ବତୀଘର ଅଞ୍ଚଳରେ ବାତ୍ୟା ମୁକାବିଲା ପ୍ରସ୍ତୁତି ତଦାରଖ କଲେ ଓଏସ୍‌ଆଇସି ଏମ୍‌ଡି, ଲୋକଙ୍କୁ ଭେଟି…

ମହାକାଳପଡ଼ା,୧୯ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ମାଡ଼ି ଆସୁଛି ସ୍ଥଳଭାଗ ମୁହାଁ ବାତ୍ୟା ଅକ୍ୱାନ। ସମ୍ଭାବ୍ୟ ପରିସ୍ଥିତି ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ ଆରମ୍ଭ ହୋଇଛି। ବ୍ଲକର ସମୁଦ୍ର ସଂଲଗ୍ନ ନଦୀ ନାଳ ଘେରା ବତୀଘର ପଞ୍ଚାୟତରେ ବାତ୍ୟା ମୁକାବିଲା ପାଇଁ ତଳିଆ ଅଞ୍ଚଳ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ବୁଧବାର ସନ୍ଧ୍ୟାରୁ ଥଇଥାନ କରାଯାଇଛି। ସମୁଦ୍ରରେ ବାତ୍ୟା ମାଡ଼ ଏହି ବତୀଘର ଅଞ୍ଚଳକୁ ଅଧିକ ପ୍ରଭାବିତ ଆଶଙ୍କା ରହିଛି। ଏହି ଦୃଷ୍ଟିରୁ ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି। ଗୁରୁବାର ପୂର୍ବାହ୍ନରେ ଉଚ୍ଚ ସ୍ତରୀୟ ଟିମ୍‌ ଏହି ପଞ୍ଚାୟତର ବିଭିନ୍ନ ତଳିଆ ଅଞ୍ଚଳରେ ପହଞ୍ଚିଛନ୍ତି।

ବାତ୍ୟା ପରିଦର୍ଶନ ପାଇଁ ରାଜ୍ୟ ସରକାର ନିଯୁକ୍ତ କରିଥିବା କେନ୍ଦ୍ରାପଡ଼ା ପୂର୍ବତନ ଜିଲାପାଳ ତଥା ଓଏସ୍‌ଆଇସି ପରିଚାଳନା ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ ବତୀଘର ଅଞ୍ଚଳରେ ପହଞ୍ଚିଥିଲେ। ତାଙ୍କ ସହିତ ଅନ୍ୟ ଅଧିକାରୀମାନେ କଜଳପାତିଆ, ନିପାଣିଆ, ବଡ଼ ଟୁବି, ସାନ ଟୁବି, ନୂଆ ମେଡିକାଲରେ ରୋଗୀଙ୍କୁ ଭେଟିବା ସହ ବତୀଘର ଆଦି ଥଇଥାନ କେନ୍ଦ୍ରରେ ପହଞ୍ଚି ସମୀକ୍ଷା କରିଛନ୍ତି।

ସ୍ଥାନୀୟ ସରପଞ୍ଚ ଶିବାନୀ ବିଜୁଳି, ସମିତିସଭ୍ୟ କ୍ରିଷ୍ଣପଦ ମଣ୍ଡଳ, ନିର୍ବାହୀ ଅଧିକାରୀ ଓ ଅନ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ପଞ୍ଚାୟତ ସମୁଦ୍ର ନିକଟରେ ଅବସ୍ଥିତ ଥିବାରୁ ବାତ୍ୟା ପ୍ରଭାବ ଅଧିକ ରହିବ। ତେବେ ଜଣେ ଅଧିକାରୀଙ୍କୁ ଏହି ପଞ୍ଚାୟତରେ ନିୟୋଜିତ କରାଯାଇଛି । ତାଙ୍କ ସହିତ ଜିଲାପରିଷଦ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ ବେଉରା, ବିଡିଓ ମନୋଜ କୁମାର ନାୟକ, ଅତିରିକ୍ତ ତହସିଲଦାର ସିଦ୍ଧାର୍ଥ ରାୟ, ବ୍ଲକ ଜରୁରୀକାଳିନ ଅଧିକାରୀ ଦୀପକ କୁମାର ପରିଡ଼ା, ରାଜସ୍ବ ନିରୀକ୍ଷକ ବିଜୟ କୁମାର ବେହେରା, କନିଷ୍ଠ ଯନ୍ତ୍ରୀ ଜ୍ଞାନ ରଞ୍ଜନ ସ୍ବାଇଁଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ। ଉକ୍ତ ଅଧିକାରୀମାନେ ଟୁବି ଘାଟ ପାର ହୋଇ ଅଟୋ ଯୋଗେ ବତୀଘର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ।

Dharitri – Odisha’s No.1 Odia Daily

Share