ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ ମିଳିଛି ନୂଆ ସୁରାକ। ଶୁକ୍ରବାର ପଶ୍ଚିମବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌ ହୋଟେଲରୁ ୩ଜଣଙ୍କୁ ଆଣି ପଚରାଉଚରା କରାଯାଉଥିବାବେଳେ ଶନିବାର ଏହାର ମ୍ୟାନେଜରଙ୍କୁ ଉଠାଇ ଆଣିଛି ସ୍ପେଶାଲ ଟିମ୍‌। ପଚରାଉଚରା ସହ ସିସିଟିଭି ଯାଞ୍ଚରୁ ଓରାଙ୍ଗଉଟାନ ଚୋରାଚାଲାଣର ବହୁ ତଥ୍ୟ ମିଳିଛି। ସ୍ଥଳପଥରେ ମ୍ୟାନ୍‌ମାର ଦେଇ ପଶ୍ଚିମବଙ୍ଗ ଦୀଘାକୁ ଅଣାଯାଇଥିଲା ଓରାଙ୍ଗଉଟାନ। କୌଣସି ଏକ ରାଜ୍ୟର ଘରୋଇ ଫାର୍ମ ହାଉସ୍‌ ମାଲିକଙ୍କୁ ବହୁ କୋଟି ଟଙ୍କାରେ ବିକ୍ରି କରାଯାଇଥାନ୍ତା। ଏଥିପାଇଁ ଦୀଘା ଗ୍ରାଣ୍ଡ୍‌ ହେରିଟେଜ୍‌ ହୋଟେଲରେ ହୋଇଥିଲା ଡିଲ୍‌। ଏକ ଧଳା କାର୍‌ରେ ଗୋଟିଏ ବାକ୍ସରେ ଅଣାଯାଇଥିବା ଓରାଙ୍ଗଉଟାନ ଛୁଆଙ୍କୁ ହୋଟେଲ ଭିତରକୁ ନିଆଯାଇ ରଖାଯାଇଥିଲା। ହେଲେ କୌଣସି କାରଣରୁ ଡିଲ୍‌ ହୋଇ ନ ପାରିବାରୁ ଓ ଧରାପଡିବା ଭୟରେ ଶେଷରେ ଓରାଙ୍ଗଉଟାନ ଶାବକଙ୍କୁ ଉକ୍ତ ଜଙ୍ଗଲରେ ଛାଡି ପରେ ବିକ୍ରି ପାଇଁ ଯୋଜନା ଥିଲା। ତେବେ ଏହି ର଼୍ୟାକେଟ୍‌ର ମାଷ୍ଟରମାଇଣ୍ଡ୍‌ ଥିଲେ ଉକ୍ତ ହୋଟେଲର ମାଲିକ ଓ ତାଙ୍କ ପୁଅ। ସେମାନଙ୍କର ଅନ୍ତର୍ଜାତୀୟ ପ୍ରାଣୀ ଚାଲାଣକାରୀଙ୍କ ସହ ଲିଙ୍କ୍‌ ଥିବା ଏସ୍‌ଟିଏଫ୍‌ ତଦନ୍ତରୁ ଜାଣିବାକୁ ପାଇଛି। ତେବେ କେଉଁ ଫାର୍ମହାଉସ୍‌କୁ ଯାଇଥାନ୍ତେ ଓରାଙ୍ଗ୍‌ଉଟାନ୍‌ ଶାବକ, କେତେ ଟଙ୍କାର ଡିଲ୍‌ ହୋଇଥିଲା ଓ ଡିଲ୍‌ ବାତିଲର କାରଣ କ’ଣ, ତାହା ଜାଣିବାକୁ ଏସ୍‌ଟିଏଫ୍‌ ଅଧିକ ତଦନ୍ତ ଚଳାଇଛି। ୪ ହୋଟେଲ କର୍ମଚାରୀଙ୍କୁ ପଚରାଉଚରାବେଳେ ଉକ୍ତ ଫାର୍ମହାଉସ୍‌ର ଲିଙ୍କ ମିଳିଥିବାରୁ ଖୁବ୍‌ଶୀଘ୍ର ଏସ୍‌ଟିଏଫ୍‌ର ୩ଟି ଟିମ୍‌ ବିହାର, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ଯାଇ ପ୍ରମାଣ ଯୋଗାଡ଼

ଫାର୍ମ ହାଉସ ପାଇଁ …
କରିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଫେରାର ଥିବା ହୋଟେଲ ମାଲିକ ଓ ତାଙ୍କ ପୁଅକୁ ଧରିବା ପାଇଁ ପଶ୍ଚିମବଙ୍ଗ ଏବଂ ବାଲେଶ୍ୱର ଆଖପାଖରେ ଚଢାଉ କରାଯାଉଛି। ହୋଟେଲ ବାହାରେ ଲାଗିଥିବା ସିସିଟିଭି ଫୁଟେଜରେ ଦୁଇଟି କଳା ଓ ଧଳା କାର୍‌ ଆଗପଛ ହୋଇ ରହିଥିବା ଦେଖିବାକୁ ମିଳିଛି। ହୋଟେଲ ସାମ୍ନାରେ ଗାଡି ରଖି କେତେଜଣ ବ୍ୟକ୍ତି ଛିଡ଼ା ହୋଇ ଡିଲ କରୁଥିବା ସନ୍ଦେହ କରାଯାଉଛି। ଏପରିକି ଗାଡି ଭିତରୁ କେତେଜଣ ଲୋକ ବାହାରି ପରସ୍ପର ସହ କଥା ହେଉଥିବା ଦେଖିବାକୁ ମିଳୁଛି। ଏହାପରେ ଧଳା କାର ଡିକିରୁ ଏକ ବାକ୍ସକୁ କାଢି ହୋଟେଲ ଭିତରକୁ ନିଆଯାଉଛି। ଉକ୍ତ ବାକ୍ସରେ ଓରାଙ୍ଗ୍‌ଉଟାନ ଅଣାଯାଇଥିବା ସନ୍ଦେହ କରାଯାଉଛି। ସେହିଭଳି ଅନ୍ୟଏକ ଦୋକାନର ସିସିଟିଭି ଫୁଟେଜରୁ ଜଣାପଡୁଛି ଯେ, ଗତ ସୋମବାର ରାତି ୧୦ଟା ୫୬ରେ ଏକ କଳା ରଙ୍ଗର ଥାର୍‌ ଓ ତା’ ପଛେ ପଛେ ଆଉ ଏକ ଧଳା କାର୍‌ ଯାଉଥିଲା। ଏହି ଦୁଇଟି ଗାଡ଼ି ମୁଖ୍ୟ ରାସ୍ତା ଛାଡ଼ି ଗଳିକନ୍ଦିରେ ଘୂରି ବୁଲିଥିଲା। ଥାର୍‌ ଗାଡ଼ିଟି ରାତି ୧୧ଟା ୩୫ରେ ଭୋଗରାଇର ଓରାଙ୍ଗଉଟାନ ଉଦ୍ଧାରସ୍ଥଳକୁ ଯାଇ ୧୨ ମିନିଟରେ ଫେରିଥିବାର ଦୃଶ୍ୟ ଏକ ସାର ବିକ୍ରୟ କେନ୍ଦ୍ରର ସିସିଟିଭି କ୍ୟାମେରା ଫୁଟେଜରେ କଏଦ ହୋଇଛି।
ହୋଟେଲରେ ରହୁଥିଲେ ୬ ଚାଲାଣକାରୀ
ଓରାଙ୍ଗଉଟାନ କିଣିବାକୁ ଡିଲ୍‌ ହୋଇଥିବା ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌ ହୋଟେଲରେ ୬ଜଣ ଚାଲାଣକାରୀ ରହୁଥିଲେ। ୩ ଜଣଙ୍କ ନାମ ହୋଟେଲ ରେଜିଷ୍ଟରରେ ଉଲ୍ଲେଖ ରହିଛି। କିନ୍ତୁ ବାକି ୩ ଜଣଙ୍କ କୌଣସି ଠିକଣା ନାହିଁ। ୩ଜଣ ଅଟକଙ୍କ ଭିତରୁ ଜଣେ କଳା ଥାର୍‌ ଗାଡ଼ି ଚାଳକ ବୋଲି ସୂଚନା ମିଳିଛି। ମୋବାଇଲ୍‌ ବନ୍ଦ କରି ଫେରାର ଥିବା ହୋଟେଲ ମାଲିକ ଓ ତାଙ୍କ ପୁଅଙ୍କର ଦେଶ ବାହାରର ଜନ୍ତୁ ଚାଲାଣକାରୀଙ୍କ ସହ ଲିଙ୍କ୍‌ ରହିଥିବା ମଧ୍ୟ ଜାଣିବାକୁ ପାଇଛି ତଦନ୍ତକାରୀ ଟିମ୍‌।
୮ ଦିନ ଭିତରେ ମାମଲା ଉପରୁ ପରଦା ହଟିବ: ଡିଜିପି
ଡିଜିପି ବିନୟ ତୋଷ ମିଶ୍ରଙ୍କ ସୂଚନାନୁସାରେ, ଓରାଙ୍ଗଉଟାନ ଚୋରା ଚାଲାଣ ମାମଲାରେ ସ୍ପଷ୍ଟ ପ୍ରମାଣ ନ ମିଳିଲେ କାହାକୁ ଗିରଫ କରାଯାଇପାରିବ ନାହିଁ। ତେବେ ସନ୍ଦେହରେ ଥିବା ବ୍ୟକ୍ତିମାନଙ୍କୁ ଉଠାଇ ଆଣି ପଚରାଉଚରା କରାଯାଉଛି। ଓରାଙ୍ଗଉଟାନ ଲିଙ୍କ୍‌ର ଗୋଟିଏ ପରେ ଗୋଟିଏ କଡ଼ିକୁ ଯୋଡ଼ି ତଦନ୍ତ ଚଳାଇଛି ଏସ୍‌ଟିଏଫ୍‌। ବନ୍ୟପ୍ରାଣୀ ସମ୍ପର୍କିତ ମାମଲାରେ ଏସ୍‌ଟିଏଫ୍‌ର ସଫଳ ତଦନ୍ତର ରେକର୍ଡ ରହିଛି। ତେଣୁ ୮ ଦିନ ଭିତରେ ମାମଲା ଉପରୁ ପରଦା ହଟିବ ବୋଲି ଡିଜିପି କହିଛନ୍ତି।

Share