କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ ଆତଙ୍କିତ ହୋଇ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କୁ ଏକାଧିକ ଥର ଏହି ବିଷୟରେ ଅବଗତ କରାଇଥିଲେ। ସେଠାରୁ କିଛି ସୁଫଳ ନ ପାଇ ଗ୍ରାମବାସୀ ଜିଲା ପ୍ରଶାସନର ଦାରସ୍ଥ ହୋଇଥିଲେ। ନିଷ୍ପତ୍ତି ନେବାକୁ ବିଳମ୍ବ ହୋଇଥିବା ଅଭିଯୋଗ କରି ଚଳିତ ମାସ ୧୭ ତାରିଖରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୪ ଖଣ୍ଡ ଗ୍ରାମବାସୀଙ୍କ ଗୋପାଳପୁର ବନ୍ଦର ସମ୍ମୁଖରେ ଫାଟକ ବନ୍ଦ କରି ତୀବ୍ର ଗଣ ଆନ୍ଦୋଳନକୁ ଓହ୍ଲାଇଥିଲେ।

ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ସମୁଦ୍ରକୂଳ ଅନୁଧ୍ୟାନ କରିଥିଲେ। ଜିଲାପାଳଙ୍କ ହସ୍ତକ୍ଷେପ ପରେ ଗ୍ରାମବାସୀଙ୍କ ଦାବିକୁ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଜିଲା ପ୍ରଶାସନ, ବନ୍ଦର କର୍ତ୍ତୃପକ୍ଷ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଅଗଷ୍ଟ ୧୭ ତାରିଖରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ପ୍ରତ୍ୟେକ ଦିନ ବନ୍ଦର ପକ୍ଷରୁ ସମୁଦ୍ର କୂଳରେ ୫୦ ଟ୍ରିପ ପଥର ପକା ଯିବ। ଗାଁ ଲୋକଙ୍କ ଯାତାୟାତ ଲାଗି ଖାଇ ଯାଇଥିବା କୂଳ ପାର୍ଶ୍ୱରେ ମୋରମ ପକାଇ ନୂତନ ଭାବେ ରାସ୍ତା ନିର୍ମାଣ କରାଯିବ। ଏହା ଉପରେ ବିଧାୟକ ଏବଂ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ନିଷ୍ପତ୍ତିଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି।

ଗ୍ରାମବାସୀଙ୍କ ଦୈନିକ ଯାତାୟାତ ପାଇଁ କୂଳଠାରୁ ଅଳ୍ପ କିଛି ଦୂରରେ ଗୋପାଳପୁର ବନ୍ଦର ପକ୍ଷରୁ ପଥର ଓ ମୋରମ ପକାଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଅନ୍ୟପଟେ ସମୁଦ୍ର କୂଳ ଲଙ୍ଘନ ରୋକିବା ଏବଂ ତାହା ସହିତ କୂଳ ରକ୍ଷା କରିବା ପାଇଁ ଗୋପାଳପୁର ବନ୍ଦର ପକ୍ଷରୁ ପ୍ରତ୍ୟେକ ଦିନ ୫୦ ଟ୍ରିପ୍‌ ପଥର ଉଭୟ ପାର୍ଶରେ ପକାଇବା କାର୍ଯ୍ୟ କରାଯାଉଛି। ଏହି କାର୍ଯ୍ୟର ତଦାରଖ ଦାୟିତ୍ୱ ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳଙ୍କୁ ଦିଆଯାଇଛି। ଉପଜିଲାପାଳ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୟାନୁସାରେ ସମୀକ୍ଷା କରିବେ ବୋଲି ଜିଲାପାଳ କହିଛନ୍ତି।

ବୈଠକରେ ଜଳସେଚନ ବିଭାଗ ପକ୍ଷରୁ ସମୁଦ୍ର କୂଳରେ ସ୍ଥାୟୀ ଗାର୍ଡଓ୍ବାଲ୍‌ ନିର୍ମାଣ ପାଇଁ ୩୦୦ କୋଟି ଟଙ୍କାରୁ ଅଧିକ ବ୍ୟୟର ଏକ ଡିପିଆର୍‌ ପ୍ରସ୍ତୁତ କରାଯାଇଥିବା ଜିଲାପାଳ କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ମଞ୍ଜୁରୀ ମିଳିବା ପରେ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ ବ୍ରହ୍ମପୁରଠାରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ଗ୍ରାମବାସୀଙ୍କ ସହ ଛତ୍ରପୁର ଉପଜିଲାପାଳ ବରାଳ ଏବଂ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ପୁଣି ଏକ ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି।

Dharitri – Odisha’s No.1 Odia Daily

Share