Categories: ଖେଳ

ଅନୁଗୋଳକୁ ହରାଇ ମୁକ୍ତେଶ୍ୱର ସେମିରେ

ଢେଙ୍କାନାଳ ଅଫିସ,୯।୧: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବେଡ଼ାପଡ଼ା ଗ୍ରାମସ୍ଥିତ ମା’ ଅନ୍ଧାରି କ୍ରିକେଟ୍‌ କ୍ଲବ ପକ୍ଷରୁ ୧୨ତମ ସୁବାସ ମେମୋରିଆଲ କ୍ରିକେଟ୍‌ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ ସମ୍ପାଦକ ତଥାଗତ ସତପଥୀ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷା ରୀନା ବେହେରା, ସାମାଜିକ କର୍ମୀ ତପନ ପରିଡ଼ା, ପ୍ରଶାନ୍ତ କୁମାର ସର, ରସାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଉଦ୍‌ଘାଟନୀ ମ୍ୟାଚରେ ଅନୁଗୋଳର ମା’ ବୁଢ଼ୀ କ୍ଲବକୁ ୨୯ ରନ୍‌ରେ ହରାଇ ଭୁବନେଶ୍ୱର ମୁକ୍ତେଶ୍ୱର କ୍ଲବ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଟସ୍‌ ଜିତି ମୁକ୍ତେଶ୍ୱର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୪୫ ରନ୍‌ ସଂଗ୍ରହ କରିଥିଲା। ପ୍ରତୀକ ଦାସ ୨୯ ବଲ୍‌ରେ ୩୧ ରନ୍‌ କରିଥିଲେ। ଜବାବରେ ଅନୁଗୋଳ ୧୨ ଓଭରରେ ୧୧୬ ରନ୍‌ କରି ପରାସ୍ତ ହୋଇଥିଲା। ଚିନ୍ମୟ ସାହୁ ୨୫ଟି ବଲ୍‌ରୁ ୫୯ ରନ୍‌ କରିଥିଲେ ମଧ୍ୟ ତାହା ଯଥେଷ୍ଟ ହୋଇ ନ ଥିଲା।

ବିଜୟୀ ମୁକ୍ତେଶ୍ୱର ଦଳର ଶୁଭମଶ୍ରୀ ବେହେରା ‘ଅଫ୍‌ ଦି ମ୍ୟାଚ’ ବିବେଚିତ ହୋଇଥିଲେ। ଅମ୍ପାୟର ସୋମନାଥ ସେଠୀ, ସଞ୍ଜୟ ସାମଲ ମ୍ୟାଚ୍‌ ପରିଚାଳନା କରିଥିଲେ। ନିଶିକାନ୍ତ ବେହେରା, ପ୍ରିୟରଞ୍ଜନ ସାମଲ, ଶୁଭମ୍‌ ସାମଲ ସ୍କୋରର ରହିଥିବାବେଳେ ସନ୍ଦୀପ ପଣ୍ଡା, ମନୋଜ ଗଡନାୟକ, ସିଲୁ ସ୍ବାଇଁ ଧାରାବିବରଣୀ ପ୍ରଦାନ କରିଥିଲେ। ସୋମବାର ୟୁନିୟନ୍‌ ସ୍ପୋର୍ଟିଂ କଟକ ଓ ରାମେଶ୍ୱର ସ୍ପୋର୍ଟିଂ ଭୁବନେଶ୍ୱର ମଧ୍ୟରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

Share