ଏପ୍ରିଲ ୫ରୁ ଓଷ୍ଟା ପ୍ରି-ବୋର୍ଡ ପରୀକ୍ଷା: ୨୭ରେ ପ୍ରକାଶ ପାଇବ ଟେଷ୍ଟପେପର

କଟକ ଅଫିସ, ୨୫।୧: ଆସନ୍ତା ମେ’ ୩ରୁ ବୋର୍ଡ ପରୀକ୍ଷା ଆରମ୍ଭ ହେବ। କରୋନା ପାଇଁ ପ୍ରାୟ ୯ ମାସ ଧରି ବିଦ୍ୟାଳୟ ଯାଇ ନ ଥିବା ଛାତ୍ରୀଛାତ୍ରମାନେ ୧ ବର୍ଷର ପାଠ୍ୟଖସଡ଼ାକୁ ୧୦୦ ଦିନ ମଧ୍ୟରେ ଶେଷ କରି ପରୀକ୍ଷା ଦେବେ। ପରୀକ୍ଷା ପଦ୍ଧତି ଓ ମୂଲ୍ୟାୟନ ବ୍ୟବସ୍ଥାରେ କିଛି ପରିବର୍ତ୍ତନ କରାଯାଇଛି। ସଂଶୋଧିତ ପାଠ୍ୟଖସଡ଼ା ଆଧାରରେ ଛାତ୍ରୀଛାତ୍ରମାନେ ବୋର୍ଡ ପରୀକ୍ଷାକୁ କିଭଳି ଭାବେ ସଫଳତାର ସହିତ ସମ୍ମୁଖୀନ ହେବେ, ସେଥିପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପ୍ରୟାସ ଆରମ୍ଭ କରିଛି। ଆସନ୍ତା ୨୭ରେ ସଂଶୋଧିତ ପରିବର୍ତ୍ତିତ ପାଠ୍ୟଖସଡ଼ା ଆଧାରରେ ଓଷ୍ଟା ପକ୍ଷରୁ ସଂଶୋଧିତ ଟେଷ୍ଟପେପର ପ୍ରକାଶ ପାଇବ ବୋଲି ରବିବାର ଓଷ୍ଟା ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ଛାତ୍ରୀଛାତ୍ରଙ୍କ ନିମନ୍ତେ ଆସନ୍ତା ଏପ୍ରିଲ୍‌ ୫ରୁ ୧୦ ତାରିଖ ମଧ୍ୟରେ ଓଷ୍ଟା ପ୍ରାୟୋଜିତ ୨୦୨୧ ପ୍ରି-ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ବୋର୍ଡ ପରୀକ୍ଷା ଭଳି ଏହି ପରୀକ୍ଷା କରାଯିବ। ଏହି ପ୍ରି-ବୋର୍ଡ ପରୀକ୍ଷା ଦ୍ୱାରା ଛାତ୍ରୀଛାତ୍ରମାନଙ୍କ ମନରୁ ଭୟ ଦୂର ହେବା ସହ ବୋର୍ଡ ପରୀକ୍ଷା ବ୍ୟବସ୍ଥା ସହିତ ନିଜକୁ ଅଭ୍ୟସ୍ତ କରାଇବାରେ ସହାୟକ ହେବ। ଉକ୍ତ ପରୀକ୍ଷା ଫଳ ଏପ୍ରିଲ ୧୨ରେ ସମସ୍ତ ବିଦ୍ୟାଳୟରେ ପ୍ରକାଶିତ ହେବ। ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କର ପରୀକ୍ଷା ଖାତା ଓ ରଖିଥିବା ନମ୍ବର ସମ୍ପର୍କରେ ଶିକ୍ଷକମାନଙ୍କ ପକ୍ଷରୁ ଜଣାଇ ଦିଆଯିବ। ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଦୁର୍ବଳତାକୁ ଚିହ୍ନଟ କରି ଏପ୍ରିଲ୍‌ ୧୩ରୁ ୩୦ ତାରିଖ ମଧ୍ୟରେ ସଂଶୋଧନ କରିବା ପାଇଁ ଚେଷ୍ଟା କରିବେ। ମାର୍ଚ୍ଚ ୩୧ ମଧ୍ୟରେ ସମସ୍ତ ବିଷୟର କୋର୍ସ ଶେଷ କରିବା ପାଇଁ ରାଜ୍ୟର ସମସ୍ତ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଓଷ୍ଟାର ନେତୃତ୍ୱ ନେଇଥିବା ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରୀ ଚରଣ ସାହୁ, ପ୍ରକାଶ ଚନ୍ଦ୍ର ମହାନ୍ତି, ରଞ୍ଜନ ଦାଶ, ଅଶୋକ ମହାପାତ୍ର ଓ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ନିବେଦନ କରିଛନ୍ତି।