ଓଏସ୍‌ଏସ୍‌ଟିଇଟି ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ସୋମବାର ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୧ ପାଇଁ ଫର୍ମ ପୂରଣ ଅବଧି ବୃଦ୍ଧି କରିଛି। ସୋମବାର ଏନେଇ ବୋର୍ଡ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ବିଜ୍ଞପ୍ତି ଅନୁସାରେ, ୨୦ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅନଲାଇନ୍‌ ଆବେଦନ ବା ଫର୍ମ ପୂରଣ ସହ ଫି’ ଦାଖଲ ଏକସଙ୍ଗେ କରିବାକୁ ପଡ଼ିବ। ଆବେଦନ ଫର୍ମ ଦାଖଲ ପାଇଁ କୌଣସି ଅତିରିକ୍ତ ସମୟ ଦିଆଯିବ ନାହିଁ। କାରଣ ଅନଲାଇନ୍‌ରେ ହିଁ ଫି’ ସଂଗ୍ରହ କରାଯିବ। ଏଥିପାଇଁ ବୋର୍ଡର ୱେବ୍‌ସାଇଟ୍‌ www.bseodisha.ac.inରେ ୨୪ ଘଣ୍ଟିଆ ବ୍ୟବସ୍ଥା ହୋଇଛି। ତେବେ ଆବେଦନ ଓ ଫି’ ଦାଖଲ କରିବା ପୂର୍ବରୁ ପ୍ରାର୍ଥୀମାନଙ୍କୁ ଓଏସ୍‌ଏସ୍‌ଟିଇଟି- ୨୦୨୧ର ନିର୍ଦ୍ଦେଶାବଳୀ ଅନୁଯାୟୀ ଯୋଗ୍ୟତା ମାନଦଣ୍ଡ ପଢ଼ିବାକୁ ଅନୁରୋଧ କରାଯାଇଛି। ଯଦି ସେମାନେ ଯୋଗ୍ୟ ନୁହନ୍ତି, ତେବେ ଫି’ ପ୍ରଦାନ କରିବା ଉଚିତ ନୁହେଁ। କାରଣ ଥରେ ଦିଆଯାଇଥିବା ଫି’ ଫେରସ୍ତ ହେବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି।