ଓଡ଼ିଆ ଆଇଆର୍‌ଏସ୍‌ ଅଫିସର ଜାତିସଂଘ ଟ୍ୟାକ୍ସ କମିଟି ବିଶେଷଜ୍ଞ

ନୂଆଦିଲ୍ଲୀ, ୨୩ା୭: ଅର୍ଥ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଥିବା ଓଡ଼ିଆ ଆଇଆର୍‌ଏସ୍‌ ଅଫିସର ରଶ୍ମିରଞ୍ଜନ ଦାସ ୨୦୨୧-୨୦୨୫ ବର୍ଷ ପାଇଁ ଜାତିସଂଘ ଟ୍ୟାକ୍ସ କମିଟି ସଦସ୍ୟ ନିଯୁକ୍ତ ହୋଇ ବିଶ୍ୱର ୨୫ ଜଣ ଟିକସ ବିଶେଷଜ୍ଞଙ୍କ ମଧ୍ୟରେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି। ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଧିକାରୀ ରଶ୍ମିରଞ୍ଜନଙ୍କର ନୀତି ନିର୍ଦ୍ଧାରଣ ଏବଂ ପ୍ରତ୍ୟକ୍ଷ ଟିକସ ଆଇନ କାର୍ଯ୍ୟକାରୀ କରିବାରେ ୨୮ ବର୍ଷର ଅଭିଜ୍ଞତା ରହିଛି। ୧୩୫ରୁ ଊର୍ଦ୍ଧ୍ୱ ଦେଶ ଯାଞ୍ଚ କରୁଥିବା ବିଇପିଏସ୍‌ ଗ୍ରୁପ୍‌ ଇନ୍‌କ୍ଲୁସିଭ୍‌ ଫ୍ରେମ୍‌ଓ୍ବାର୍କରେ ସେ ଭାରତର ପ୍ରତିନିଧି ରହିବା ସହ ଏହାର ଷ୍ଟିୟରିଂ କମିଟି ସଦସ୍ୟ ରହିଛନ୍ତି। ସେ ଆଇଆଇଏମ୍‌ ବାଙ୍ଗାଲୋରରୁ ପବ୍ଲିକ୍‌ ପଲିସି ଆଣ୍ଡ୍‌ ମ୍ୟାନେଜ୍‌ମେଣ୍ଟରେ ପିଜି ଡିପ୍ଲୋମା କରିବା ସହ ଜେଏନ୍‌ୟୁରୁ ଇଣ୍ଟରନ୍ୟାଶନାଲ ରିଲେଶନ୍ସ ଉପରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଜାତିସଂଘର ନୂଆ ଟ୍ୟାକ୍ସ କମିଟି ଦ୍ୱୈତ ଟିକସ ଚୁକ୍ତିନାମା, ମୂଲ୍ୟ ସ୍ଥାନାନ୍ତର, ଟିକସ ବିବାଦ ସମାଧାନ, ଏକ୍ସଟ୍ରାକ୍ଟିଭ୍‌ ଇଣ୍ଡଷ୍ଟ୍ରିଜ୍‌ ଏବଂ ଡିଜିଟାଲ ଅର୍ଥନୀତିର ଟିକସ ବ୍ୟବସ୍ଥା ପରିବେଶ ଟିକସ, ମୂଲ୍ୟଯୁକ୍ତ ଟିକସ ଇତ୍ୟାଦିର ସମାଧାନ ଦିଗରେ କାର୍ଯ୍ୟ କରିବ। ଏହା ବିକାଶଶୀଳ ଦେଶ ଏବଂ ସେମାନଙ୍କ ନୀତି ଉପରେ ସ୍ବତନ୍ତ୍ର ଗୁରୁତ୍ୱ ଦେବ।

Share