ଓଡ଼ିଆ ନାବାଳିକାଙ୍କୁ ଲକ୍ଷେ ଟଙ୍କାରେ ବିକିଦେଲେ…

ଉମରକୋଟ,୨୨।୩: କାମ କରାଇବାକୁ କହି ଜଣେ ନାବାଳିକାଙ୍କୁ ବିକ୍ରି ଅଭିଯୋଗରେ ଉମରକୋଟ ପୋଲିସ ୪ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉମରକୋଟ ଥାନା ଅଞ୍ଚଳର ମଙ୍ଗଳ ସିଂ ହରିଜନ, ମନିତା କମାର, ଝରିଗାଁ ବ୍ଲକ ବାଗଡିଆଁ ଗାଁର ପର୍ଶୁ ସାନ୍ତା, ନବରଙ୍ଗପୁର ତଟାସାହିର ନିର୍ମଳା ସୁନା, ବାସନ୍ତୀ ସୁନା ଓ ଯମୁନା ନାଗ।
ସୂଚନା ଅନୁଯାୟୀ, କାମ ଯୋଗାଇବା ବାହାନାରେ ଅଗଷ୍ଟ ୮ତାରିଖରେ ମଙ୍ଗଳ ଓ ମନିତା ନାବାଳିକାଙ୍କୁ ତାଙ୍କ ଘରୁ ଡାକିନେଇଥିଲେ। ଘରଠାରୁ କିଛି ଦୂର ନେବାପରେ ପର୍ଶୁ ସାନ୍ତା ନିଜ କାର୍‌ରେ ମନିତାଙ୍କ ସହ ନାବାଳିକାଙ୍କୁ ନବରଙ୍ଗପୁର ଯାଏ ନେଇଥିଲେ। ସେମାନେ ସେଠାରେ ନାବାଳିକାଙ୍କୁ ନିର୍ମଳା, ବାସନ୍ତୀ ଓ ଯମୁନାଙ୍କୁ ଦେଇଥିଲେ। ସେମାନଙ୍କ ଘରେ ନାବାଳିକା ଜଣଙ୍କ ୩ମାସ କାମ କରିଥିଲେ। ଏହି ସମୟରେ ନାବାଳିକାଙ୍କୁ ଘର ଲୋକଙ୍କ ସହ କୌଣସି ସମ୍ପର୍କ ରଖିବାକୁ ଦିଆଯାଇ ନ ଥିଲା। ପରବର୍ତ୍ତୀ ସମୟରେ ସେମାନେ ନାବାଳିକାଙ୍କୁ ଦିଲ୍ଲୀ ନେଇ ସେଠାରେ ଜଣେ ଅଜଣା ବ୍ୟକ୍ତିଙ୍କ ସହ ବିବାହ କରାଇ ତାଙ୍କଠାରୁ ଲକ୍ଷେ ଟଙ୍କା ଆଣି ନବରଙ୍ଗପୁର ଫେରି ଆସିଥିଲେ। ନାବାଳିକା ଜଣଙ୍କ କିଛିଦିନ ରହିବା ପରେ କୌଶଳକ୍ରମେ ସେଠାରୁ ବାହାରି ୧୪ ତାରିଖରେ ଘରକୁ ଫେରିଥିଲେ। ଖବର ପାଇ ନିର୍ମଳା ଓ ତାଙ୍କ ସହଯୋଗୀ ନାବାଳିକାଙ୍କୁ ଫେରାଇ ନେବାକୁ ତାଙ୍କ ଗାଁକୁ ୨୧ତାରିଖରେ ଯାଇଥିଲେ। ନାବାଳିକାଙ୍କୁ ଲକ୍ଷେ ଟଙ୍କାରେ ବିକ୍ରି କରାଯାଇଛି। ତାଙ୍କୁ ଫେରାଇନେବାକୁ ଜିଦ୍‌ ଧରି ସେମାନେ ବସିଥିଲେ। ନାବାଳିକାଙ୍କ ପରିବାର ଲୋକେ ଉମରକୋଟ ପୋଲିସକୁ ଖବର ଦେଇଥିଲେ। ପୋଲିସ ସେମାନଙ୍କୁ ଥାନାକୁ ନେଇଥିଲା। ପରେ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା(ନଂ.୧୨୦/୨୧) ରୁଜୁକରି ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି।