ଗଞ୍ଜାମ, ୩୦।୧୦ (ବିଦ୍ୟାଧର ସାହୁ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ସମଗ୍ର ଗଞ୍ଜାମ ଜିଲା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବେଳକୁ ବେଳ ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଗଞ୍ଜାମ ବ୍ଲକ୍ର ବିଭିନ୍ନ ପଞ୍ଚାୟତର ଅନେକ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି। ଏଥିସହ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବ୍ଲକ୍ ଅଞ୍ଚଳବାସୀ ଚିନ୍ତାରେ ଅଛନ୍ତି।
ଏଭଳି ପରିସ୍ଥିତିରେ ଛତ୍ରପୁରର ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ଜନସାଧାରଣଙ୍କୁ ସୁରକ୍ଷା ଓ ସହଯୋଗର ଆଶ୍ୱାସନା ଦେଇଛନ୍ତି। ସେ ଗଞ୍ଜାମ ବ୍ଲକ୍ର ସନ୍ତୋଷପୁର ଓ ମଲାଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ବନ୍ୟା ବିପନ୍ନଙ୍କୁ ଭେଟିଥିଲେ। ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପ୍ରଶାସନ ସହ ସିଧାସଳଖ ଆଲୋଚନା କରିଥିଲେ।
ଖଣ୍ଡଦେଉଳୀ, ପୋଇରାଶି ଓ କାର୍ତ୍ତିକଢ଼ି ଗ୍ରାମର ଜଳମଗ୍ନ ଧାନ ଜମି ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଜଳବନ୍ଦୀ ଅଞ୍ଚଳବାସୀଙ୍କୁ ତୁରନ୍ତ ରିଲିଫ୍ ଯୋଗାଣ ବ୍ୟବସ୍ଥା ତ୍ୱରାନ୍ୱିତ କରିବାକୁ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।
ପୂର୍ବତନ ବିଧାୟକଙ୍କ ଏହି ଗସ୍ତ ସମୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗଗନ ସ୍ୱାଇଁ, ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଜିତୁ ପଣ୍ଡାଙ୍କ ସମେତ ବିଜେଡିର ଅନ୍ୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।