ସିଡୀ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ

କଟକ ଅଫିସ,୨୪।୭: କଟକ ନକଲି ଔଷଧ କାରବାରର ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସନ୍ନ ଜେନାଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ଜେନା ଓ କର୍ମଚାରୀ ସତ୍ୟପ୍ରକାଶ ମହାନ୍ତିଙ୍କ ଜାମିନ ଆବେଦନର ଶୁଣାଣିବେଳେ ହାଇକୋର୍ଟ କେସ୍‌ ଡାଏରୀ (ସିଡୀ) ଦାଖଲ ପାଇଁ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ସତ୍ୟପ୍ରକାଶଙ୍କର ତାରିଖ ଥିବାବେଳେ ଶୁକ୍ରବାର ଶୁଭଲକ୍ଷ୍ମୀଙ୍କର ଜାମିନ ଆବେଦନର ଶୁଣାଣି ରହିଥିଲା। ଜଷ୍ଟିସ ଦେବବ୍ରତ ଦାଶ ଏହି ଶୁଣାଣି କରିଛନ୍ତି। ହାଇକୋର୍ଟ ଉକ୍ତ ମାମଲାର ସିଡି ମଗାଇବା ସହ ଆସନ୍ତା ୨ ସପ୍ତାହ ପରେ ଏହାର ଶୁଣାଣି ହେବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଗତ ଜୁନ୍‌ ୧୧ରେ କଟକ କନିକା ଛକରେ ଥିବା ଶିବଙ୍କର ଔଷଧ ବିତରଣ କମ୍ପାନୀ ମେଡିଲଏଡ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ରେ ଡ୍ରଗ୍ସ କଂଟ୍ରୋଲର ଚଢାଉ କରି ୬୯ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଫାବିପିରାଭିର ଓ ଅନ୍ୟ କିଛି ଔଷଧ ଜବତ କରିଥିଲେ। ଏହି କମ୍ପାନୀ ମୁମ୍ବାଇର ମାକ୍ସ ରିଲିଫ ହେଲଥ କେୟାର କମ୍ପାନୀରୁ ବହୁ କମ୍‌ ଦାମରେ ଔଷଧ ଆମଦାନୀ କରୁଥିଲା। ଏପରିକି ଷ୍ଟ୍ରିପ ପିଛା ୬୫ ଟଙ୍କାରେ କିଣି ୧୨୯୦ ଟଙ୍କା ଲେଖାଏଁ ବିକ୍ରି କରିବାକୁ ଯୋଜନା କରୁଥିବା ତଦନ୍ତବେଳେ ଜଣାପଡିଥିଲା। ପରେ ନକଲି ଔଷଧ କାରବାର ଘଟଣାରେ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ଶିବ, ନିର୍ଦ୍ଦେଶିକା ଶୁଭଲକ୍ଷ୍ମୀ ଓ ୨ କର୍ମଚାରୀଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଥିଲା।