ନୂଆଦିଲ୍ଲୀ/ଚେନ୍ନାଇ,୧୬ା୪(ପି.ଟି./ଏଜେନ୍ସି): ସଂସଦରେ ଗୁରୁବାରଠାରୁ ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ବିରୋଧୀ ଦଳଗୁଡ଼ିକର ନେତାମାନେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ଏକାଠି ହୋଇଛନ୍ତି। ବୈଠକ ଶେଷରେ ସ୍ଥିର ହୋଇଥିବା ରଣନୀତି ସମ୍ପର୍କରେ ଖାର୍ଗେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଖାର୍ଗେ କହିଛନ୍ତି, ବିରୋଧୀ ମହିଳା ସଂରକ୍ଷଣକୁ ବିରୋଧ କରୁନାହାନ୍ତି। କିନ୍ତୁ ଏହାକୁ ଆଳକରି ସରକାର ଆଣିବାକୁ ଯାଉଥିବା ସମ୍ବିଧାନ ସଂଶୋଧନ ବିଧେୟକର ଡିଲିମିଟେଶନ୍ ପ୍ରକ୍ରିୟାକୁ ବିରୋଧ କରୁଛନ୍ତି। ତେଣୁ ଉକ୍ତ ବିଲ୍ ବିରୋଧରେ ମିଳିତ ଭାବେ ମତଦାନ କରିବେ ବୋଲି ସେମାନେ ନିଷ୍ପତ୍ତି ନେଇଛନ୍ତି।
ଉକ୍ତ ବୈଠକରେ ଇଣ୍ଡିଆ ବ୍ଲକ୍ର ଅନେକ ଦଳର ନେତା ସାମିଲ ହୋଇଥିଲେ। ଏନେଇ ଖାର୍ଗେ ଆହୁରି କହିଛନ୍ତି, ସରକାର ଉକ୍ତ ବିଲ୍କୁ ଯେପରି ଢଙ୍ଗରେ ଆଣୁଛନ୍ତି ତାକୁ ନେଇ ଆମର ଆପତ୍ତି ରହିଛି। ମହିଳା ସଂରକ୍ଷଣ ସଂକ୍ରାନ୍ତ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି। କେବଳ ବିରୋଧୀଙ୍କୁ ଦମନ କରିବା ପାଇଁ ସରକାର ଏସବୁ କରୁଛନ୍ତି। ଭାଜପା ନେତୃତ୍ୱାଧୀନ ସରକାର ଡିଲିମିଟେଶନ୍ ଉପରେ ଟ୍ରିକ୍ କରୁଛନ୍ତି। ତେଣୁ ସମସ୍ତ ଦଳ ଏହାକୁ ମିଳିତ ଭାବେ ବିରୋଧ କରିବାକୁ ଏକାଠି ହୋଇଛୁ। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଡିଲିମିଟେଶନ୍ କମିଶନ ଯେପରି ଭାବେ କାର୍ଯ୍ୟ କରୁଛନ୍ତି, ସେଥିରୁ କମିଶନ ଶାସକ ଦଳର ହାସବାରିସି ସାଜିଥିବା ସ୍ପଷ୍ଟ ହେଉଛି। ମହିଳା ସଂରକ୍ଷଣ କାର୍ଯ୍ୟକାରୀ ହେବା ଉଚିତ। କିନ୍ତୁ ସୀମା ପୁନଃ ନିର୍ଦ୍ଧାରଣକୁ ଆମେ ସମ୍ପୂର୍ଣ୍ଣ ବିରୋଧ କରୁଛୁ।
ବୈଠକରେ ଖାର୍ଗେଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଡିଏମ୍କେର ଟି.ଆର୍. ବାଲୁ, ଆର୍ଜେଡିର ତେଜସ୍ବୀ ଯାଦବ, ତୃଣମୂଳ କଂଗ୍ରେସ(ଟିଏମ୍ସି)ର ସାଗରିକା ଘୋଷ, ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ୍ ଓ ଅରବିନ୍ଦ ସାଓ୍ବନ୍ତ, ଏନ୍ସିପି-ଏସ୍ସିପିର ସୁପ୍ରିୟା ସୁଲେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ସିପିଆଇ ନେତା ଏ. ରାଜା, ସିପିଆଇଏମ୍ର ନୀଳୋତ୍ପଳ ବସୁ, ଆପ୍ ନେତା ସଞ୍ଜୟ ସିଂ, ସ୍ବାଧୀନ ଏମ୍ପି କପିଲ ସିବଲ, ଆଇୟୁଏମ୍ଏଲ୍ର ଇ.ଟି. ମହମ୍ମଦ ବଶିର ଏବଂ ଆର୍ଏସ୍ପିର ଏନ୍.କେ. ପ୍ରେମଚନ୍ଦ୍ରନ୍ ମଧ୍ୟ ଏଥିରେ ସାମିଲ ହୋଇଥିଲେ।
ସେପଟେ କେନ୍ଦ୍ରର ଏହି ପ୍ରସ୍ତାବକୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ବିରୋଧ ବଢ଼ିବାରେ ଲାଗିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ସୁପ୍ରିମୋ ଏମ୍.କେ. ଷ୍ଟାଲିନ୍ ବୁଧବାର ଦଳୀୟ ଏମ୍ପି ଏବଂ ଜିଲା ସମ୍ପାଦକମାନଙ୍କ ସହ ଭିଡିଓ କନ୍ଫରେନ୍ସ ଜରିଆରେ ଏକ ଜରୁରୀ ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି, ଆମ ମୁଣ୍ଡ ଉପରେ ଝୁଲୁଥିବା ଖଣ୍ଡା ଏବେ ଆମ ମୁଣ୍ଡରେ ଖସିପଡ଼ିଛି। ଏହି ବିପଦର ମୁକାବିଲା ପାଇଁ ରଣନୀତି ସ୍ଥିର କରିବା ସକାଶେ ସମସ୍ତ ରାଜ୍ୟର ଏମ୍ପିମାନଙ୍କ ସହ ଡିଏମ୍କେ ପକ୍ଷରୁ ଯୋଗାଯୋଗ କରାଯିବ। କେନ୍ଦ୍ର ସରକାର ତାମିଲନାଡୁ ଓ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ବିରୋଧରେ ଏକ ବୃହତ୍, ଐତିହାସିକ ଅନ୍ୟାୟ କରିବା ପାଇଁ ଯୋଜନା ରଖି ଗୁରୁବାର ଡିଲିମିଟେଶନ୍ ସଂଶୋଧନ ଆଣିବାକୁ ଯାଉଛନ୍ତି। ଭାରତର ପ୍ରଗତିରେ ଦକ୍ଷିଣ ରାଜ୍ୟଗୁଡ଼ିକର ଅବଦାନ ରହିଛି। ଏହା ବିରୋଧରେ ସରକାର ଦଣ୍ଡିତ କରିବାକୁ ଯାଉଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଭାଜପା ନିଅଁା ସହ ଖେଳୁଛି। ତାମିଲନାଡୁ ସାରା ଗୁରୁବାର ପ୍ରତ୍ୟେକ ଘରେ ଓ ସର୍ବସାଧାରଣ ସ୍ଥାନରେ କଳାପତାକା ଉଡ଼ାଯିବ ବୋଲି ଷ୍ଟାଲିନ୍ ଘୋଷଣା କରିବା ସହ କେନ୍ଦ୍ରକୁ ପଛଘୁଞ୍ଚା ଦେବାକୁ ଆହ୍ବାନ ଦେଇଛନ୍ତି। ଅନ୍ୟଥା କେନ୍ଦ୍ର ଏହାର ପରିଣାମ ଭୋଗିବ ବୋଲି ସେ କହିଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା, କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ୍, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ମଧ୍ୟ କେନ୍ଦ୍ରର ଉକ୍ତ ପ୍ରସ୍ତାବକୁ ଜୋର୍ଦାର ବିରୋଧ କରିଛନ୍ତି। କିନ୍ତୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ପ୍ରମୁଖ ସହଯୋଗୀ ତେଲୁଗୁ ଦେଶମ୍ ପାର୍ଟି (ଟିିଡିପି ) ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡ଼ୁ ଏନେଇ ସନ୍ତୁଳିତ ଆଭିମୁଖ୍ୟ ଆପଣାଇ ଭାଜପାକୁ ବିରୋଧ କରିବାକୁ ଚାହିଁନାହିଁ। ତେଲଙ୍ଗାନାର ବିରୋଧୀ ଦଳ ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ନେତା କେ.ଟି. ରାମାରାଓ କହିଛନ୍ତି, ଦକ୍ଷିଣ ଭାରତୀୟମାନେ ଏହାକୁ ବିରୋଧ କରିବା ଉଚିତ। ଆମ ରାଜନୈତିକ ସ୍ବରକୁ ଦୁର୍ବଳ କରିବାକୁ ଉଦ୍ୟମ ହେଲେ ଦକ୍ଷିଣାଞ୍ଚଳ ନୀରବଦ୍ରଷ୍ଟା ହୋଇ ରହିପାରିବ ନାହିଁ।