ରାୟଗଡ଼ାରେ ଜନନୀ ଯନ୍ତ୍ରଣା, ମୃତ ସନ୍ତାନ ଜନ୍ମ ଦେଲେ ପ୍ରସୂତି

କାଶୀପୁର,୨୬।୧୦(ଜଗନ୍ନାଥ ଗୌଡ଼): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ୫ଦିନ ମଧ୍ୟରେ ୨ଟି ଘଟଣା ଜିଲାର ସ୍ବାସ୍ଥ୍ୟ ସେବାର ଚିତ୍ରକୁ ସ୍ପଷ୍ଟ କରୁଛି। ଶିଳ୍ପରେ ଭରା କାଶୀପୁର ବ୍ଲକର ସ୍ବାସ୍ଥ୍ୟ ସେବାକୁ ସତେ ଯେମିତି ସମସ୍ତେ ଆଖି ବୁଜି ଦେଇଛନ୍ତି।

ରାସ୍ତାଘାଟର ସୁବିଧା ନ ଥିବା ହେତୁ ଘାଟି ପାହାଡ଼ ଅଞ୍ଚଳରେ ଜନନୀ ଯନ୍ତ୍ରଣା ବଢ଼ି ଚାଲିଛି। ରବିବାର ସିଜିମାଳି ଅଞ୍ଚଳ ମାଳିପଦର ଗ୍ରାମର ଜଣେ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଭାରରେ ପାଞ୍ଚ କିଲୋମିଟର ବାଟ ବୋହି ନେବାର କରୁଣ ଦୃଶ୍ୟ ପଦାକୁ ଆସିଛି। ଡାକ୍ତରଖାନାକୁ ନେବା ପରେ ମହିଳା ଜଣକ ଏକ ମୃତ ସନ୍ତାନକୁ ଜନ୍ମ ଦେଇଛନ୍ତି ।

ସୂଚନାଯୋଗ୍ୟ, ସ୍ଥାନୀୟ ସୁଙ୍ଗେର ପଞ୍ଚାୟତ ଅନ୍ତର୍ଗତ ମାଳିପଦର ଗ୍ରାମର ଅର୍ଜ୍ଜୁନ ମାଝୀଙ୍କ ପତ୍ନୀ ସୁକୁ ମାଝୀ(୩୫)ଙ୍କ ରବିବାର ଗର୍ଭ ଯନ୍ତ୍ରଣା ହୋଇଥିଲା । ଖବରପାଇ ଆଶାକର୍ମୀ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ମାଳିପଦର ଗାଁକୁ ରାସ୍ତା ନ ଥିବାରୁ ଆଲିଗୁନା ଗ୍ରାମ ନିକଟରେ ଆମ୍ବୁଲାନ୍ସ ଅଟକି ରହିଥିଲା।

ପରିବାର ଲୋକେ ଗର୍ଭବତୀଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ପରେ ତାଙ୍କୁ ନିକଟସ୍ଥ ସୁଙ୍ଗେର ପିଏଚ୍‌ସିକୁ ଅଣାଯାଇଥିଲା। ସେଠାରେ ଡାକ୍ତର ନ ଥିବାରୁ କାଶୀପୁର ସିଏଚସିକୁ ନିଆଯାଇ ଥିଲା । ହେଲେ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନ ଥିବାରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ରାୟଗଡ଼ା ଡାକ୍ତର ଖାନାରେ ମହିଳା ଜଣକ ମୃତ ସନ୍ତାନକୁ ଜନ୍ମ ଦେଇଥିଲେ।

ସୂଚନାଯୋଗ୍ୟ, ଗତ ବୁଧବାର କାଶୀପୁର ବ୍ଳକର ସରମ୍ବାଇ ଗ୍ରାମର ଗୌଡ ସାହିର ସୁନାଧର ଗୌଡଙ୍କ ସ୍ତ୍ରୀ ବିମଳା ଗୌଡଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ରାସ୍ତା ନ ଥିବାରୁ ଗାଁଠାରୁ ଏକ କିଲୋମିଟର ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା । ଆମ୍ବୁଲାନ୍ସ କର୍ମଚାରୀ ଷ୍ଟେଚର ଧରି ବିମଳା ମାଝୀଙ୍କ ଘରେ ପହଞ୍ଚିବା ପୂର୍ବରୁ ଘରେ ପ୍ରସବ ହୋଇ ସାରିଥିଲା।

Share