ଛତ୍ରପୁର,୧୯ା୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ): ଆଗାମୀ ୨୧ ତାରିଖରୁ ଗଞ୍ଜାମ ଜିଲା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ସହ ସତର୍କ ସୂଚନା ଜାରି କରିଛି। ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଥିବା ସକ୍ରିୟ ଲଘୁଚାପ ପ୍ରଭାବରେ ଏହି ବୃଷ୍ଟିପାତର ସମ୍ଭାବନା ରହିଥିବା ବେଳେ ବିଭାଗ ପକ୍ଷରୁ ଗଞ୍ଜାମ ଜିଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ସୂଚନାଯୋଗ୍ୟ ଯେ, ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଆଗାମୀ ଦିନରେ ବଙ୍ଗୋପସାଗରରେ ପହଞ୍ଚି ଉପକୂଳବର୍ତ୍ତୀ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା କରାଇବ। ୨୧ ରୁ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା ଜାରି ରହିବା ସହ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି।
ସେହିପରି ୨୨ ରୁ ୨୪ ତାରିଖ ମଧ୍ୟରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବା ସହ ପବନର ବେଗ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହି ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ୨୨ ରୁ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ କଡ଼ା ନିର୍ଦ୍ଦେଶ ଓ ବାରଣ କରାଯାଇଛି।