିତ୍ୱ ଦିଆଯାଉଛି। କରୋନା ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ ମଧ୍ୟ କରୋନା ଯୋଦ୍ଧା ଘୋଷଣା କରା ନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୨ଶିକ୍ଷକଙ୍କ ମୃତ୍ୟୁ ଅପୂରଣୀୟ କ୍ଷତି ଘଟାଇଛି। ଏକମାତ୍ର ଶିକ୍ଷକ ପୁତ୍ରର ମୃତ୍ୟୁ ପରେ କବିସୂର୍ଯ୍ୟନଗରରେ ପିତାମାତା ଆତ୍ମହତ୍ୟା କରିବା ଶିକ୍ଷକ ସମାଜ ପାଇଁ ବଡ ଦୁଃଖଦ ଘଟଣା। ସରକାର ଉଭୟଙ୍କୁ କରୋନା ଯୋଦ୍ଧା ଘୋଷଣା ସହ ପ୍ରତ୍ୟେକ ପରିବାରକୁ ୫୦ ଲକ୍ଷ ସହାୟତା, ପୁତ୍ର ସନ୍ତାନଙ୍କ ଉଚ୍ଚ ଶିକ୍ଷା ପାଇଁ ଆର୍ଥତ୍କ ସହାୟତା ଓ ପରିବାରର ଜଣଙ୍କୁ ସରକାରୀ ଚାକିରୀ ସହ ଅଗଷ୍ଟ ୩୦ ପର୍ଯ୍ୟନ୍ତ କୌଣସି କରୋନା ଦାୟିତ୍ୱ ସିଧାସଳଖ ନଦେଖା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା। ଗଞ୍ଜାମ ଜିଲା ସଂଘ କର୍ମକର୍ତ୍ତା ବିଜୟ କୁମାର ବେହେରା, ଅଶୋକ ଦଳେଇ, ବିଜୟ ଚନ୍ଦ୍ର ମହାରଣା, ଭଞ୍ଜନଗର ବ୍ଲକ କର୍ମକର୍ତ୍ତା ଗୌରୀନନ୍ଦନ ହୋତା, ରବିନାରାୟଣ ମହାନ୍ତି, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ସଭାପତି ଜଗବନ୍ଧୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହାପୂର୍ବରୁ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ଗଞ୍ଜାମ ଜିଲା ଶାଖା ପକ୍ଷରୁ ସାଧାରଣ ସମ୍ପାଦକ ସୁଜିତ କୁମାର ସ୍ବାଇଁ ଭଞ୍ଜନଗର ଉପ ଜିଲାପାଳଙ୍କୁ ଶନିବାର ଭେଟି ଶିକ୍ଷକମାନଙ୍କ ସମସ୍ୟା ଓ ଏହାର ନିରାକରଣ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି।