Posted inଫୁରସତ

ଜୈବିକ କୃଷି, ବଢୁଛି ଆଦର

କମ୍‌ ଜମିରେ ସ୍ବଳ୍ପ ପରିମାଣର ବିହନ ବୁଣି ଅଳ୍ପଦିନରେ କିପରି ଅଧିକ ପରିମାଣର ଶସ୍ୟ ଉତ୍ପାଦନ ହୋଇପାରିବ ଏଥିପାଇଁ ଆଧୁନିକ ଚାଷପ୍ରଣାଳୀ ଦ୍ୱାରା କୃଷିକ୍ଷେତ୍ରରେ ଆବଶ୍ୟକ ପରିମାଣର ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରାଯାଇଥାଏ। ହେଲେ ସୁସ୍ଥ ଓ ନୀରୋଗ ରହିବା ପାଇଁ ଏବେ ଆସ୍ତେ ଆସ୍ତେ ଲୋକ ଜୈବିକ କୃଷି ଆଡ଼କୁ ମୁହଁାଇଲେଣି। ଯେଉଁଥିପାଇଁ ଲୋପ ପାଇଯାଉଥିବା ବିଭିନ୍ନ ଦେଶୀବିହନକୁ ଏବେ ସଂଗ୍ରହ କରି ଜୈବିକ ପ୍ରଣାଳୀରେ ଚାଷ କରୁଛନ୍ତି ଅନେକ ଚାଷୀ।

ସଂଗ୍ରହାଳୟରେ ରହିଛି ୭ଶହ ପ୍ରକାରର ଧାନବିହନ: ଏମିତି ଏକ ସଂଗ୍ରହାଳୟ, ଯେଉଁଠି ଦେଖିବାକୁ ପାଇବେ କୃଷିକ୍ଷେତ୍ରରେ ବ୍ୟବହାର ହେଉଥିବା ବିଭିନ୍ନ ପୁରାତନ ତଥା ବିରଳ ଗ୍ରାମୀଣ କୃଷିଯନ୍ତ୍ରପାତି ଓ ନାନାପ୍ରକାରର ଦେଶୀବିହନ। ଏହାକୁ ପ୍ରତିଷ୍ଠା କରିଛନ୍ତି ଜଣେ ଶିକ୍ଷକ ଏବଂ ଏଥିରେ ସାମିଲ ହୋଇଛନ୍ତି ଏକାଧିକ ଉତ୍ସାହୀ ଯୁବକ। ଏହି ଅନୁଷ୍ଠାନଟି ରହିଛି ଖୋର୍ଦ୍ଧା ଜିଲାର ବାଲିପାଟଣା ବ୍ଲକ ଅନ୍ତର୍ଗତ ନରିଶୋ ଗ୍ରାମପଞ୍ଚାୟତରେ। ଏହି ସଂଗ୍ରହାଳୟର ପ୍ରତିଷ୍ଠାତା ହେଲେ ଅବସରପ୍ରାପ୍ତ ଶିକ୍ଷକ ନଟବର ଷଡ଼ଙ୍ଗୀ। ସେ କୁହନ୍ତି,‘ସ୍କୁଲ ବୟସରୁ ବାପାଙ୍କ ସାଥିରେ ଚାଷଜମିକୁ ଯାଇ ବିଭିନ୍ନ ପ୍ରକାରର ଗଛଲତା ଫୁଲଫଳକୁ ଦେଖି ଖୁସି ହେଉଥିଲି। ସମୟକ୍ରମେ ୧୯୯୨ ମସିହାରେ ସରକାରୀ ଶିକ୍ଷକ ଚାକିରିରୁ ଅବସର ନେଇ ଗାଁରେ ରହିଲି। ବଳକା ସମୟରେ କୃଷିସାମଗ୍ରୀ ଓ ବିହନ ପ୍ରତି ମନବଳାଇଥିଲି। କିନ୍ତୁ ଗାଁରେ ଥିବା ଆମର ପ୍ରାୟ ୫ଏକର ଚାଷଜମିରେ ୧୯୯୬ରୁ ଜୈବିକ ପଦ୍ଧତିରେ ବିଭିନ୍ନ ଦେଶୀ ଧାନଚାଷ କରାଯାଇଥାଏ। ତେବେ ଦେଶୀ ଜୈବିକ ଚାଷରୁ ଅମଳ ହେଉଥିବା ବିଭିନ୍ନ ଫସଲରେ ପ୍ରସ୍ତୁତ ଖାଦ୍ୟ ଶରୀରକୁ ଉତ୍ତମ ପୋଷଣ ଦେଇଥାଏ। ଏଥିପ୍ରତି ଲୋକଙ୍କ ଚାହିଦା ବଢ଼ିବାରେ ଲାଗିଲା। ଏମିତିରେ ୨୦୨୦ ମସିହାରୁ ବିଭିନ୍ନ ଦେଶୀ ଧାନବିହନ ସଂରକ୍ଷଣ କଲି। ଆଉ ଲୋକ ସମବାୟ ପ୍ରତିଷ୍ଠାନ ନାଁରେ ଏକ ଟ୍ରଷ୍ଟ ଗଠନ କଲି। ଦେଶୀ ଧାନ ବିହନ ସାଇତି ରଖିବା ଦ୍ୱାରା ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଜୈବିକ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କଲେ। ଏହି ପ୍ରତିଷ୍ଠାନ ବା ସଂଗ୍ରହାଳୟରେ ପ୍ରାୟ ୭ଶହ ପ୍ରକାରର ଧାନ ବିହନ ରହିଛି। ସେହିପରି ସଂଗ୍ରହାଳୟ ନିକଟରେ ଥିବା ପ୍ରାୟ ୧୦ଏକର ଜମିରେ ବର୍ଷର ବିଭିନ୍ନ ଋତୁରେ କେବଳ ଜୈବିକ ପଦ୍ଧତିରେ ନାନା ପ୍ରକାର ଧାନଚାଷ ସମେତ ଅନ୍ୟାନ୍ୟ ଫସଲ ଚାଷ କରାଯାଉଛି । ଭଲ ଫସଲ ଅମଳ ହେଉଛି। ଏହି ସଂଗ୍ରହାଳୟରେ ଧାନ ବ୍ୟତିତ ପାନ ବଟୁଆ, ପାନଦାନି, ଗୁଆକାତି, ରୁଖା, ବ୍ୟାସ, ଖଟୁଲି, ପିଢ଼ା, ବିଭିନ୍ନ କଂସାପାତ୍ର, ସେହିପରି ସବାରି, ପାଲିଙ୍କି, ଢିଙ୍କି, ଚୁଲି, କଜ୍ଜଳପାତି, ସିନ୍ଦୂରଫରୁଆ, ସିନ୍ଧୁକ, ବେତର ପେଡ଼ି, ପେଟରା, ବାଉଁଶକୁଲା, ଭୋଗେଇ, ଚାଙ୍ଗୁଡ଼ି, ଟୋକେଇ, ପାଛିଆ, ଚିଡ଼େଇ, କାଠଚଟୁ, ଶଢେଇଡଙ୍କି, ଦହିଘୋଳା, ଲୁହାଲଙ୍ଗଳ, ଦା, ଚାଷଲୁହା, କୋଦାଳ, ଗଇନ୍ତି, ଫାଉଡ଼ା, ଈଷ, ଶଗଡ଼ଚକ, ଜୁଆଳି, ପହି, ଅର, ପଖିଆ, ମାଟିଘୁମ, ପଲମ, ଓଳିଆ, ମଇ, ମାଛଧରା ଜାଲ, ପୋଳୁହ, ମୁଗୁରା, ଖେପାଜାଲ ସମେତ ବିଭିନ୍ନ ଅଞ୍ଚଳର ମାଟି ଓ ପଥରକୁ ସଂଗ୍ରହକରି ସାଇତି ରଖାଯାଇଛି। ଏହି ସଂଗ୍ରହାଳୟକୁ ବୁଲିବା ପାଇଁ ଆଖପାଖ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରୁ ଅନେକ ଛାତ୍ରୀଛାତ୍ର, ବିଭିନ୍ନ ବର୍ଗର ବୁଦ୍ଧିଜୀବୀମାନେ ଆସିଥାନ୍ତି।

ଦେଶୀ ବିହନ ସଂଗ୍ରହ ନିଶା: ପ୍ରାକୃତିକ ଉପାୟରେ କିପରି ଦେଶୀ ବିହନକୁ ସଂରକ୍ଷଣକରି ସୁରକ୍ଷିତ ଭାବେ ଜୈବିକ ପଦ୍ଧତିରେ ଚାଷ କରିହେବ ତାହା ତାଙ୍କୁ ସର୍ବଦା ଘାରୁଥିଲା। ଏମିତି ଏକାଧିକ କିସମର ଧାନବିହନକୁ ସାଇତି ରଖିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ । ସେ ହେଲେ ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଅଧୀନ ମଦେଗାଁର ଶଙ୍କର ପ୍ରସାଦ ପଟ୍ଟନାୟକ। ସେ କୁହନ୍ତି, ଦେଶୀବିହନ ଓ ଜୈବିକ ଚାଷ ପରିବେଶ ପାଇଁ ଯେତିକ ଭଲ, ସୁସ୍ଥ ଓ ନୀରୋଗ ଜୀବନଯାପନ ପାଇଁ ଦେଶୀଖାଦ୍ୟ ସେତିକି ଉପକାରୀ। ତେବେ ଦିନକୁ ଦିନ ଲୋପପାଇବାକୁ ବସିଥିବା ବିଭିନ୍ନ ଦେଶୀ ବିହନକୁ ସଂରକ୍ଷିତ କରିବାର ପ୍ରୟାସ କରୁଛି। ଏଥିପାଇଁ ବିଭିନ୍ନ ଅଞ୍ଚଳରୁ ଦେଶୀ ଧାନବିହନକୁ ସଂଗ୍ରହ କରି ଆଣିଥାଏ। ଏମିତିରେ ପ୍ରାୟ ୪୫୦ରୁ ଊର୍ଦ୍ଧ୍ୱ କିସମର ଧାନ ବିହନ ସଂଗ୍ରହକରି ରଖିଛି। ବିଭିନ୍ନ ପୁରୁଣାକାଳିଆ ଧାନର ବିହନ ସଂଗ୍ରହ କରିବା ସହିତ ଚାଷ ପାଇଁ ଚାଷୀମାନଙ୍କୁ ସଚେତନ କରିଥାଏ। ୨୦୧୫ ମସିହାରେ ଏକ ଚାଷଜମିରେ କିଛି ଦେଶୀ ଓ କିଛି ହାଇବ୍ରିଡ୍‌ ବିହନ ବୁଣିଥିଲି । ଅମଳ ପରେ ପରୀକ୍ଷା କରିଥିଲି ଦେଶୀ ଧାନରେ ଔଷଧୀୟଗୁଣ ଅଧିକ ରହିଛି। ଏହା ଉଚ୍ଚ ରକ୍ତଚାପ, ମଧୁମେହ ଏବଂ ରକ୍ତହୀନତା ଆଦି ରୋଗର ଉପଚାର କରିବାରେ ସହାୟକ ହୋଇପାରୁଛି କେତେଜଣ ସ୍ବାସ୍ଥ୍ୟବିଶେଷଜ୍ଞଙ୍କ ଠାରୁ ଶୁଣିଛି। ଏଥିପାଇଁ ବିଭିନ୍ନ କିସମର ଦେଶୀ ଧାନବିହନକୁ ସଂଗ୍ରହ କରିବା ଅଭିଯାନ ଆରମ୍ଭ କରିଦେଇଛି। ପ୍ରାୟ ୧୨ ଏକର ପୈତୃକ ଜମିରେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ପ୍ରଥମବର୍ଷ ୬କିସମର ଧାନ ବିହନ, ତା’ପରବର୍ଷ ୩୦ କିସମର ଏବଂ ୩ୟ ଓ ଚତୁର୍ଥ ବର୍ଷରେ ପ୍ରାୟ ୪ଶହ ପ୍ରକାର ବିହନ ଚାଷ କରିଥିଲି। ଅମଳ ହୋଇଥିବା ବିହନ ସଂଗ୍ରହ କରି ସଂରକ୍ଷଣ କରିଥାଏ। ଏମିତିରେ ପ୍ରାୟ ୪୦ଦିନରୁ ୧୬୦ ଦିନ ମଧ୍ୟରେ ଅମଳ ହୋଇପାରୁଥିତ୍ବା ପ୍ରାୟ ୪୫୦ ପ୍ରକାର ଦେଶୀଧାନ ବିହନ ସଂଗ୍ରହ କରିସାରିଲିଣି। ତେବେ ଦେଶୀ ଧାନ ସଂଗ୍ରହ ପାଇଁ ଅନ୍ୟଚାଷୀଙ୍କୁ ଉତ୍ସାହିତ କରିଥାଏ। ସେମାନଙ୍କୁ ଦେଶୀ ଧାନ ବିହନ ବଣ୍ଟନ କରି ଦେଶୀବିହନର ପରିମାଣକୁ ବଢ଼ାଇବାର ଉଦ୍ୟମ ଜାରିରଖିଛି। ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ କୃଷିମେଳା ଓ ବିହନ ପ୍ରଦର୍ଶନରେ ଯୋଗ ଦେଇଥାଏ। କେବଳ ଧାନ ବିହନ ନୁହେଁ ଏବେ ପ୍ରାୟ ୫ ପ୍ରକାରର ମାଣ୍ଡିଆକୁ ସଂରକ୍ଷଣ କରି ରଖିବା ସହିତ ଚାଷ କରୁଛି । ବରଗଡ଼, କଳାହାଣ୍ଡି, ଜୟପୁର, କୋଟଗଡ଼ ଆଦି ଆଦିବାସୀ ଅଞ୍ଚଳରେ ଆଦିବାସୀମାନେ ପୁରୁଣା ଦେଶୀ ବିହନ ବ୍ୟବହାର କରିଥା’ନ୍ତି। ଅନ୍ୟପକ୍ଷେ ସଂଗ୍ରହ କରିଥିବା ଧାନବିହନ ମଧ୍ୟରୁ ପ୍ରାୟ ୪୨ ପ୍ରକାରର ବିହନ ଭୁବନେଶ୍ୱରସ୍ଥିତ ବିହନ ଗବେଷଣାକେନ୍ଦ୍ରକୁ ଦେଇଛି। ତାକୁ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯାଉଛି। ଏଥିରେ ଖୁସି ଅଛି।

ବିହନ ବ୍ୟାଙ୍କ- ନୟାଗଡ଼ଜିଲାର ଦଶପଲ୍ଲା ବ୍ଲକ ନଛିପୁର ପଞ୍ଚାୟତ ରାଇସର ଗଁାରେ ରହିଛି ଚାଷୀଙ୍କ ବିହନ ବ୍ୟାଙ୍କ। ଏଠାର ବିହନ ବ୍ୟାଙ୍କରେ ସାରିଆଗେଟା, ଝୁମ୍ପୁରୀ, ବୌଦିଆଚମ୍ପା, ମାଗୁରା, କର୍ପୂରକେଳି, ବାୟାଭଣ୍ଡା, କସୁରୀ ଚମ୍ପା, ମୟରକଣ୍ଟା, ରଙ୍ଗମାଛକଣ୍ଟା, ଭୂତିଆ, ଜଙ୍ଗଲୀଜଟା, କଳାଜିରା, ଗୋପାଳଭୋଗ, ତୁଳସୀ, ଚିନାମାଳି, ବର୍ଷା, ପାଉଁଜି, କଳାକୋଇଲି, ନୃପତିଭୋଗ, ମୁକୁସଲା, ଅଳନ୍ଧୁକୁଟା, ଲାଣ୍ଡି, କଜଳଚମ୍ପା, ବଡତୁଳସୀ ଆଦି ୪୪ ପ୍ରକାରର ଦେଶୀ ଧାନ ଉପଲବ୍ଧ। କେବଳ ଧାନ ବିହନ ନୁହେଁ ବିରି, ମୁଗ, ଚଣା, ରାଶି, ଜହ୍ନା, ଗୁରୁଚି, ସୁଅଁା, କାନ୍ଦୁଲ ଆଦି ଅନ୍ୟ ବିହନ ଉପଲବ୍ଧ । ତେବେ ବିହନ ବ୍ୟାଙ୍କରେ ଦେଶୀ ଧାନକୁ ପ୍ରାଧାନ୍ୟ ଦିଆଯାଉଛି । ଏହି ବିହନ ବ୍ୟାଙ୍କ କରିଛନ୍ତି ସରିଗଣ୍ଡା ପଞ୍ଚାୟତର ବରପଲି, ସାତଝରୀ, ଗୋଠସାହି ଓ ଅନ୍ଧାରକୋଟରେ, ଲକ୍ଷ୍ମୀପୁର ପଞ୍ଚାୟତ ଗମ୍ଭାରୀଖୋଲ, ଜାମୁସାହି, ରାଇସର, ବିଡାପାଜ ଓ ଝୁଙ୍କାମରାରେ, ଘୁଗୁଡିପଡା ପଞ୍ଚାୟତର କଦଳୀବାରି, ସିଲିଗାଡି, ଚମ୍ପାଦାଇ, ଖଜୁରିଡିହ, ଖଳିସାହି, ଖଣ୍ଡାଧାର, ଜାନିସାହ ଓ ରାଇମଡା ପରି ଅଞ୍ଚଳରେ ପ୍ରାୟ ୫୫୯ ଜଣ ଚାଷୀ। ଏହି ଚାଷୀମାନେ ବିହନ ବ୍ୟାଙ୍କରେ ଦେଶୀ ଧାନକୁ ସଂରକ୍ଷଣ କରି ଚାଷୀଙ୍କୁ ମାଗଣାରେ ଦେଉଛନ୍ତି । ତେବେ ଅମଳ ପରେ ବିହନର ୩ ଗୁଣା ନେଉଛନ୍ତି । ବିହନ ବ୍ୟାଙ୍କର ସଭ୍ୟମାନେ ବିଭିନ୍ନ ସ୍ଥାନକୁ ଯାଇ ବିହନ ମାଗଣାରେ ଆଣୁଛନ୍ତି। ଏନେଇ ବରପାଲ୍ଲୀର ପୂର୍ଣ୍ଣଚନ୍ଦ୍ର ପ୍ରଧାନ କୁହନ୍ତି ମାଟିହାଣ୍ଡିରେ ଦେଶୀ ଧାନ ରଖି ଉପରେ ପାଳ ପକାଇ ମାଟି ଲେପି ସଂରକ୍ଷଣ କରାଯାଉଛି । ସେହିପରି ଅନ୍ୟ ଖାଦ୍ୟଶଷ୍ୟକୁ ମଧ୍ୟ ବିଭିନ୍ନ ତରିକାରେ ସଂରକ୍ଷଣ କରି ରଖୁଛୁ । ରାସାୟନିକ ସାର ବ୍ୟବହାର ନ କରି ଜୈବିକ ପଦ୍ଧତିରେ ଦେଶୀ ଧାନ ଚାଷ କରୁଛୁ ।

ଦେଶୀ ବିହନ ସଂରକ୍ଷଣ : ତାଙ୍କ ଘର ବରଗଡ଼ ଜିଲାର କଟାପାଲି ଗାଁରେ। ସେ ଯୁକ୍ତ୨ ଯାଏ ପଢିଛନ୍ତି। ମାତ୍ର କୃଷିକାର୍ଯ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟିକରିଛନ୍ତି। ସେ ହେଲେ ସୁଦାମ ସାହୁ। ସେ କୁହନ୍ତି ଆମ ପରିବାରରେ ପୂର୍ବରୁ ଅନ୍ୟମାନେ ଧାନ ଚାଷ କରୁଥିଲେ। ପିଲାଦିନେ ଘରର ଆର୍ଥିକ ପରିସ୍ଥିତ ଭଲ ନ ଥିବାରୁ ପାଠପଢ଼ାରେ ଅସୁବିଧାଥିଲା। ମାତ୍ର ଚାଷପ୍ରତି ମନବଳାଇଲି। ଏଥିଯୋଗୁ ୨୦୦୧ରେ ଓ୍ବାର୍ଦ୍ଧାର ଗାନ୍ଧୀ ଆଶ୍ରମରେ ଯାଇ ଜୈବିକ ଚାଷଲାଗି ପ୍ରାୟ ୪ବର୍ଷଧରି ତାଲିମ ନେଲି। ଏଠାରେ ରାଜୀବ ଦୀକ୍ଷିତଙ୍କ ସହିତ ସାକ୍ଷତ୍‌ ହୋଇଥିଲା। ପରେ ତାଙ୍କଠାରୁ ପାରମ୍ପରିକ ଜୈବିକ ଚାଷ ପ୍ରଣାଳୀ ତାଲିମ ପାଇଥିଲି। ସମୟକ୍ରମେ ଗାଁକୁ ଫେରିଆସିଲି। ନିଜର ପ୍ରାୟ ୫ଏକର ପୈତୃକ ଚାଷଜମିରେ ଜୈବିକ ପଦ୍ଧତିରେ ଧାନ ଚାଷ କଲି। ବିଭିନ୍ନ ସ୍ଥାନକୁ କୃଷି କାର୍ଯ୍ୟ ଓ ଶିବିରରେ ଯୋଗ ଦେବାକୁ ଯାଉଥିବା ବେଳେ ବିଭିନ୍ନ ପ୍ରକାର ଶସ୍ୟର ବିହନ ସଂଗ୍ରହକରି ଆଣିଥାଏ। ଏମିତିରେ ପ୍ରାୟ ୧୧ଶହ ପ୍ରକାରର ଦେଶୀ ଧାନବିହନ ସଂଗ୍ରହ କରିସାରିଲିଣି। ଜଣେ କୃଷିକାର୍ଯ୍ୟର ପ୍ରଶିକ୍ଷକଭାବେ ଦେଶୀ ଧାନ ସଂରକ୍ଷଣ ସମ୍ପର୍କରେ ଟ୍ରେନିଂ ଦେଇଥାଏ। ଅନ୍ୟପକ୍ଷେ ପ୍ରାୟ ୪ପ୍ରକାରର ଦେଶୀ ଧାନ – କୁସୁମକଲି, ଦାବତୀ, ସୁନାହରିଣୀ ଆଦି ପ୍ରକ୍ରୟାକରଣ କରିବା ସହ ପ୍ରାୟ ୩୫ ପ୍ରକାରର ଦେଶୀ ସାର ଓ ଜୈବିକ କୀଟନାଶକ ତିଆରି କରିଛି। ୪୦ ପ୍ରକାରର ପନିପରିବା ମଞ୍ଜି ସଂରକ୍ଷଣ ହୋଇଛି। ଏମିତିରେ ଝାଡ଼ଖଣ୍ଡ, ଗୁଜରାଟ, ହିମାଚଳପ୍ରଦେଶ, କର୍ନାଟକ ଆଦି ରାଜ୍ୟର କେତେକ ଅଞ୍ଚଳର କୃଷକଙ୍କୁ ଦେଶୀ ବିହନ ପଠାଇଛି । ସେହିପରି ନେପାଳ, ଶ୍ରୀଲଙ୍କା, ସୁଇଜରଲାଣ୍ଡ, କାଫେଲା ୟୁନିଭର୍ସିଟି ଆଦିକୁ କେତେକ କିସମର ଦେଶୀ ବିହନ ପଠାଇଛି। କୃଷିକାର୍ଯ୍ୟପାଇଁ ବିଭିନ୍ନ କ୍ଷେତ୍ରରୁ ଶ୍ରେଷ୍ଠ କୃଷକ ସମ୍ମାନ, ବିହନ ସଂରକ୍ଷକ, ଆନ୍ଧ୍ର କୃଷି ସମ୍ମାନ, ବୀଜ ସମ୍ମାନ, ବିହନ ଯୋଦ୍ଧା, ଆଦର୍ଶ କୃଷକ ସମ୍ମାନ ସମେତ ଶତାଧିକ ପୁରସ୍କାର ଓ ସମ୍ମାନ ମିଳିଛି । ଏପରିକି ଜଗଜ୍ଜୀବନରାମ ପୁରସ୍କାର ମଳିଛି। ପ୍ରାୟ ୧୫ଶହ ଲୋକଙ୍କୁ କାମ ଯୋଗାଇଥିବାରୁ ଖୁସି ଲାଗେ। ସୋସିଆଲ ମିଡିଆ ଜରିଆରେ ଅନେକ ଚାଷୀଙ୍କ ସହଯୋଗ ମିଳୁଛି।

ବିହନ ସଂଗ୍ରହ କରିବା ନିଶା ଘାରିଥିଲା: ପିଲାଟି ଦିନରୁ ତାଙ୍କର ଚାଷପ୍ରତି ଥିଲା ଅହେତୁକ ଦୁର୍ବଳତା। ସମୟକ୍ରମେ ଚାଷକୁ ହିଁ ସେ ଜୀବିକା ଭାବେ ଗ୍ରହଣକରି ପରିବାର ଚଳାଉଛନ୍ତି। ଏଥିସହିତ ବିଭିନ୍ନ ଦେଶୀ ବିହନ ସଂରକ୍ଷଣ କରି ରଖିଛନ୍ତି। ସେ ହେଲେ ବରଗଡ଼ ଜିଲାର କୁଟେନପାଲି ଗାଁର ମହେନ୍ଦ୍ର ସାହୁ। ସେ କୁହନ୍ତି, ସ୍କୁଲଯିବା ବୟସରେ ମୋର ଚାଷପ୍ରତି ଖୁବ୍‌ ଆଗ୍ରହ ରହିଥିଲା। ୧୦ମ ଯାଏ ପଢିଛି। କିନ୍ତୁ ଚାଷରେ ମନ ଲାଗିଲା। ସମୟକ୍ରମେ ପୈତୃକ ଚାଷଜମିରେ ଧାନ ଚାଷ କରିଆସୁଛି। କିନ୍ତୁ ୨୦୧୭ ମସିହାରେ ଏକ ଘରୋଇ ସାମାଜିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଏକ ଶିବିରରେ ଚାଷ ସମ୍ପର୍କରେ କିଛି ନୂଆ କଥା ଜାଣିପାରିଲି। ତା’ ପରେ ମୋତେ ୩ ପ୍ରକାର ଧାନବିହନ ଯୋଗାଇ ଦିଆଯାଇଥିଲା। ପରେ ସାତ ପ୍ରକାରର ଧାନବିହନ ସଂଗ୍ରହ କରିଥିଲି। ଏହାକୁ ଜୈବିକ ପ୍ରଣାଳୀରେ ଚାଷ କରୁଥିଲି। ଧାନ ଚାଷ ଓ ବିହନ ସଂରକ୍ଷଣ ବିଷୟରେ ଜାଣିଲି। ଚାଷକରି ସେଥିରୁ ପ୍ରାୟ ବାର୍ଷିକ ୨ଶହ କୁଇଣ୍ଟାଲ ଧାମ ଅମଳ କଲି। ଏହି ବିହନରୁ କିଛିପରିମାଣର ବିହନକୁ ପ୍ରାୟ ସ୍ଥାନୀୟ କୃଷକଙ୍କୁ ଯୋଗାଇ ଆସୁଛି। ସେମାନଙ୍କୁ ଭଲ ଚାଷ ସମ୍ପର୍କରେ ବୁଝାଇଥାଏ। ବରଗଡ଼, ସମ୍ବଲପୁର, ସୋନପୁର ଆଦି ଜିଲାର ଆଗ୍ରହୀ ଜୈବିକ ଚାଷୀଙ୍କୁ ଦେଶୀ ବିହନ ଯୋଗାଇ ଆସୁଛି। ବିଭିନ୍ନ ପ୍ରକାର ଧାନବିହନ ମଧ୍ୟରେ ପ୍ରାୟ ୧୩୦ କିସମର ବିହନ ସାଇତି ରଖିଛି। ଧାନ ଚାଷ ସମ୍ପର୍କରେ ଆମ ଗାଁ ନିକଟ ଆଖପାଖ ଗାଁର ଅନେକ ଚାଷୀ ଆସି ବୁଝିଥାନ୍ତି। ଘରେ ବିଭିନ୍ନ ଧାନ ବିହନ ସଂରକ୍ଷଣ କରିରଖିତ୍ଥିବାରୁ ଚାଷୀମାନଙ୍କୁ ଏହି ଧାନବିହନ ଯୋଗାଇବାରେ ସୁବିଧା ହେଉଛି। ଏଥିରେ ଖୁବ୍‌ ଆନନ୍ଦ ମିଳୁଛି। ଅନ୍ୟପକ୍ଷେ ଏମାନଙ୍କ ବ୍ୟତୀତ ଆହୁରି ଅନେକ ଚାଷୀ ଅଚନ୍ତି ଯେଉଁମାନେ କି ଜୈବିକ ଚାଷ କରିବା ସହିତ ଏକାଧିକ କିସମର ଶସ୍ୟ ଓ ପନିପରିବା ବିହନ ସଂଗ୍ରହକରି ସୁରକ୍ଷିତ ରଖିଥିବାର ନଜିର ରହିଛି। ଏଥିଯୋଗୁ ବିଭିନ୍ନ କ୍ଷେତ୍ରରୁ ପୁରସ୍କୃତ ଓ ସମ୍ମାନିତ ହୋଇଥା’ନ୍ତି।

-ବନବିହାରୀ ବେହେରା, ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ‘ଟାଇଟାନିକ’ ଜାହାଜ କେଉଁଠି ନିର୍ମାଣ ହୋଇଥିଲା

ବିଶ୍ୱରେ ଅନେକ କିଛି ଜଣାଅଜଣା କଥା ରହିଛି ଯାହା ଅନେକ ସମୟରେ ଆଶ୍ଚର୍ଯ୍ୟ କରିଦେଇଥାଏ। ତେବେ ଆୟର୍ଲାଣ୍ଡ ଏପରି ଏକ ଦେଶ ଯେଉଁ ଦେଶରେ ଅନେକ...

ପିଠିରେ ସିଗ୍ନେଚର ଟାଟୁ

ଫ୍ଲୋରିଡାର ଜୁଆନ୍‌ ମତାସ୍‌ ଓରଫ ଫଙ୍କି ମତାସ୍‌ ଏବେ ତାଙ୍କ ଟାଟୁକୁ ନେଇ ବେଶ୍‌ ଚର୍ଚ୍ଚିତ। ଏମିତି ତ ଅନେକ ଲୋକ ଟାଟୁ କରୁଛନ୍ତି। କିନ୍ତୁ...

ଏହି ସହରରେ ମାଗଣା ମିଳୁଛି ଇଣ୍ଟରନେଟ୍‌ ସେବା

ଆଜିର ସମୟରେ ଇଣ୍ଟର୍‌ନେଟ୍‌ ସତେ ଯେପରି ଜୀବନର ଏକ ବଡ଼ ଅଂଶ ପାଲଟିଯାଇଛି। ସେ ଘର ହେଉ କି ଅଫିସ କିମ୍ବା ସର୍ବସାଧାରଣ ସ୍ଥାନ। ସବୁଠି...

ଯେଉଁଠି କାଦୁଅ ବୋଳାଯାଇ ବରଯାତ୍ରୀଙ୍କୁ କରାଯାଏ ସ୍ବାଗତ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ବିବାହ ଉତ୍ସବରେ ବରଯାତ୍ରୀଙ୍କୁ ଭଲ ଭାବେ ଚର୍ଚ୍ଚା କରାଯାଇଥାଏ। ତେବେ ଛତିଶଗଡ଼ ମାଝିଂ ଜନଜାତି ସମାଜରେ...

ଆନ୍ତର୍ଜାତିକ ପର୍ବତ ଦିବସ: ପାହାଡ଼ ହିଁ ଜୀବନ

ବିଶ୍ୱରେ ପ୍ରତିବର୍ଷ ୧୧ ଡିସେମ୍ବରରେ ପାଳନ କରାଯାଉଛି ‘ଆନ୍ତର୍ଜାତିକ ପର୍ବତ ଦିବସ’। ଅନ୍ତଃରାଷ୍ଟ୍ରୀୟ ସମୁଦାୟ ପାର୍ବତୀୟ କ୍ଷେତ୍ରର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିବା...

ଏମିତି ଶିଡ଼ି, ଯାହା ଆଗରୁ କେବେ ଦେଖି ନ ଥିବେ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ଏଥି ମଧ୍ୟରୁ କିଛି ଭିଡିଓ ଆମକୁ ଆଶ୍ଚର୍ଯ୍ୟ କରିଦେଇଥାଏ। ଠିକ୍‌ ସେମିତି ଗୋଟିଏ ଭିଡିଓ...

କୁକୁଡ଼ା ଛୁଆର ବିନ୍ଧୁଛି ଅଣ୍ଟା: କରୁଛି ବ୍ୟାୟାମ, ଭିଡିଓ ଦେଖିଲେ ହସିହସି ଗଡ଼ିିବେ..

କୁକୁଡ଼ା ଛୁଆକୁ ନେଇ ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ ହସକୁ ନିୟନ୍ତ୍ରଣ କରିପାରିବେ ନାହିଁ।...

୪୨ ବର୍ଷ ତଳେ ଏଲିଅନ୍‌କୁ ଗୁଳିମାଡ଼ କରିଥିଲା ଆମେରିକା !

ଓ୍ବାଶିଂଟନ, ୨୨।୯: ଏଲିଅନ୍‌ର ଉପସ୍ଥିତି ନେଇ ବହୁ କଥା ଶୁଣିବାକୁ ମିଳିଥାଏ। ଏହାକୁ ନେଇ ବହୁ ଫିଲ୍ମ ମଧ୍ୟ ହୋଇ ସାରିଛି। କେତେକ ଏହାକୁ କାଳ୍ପନିକ...

Advertisement
Archives

Model This Week