ଓଡ଼ିଶା କହିଲେ ୨ ଜଣଙ୍କୁ ବୁଝାଏ: ରମେଶ

ଭୁବନେଶ୍ବର,୨୭ା୧୨(ବ୍ୟୁରୋ): ଓଡିଶା କହିଲେ ଦୁଇ ଜଣଙ୍କୁ ବୁଝାଏ। ଜଣେ ହେଉଛନ୍ତି ଜଗନ୍ନାଥ ଆଉ ଜଣେ ହେଲେ ବିଜୁ ପଟ୍ଟନାୟକ। ବିଜେଡିର ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ଏମ୍‌ପି ରମେଶ ମାଝୀ ତାଙ୍କ ଭାଷଣରେ ଏହା କହିଛନ୍ତି। ରମେଶ କହିଛନ୍ତି ଯେ, ଯେଉଁ ବିଜୁ ବାବୁଙ୍କ ନଁାରେ ଏହି ଦଳ ଗଠନ ହୋଇଥିଲା ତାହାକୁ ଆଜି ୨୫ ବର୍ଷ ପୂରଣ ହୋଇ ୨୬ ବର୍ଷରେ ପଦାର୍ପଣ କରୁଛି। ରାଜ୍ୟରେ ୬୨ ପ୍ରକାର ଆଦିବାସୀ ବସବାସ କରନ୍ତି। ସେମାନଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ରାଜ୍ୟ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଶିକ୍ଷା କ୍ଷେତ୍ରରେ ମୁଖ୍ୟତଃ ବ୍ୟାପକ ପରିବର୍ତ୍ତନ ହୋଇଛି। ଆଦିବାସୀ ପିଲାଙ୍କ ରହିବା ଲାଗି ଛାତ୍ର ଆବାସ ଠାରୁ ଆରମ୍ଭ କରି ସେମାନଙ୍କ ଇଂରାଜୀ ଶିକ୍ଷା ଲାଗି ବିଦ୍ୟାଳୟ ଖୋଲାଯାଇଛି। ୨୧ ହଜାର ଛାତ୍ରୀଛାତ୍ର ବର୍ତ୍ତମାନ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢୁଛନ୍ତି। ଓଡିଶା ଏବେ ଭାରତରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିଉଠିଛି। ଆଦିବାସୀମାନଙ୍କ ଭାଷା, ଶିକ୍ଷା ଏବଂ ଅର୍ଥନୀତିରେ ବ୍ୟାପକ ଉନ୍ନତି ଆଣିବା ଲାଗି ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଗଠନ କରାଯାଇଛି। ଅନ୍ୟପଟେ ରମେଶ ମାଝୀ ଓଡିଶାର ପରିଚୟ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ନିନ୍ଦା କରିବା ସହିତ ବିଜେଡିକୁ ପଲଟା ଟାର୍ଗେଟ କରିଛନ୍ତି।