ଦେବଗଡ଼,୧୯ା୪(ଶଶାଙ୍କ ଶେଖର ଝାଙ୍କର): ସରକାରୀ ଆଇଟିଆଇ ପ୍ରିନ୍ସିପାଲଙ୍କ ନାଁରେ ବାରକୋଟ ଥାନାରେ ଜଣେ ଅନାଥ ନାବାଳିକା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି।
ସୂଚନାଥାଉକି, ପ୍ରତ୍ୟେକ ବର୍ଷ ମାଟ୍ରିକ ପାସ୍ ପରେ ଶିଶୁ ଗୃହର ଅନ୍ତେବାସୀମାନେ ବାରକୋଟସ୍ଥିତ ସରକାରୀ ଆଇଟିଆଇରେ ବୈଷୟିକ ଶିକ୍ଷା ପାଇଁ ନାମ ଲେଖ।ନ୍ତି। ପ୍ରତ୍ୟେକ ବର୍ଷ ଭଳି ଗତବର୍ଷ ମଧ୍ୟ ଶିଶୁଗୃହ ସପୋର୍ଟର କେତେ ଜଣ ଅନ୍ତେବାସୀ ଏହି ଆଇଟିଆଇ ବା ବୈଷୟିକ ସଂସ୍ଥାରେ ପାଠ ପଢିବା ପାଇଁ ନାମ ଲେଖାଇଥିଲେ। ଏହି ପିଲାମାନେ ବାରକୋଟସ୍ଥିତ ସରକାରୀ ଆଇଟିଆଇର ହଷ୍ଟେଲରେ ରୁହନ୍ତି ଓ ଛୁଟି ହେଲେ ପୁଣି ଶିଶୁ ଗୃହକୁ ଫେରନ୍ତି। କାରଣ ଶିଶୁ ଗୃହର ପରିଚାଳକ ସେମାନଙ୍କ ସ୍ଥାନୀୟ ଅଭିଭାବକ ଭାବେ ତାଙ୍କ ଦାୟିତ୍ୱରେ ରହିଥାନ୍ତି। ଛୁଟି ସରିଲା ପରେ ପିଲାମାନେ ପୁଣି ଆଇଟିଆଇ ହଷ୍ଟେଲକୁ ପାଠ ପଢିବା ପାଇଁ ଫେରିଯାଆନ୍ତି। ଏହି କ୍ରମରେ ଏବେ ଛୁଟିରେ ଶିଶୁ ଗୃହକୁ ଫେରିଥିବା ଜଣେ ନାବାଳିକାଙ୍କ ପାଖରେ ଦାମୀ ଉପହାର, ଟଙ୍କା ଓ ମୋବାଇଲ ଥିବାର ଦେଖିବାକୁ ମିଳିଥିଲା। ଏପରିକି ଅନଲାଇନ୍ରେ ତାଙ୍କ ପାଖକୁ ଉପହାର ମଧ୍ୟ ଆସିଥିଲା। ଏହି ଘଟଣା ସମ୍ପର୍କରେ ଶିଶୁଗୃହର ଶିଶୁ ମଙ୍ଗଳ ଅଧିକାରିଣୀ ସତ୍ୟପ୍ରିୟା ପ୍ରଧାନ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଦୃଷ୍ଟିକୁ ଆଣିଥିଲେ। ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ଗୃହର କାଉନ୍ସିଲର ସୁଭଦ୍ରା ସାହୁ ପିଲାକୁ ବାରମ୍ବାର ପଚାରି ତଦନ୍ତ ରିପୋର୍ଟ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ଯୌନ ନିର୍ଯାତନାର ଶିକାର ହୋଇଥିବା ପିଲାର ଅଭିଯୋଗ କି ସରକାରୀ ଆଇଟିଆଇର ପ୍ରିନ୍ସିପାଲ ଗତ ଏକ ମାସ ଧରି ପିଲାର ଅନିଚ୍ଛା ସତ୍ତ୍ୱେ ବାରମ୍ବାର ଯୌନ ନିର୍ଯାତନା ଦେଇ ଆସୁଛନ୍ତି। ଅନ୍ୟ ଛାତ୍ରୀଛାତ୍ର ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ହଷ୍ଟେଲ ଓ୍ବାର୍ଡେନ ଏହି ନାବାଳିକାଙ୍କୁ ପ୍ରିନ୍ସିପାଲ ସାରଙ୍କ ରୁମ୍କୁ ଖାଇବା ନେଇକି ପରଷିବା ପାଇଁ ବାଧ୍ୟ କରନ୍ତି। ଏପରି କି ପ୍ରିନ୍ସିପାଲଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ରୁମ୍ରେ ଝାଡୁପୋଛା, ଫୁଲ ତୋଳି ଆଣିଦେବା, ହାତଗୋଡ଼ ଘଷିବା ଇତ୍ୟାଦି କାମ ପାଇଁ ବାଧ୍ୟ କରନ୍ତି। ଏପରିକି ମାସିକ ଋତୁସ୍ରାବ ସମୟରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରନ୍ତି। ପିଲାର ମନ ଭୁଲାଇବା ପାଇଁ ନିଜ କାରରେ ଅଧ୍ୟକ୍ଷ ନାବାଳିକାକୁ ବିଭିନ୍ନ ସ୍ଥାନକୁ ନେଇ ଗୁପ୍ଚୁପ, ଚାଓମିନ୍ ଆଇସକ୍ରିମ ଖୁଆନ୍ତି ଓ ଦାମୀ ଉପହାର ମଧ୍ୟ ଦିଅନ୍ତି। ଗତ ଏକ ମାସ ହେଲା ଜୋର ଜବରଦସ୍ତି ନାବାଳିକା ଛାତ୍ରୀ ସହ ଅନୁଷ୍ଠାନର ପ୍ରିନ୍ସିପାଲ ଶାରୀରିକ ସମ୍ପର୍କ ରଖି ନିର୍ଯାତନା ଦେଇ ଆସୁଛନ୍ତି ବୋଲି ନାବାଳିକା ଅଭିଯୋଗ ଆଣିଛନ୍ତି।
ଏ ଘଟଣା ନଜରକୁ ଆସିବା ପରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମହାପାତ୍ର, ସପୋର୍ଟ ଶିଶୁ ଗୃହର ପରିଚାଳକ ଚନ୍ଦ୍ର ଶେଖର ସାହୁ ଓ କାଉନ୍ସିଲର ସୁଭଦ୍ରା ସାହୁ , ନାବାଳିକା ସହ ବାରକୋଟ ଥାନାକୁ ଯାଇ ସରକାରୀ ଆଇଟିଆଇର ପ୍ରିନ୍ସିପାଲଙ୍କ ନାମରେ ଏତଲା ଦେଇଛନ୍ତି। ବାରକୋଟ ପୋଲିସ ପକ୍ଷରୁ କେସ୍ ନଂ ୧୬୧/୨୬ରେ ବିଭିନ୍ନ ଦଫା ବିଏନ୍ଏସ ୬୪(୨)(ଏଫ୍) , ୬୪(୨)(ଏମ୍) ଓ ପୋକ୍ସୋ-୬ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି ବୋଲି ସୂଚନା ମିଳିଛି।