ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ):  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମ୍‌ ପିଲା ଥିବା ପ୍ରାୟ ୧୫ହଜାର ସରକାରୀ ସ୍କୁଲ ବନ୍ଦ ଓ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଛି। ଏହାକୁ ତୀବ୍ର ବିରୋଧ କରିଛି ଓଡ଼ିଶା ଅଭିଭାବକ ମହାସଂଘ। ଶିକ୍ଷା ବିଭାଗ ଇତିହାସରେ ଏହା ଏକ କଳଙ୍କିତ ଅଧ୍ୟାୟ କହିବା ସହ ତୁରନ୍ତ ଗଣଶିକ୍ଷା ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ମହାସଂଘ।
ମହାସଂଘ କହିଛି, ବନ୍ଦ କରାଯାଉଥିବା ଏହିସବୁ ସ୍କୁଲକୁ ସରକାର କରି ନ ଥିଲେ। ସେହି ଅଞ୍ଚଳର ବୁଦ୍ଧିଜୀବୀମାନେ ଶିକ୍ଷାର ଅଭିବୃଦ୍ଧି ଓ ଆଞ୍ଚଳିକ ବିକାଶକୁ ଅନୁଭବ କରି ନିଜ ଶ୍ରମ, ଧନ ଓ ଜମି ଦେଇ ସ୍କୁଲ୍‌ ପ୍ରତିଷ୍ଠା କରିବା ସହ ବହୁ କଷ୍ଟରେ ଚଳାଇଥିଲେ। ପରବର୍ତ୍ତୀ ସମୟରେ ସରକାର ସେସବୁକୁ ନିଜ ଅଧୀନକୁ ନେଇଥିଲେ। ସବୁଠାରୁ ପରିତାପର ବିଷୟ ହେଲା ସରକାରୀ ସ୍କୁଲ ନିକଟରେ ଥିବା ବିନା ସରକାରୀ ଅନୁବନ୍ଧିତ ତଥା ସିଓଆର ଓ ଏନ୍‌ଓସି ନ ଥିବା ସ୍କୁଲଗୁଡ଼ିକ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତାହାକୁ କାର୍ଯ୍ୟକାରୀ ନ କରି ଓଲଟା ଅଗଣତାନ୍ତ୍ରିକ ଭାବେ ସରକାରୀ ସ୍କୁଲ ବନ୍ଦ କରିଦେଉଛନ୍ତି। ସେପଟେ ପୁଣି ଥରେ ନୂତନ ଘରୋଇ ସ୍କୁଲଗୁଡ଼ିକ ସିଓଆର ପାଇଁ ଆବେଦନ କରିବାକୁ ଗଣଶିକ୍ଷା ବିଭାଗ ଚିଠି କରିଛି l ଏହା କେବଳ ଶିକ୍ଷାକୁ ବ୍ୟବସାୟୀକରଣ କରିବାର ଏକ ହୀନ ଚକ୍ରାନ୍ତ। ଏଥିରୁ ଘରୋଇ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ସହ ଭିତିରି ବୁଝାମଣା ଓ ଭାଗୀଦାରିତାର ବିରାଟ ଗନ୍ଧ ବାରି ହେଉଛି ବୋଲି ମହାସଂଘ ଅଭିଯୋଗ କରିଛି। ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ନିର୍ଦ୍ଦେଶକୁ ପ୍ରତ୍ୟାହାର ପାଇଁ ଆଦେଶ ଦିଅନ୍ତୁ ଓ ବେଆଇନ ଘରୋଇ ସ୍କୁଲଗୁଡ଼ିକ ବରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଯଦି ନିଷ୍ପତ୍ତି ପ୍ରତ୍ୟାହାର କରା ନ ଯାଏ ତେବେ ମହାସଂଘ ପକ୍ଷରୁ ବନ୍ଦ ହେଉଥିବା ସେହି ସ୍କୁଲର ଗାଁକୁ ଯାଇ ଅଭିଭାବକଙ୍କୁ ନେଇ ଏକ ଜନ ଆନ୍ଦୋଳନ କରାଯିବ ବୋଲି ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଆୟୋଜିତ ଖବରଦାତା ସମ୍ମିଳନୀରେ ଘୋଷଣା କରିଛନ୍ତି। ଏହି ଅବସରରେ ମହାସଂଘର ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟ୍ଟନାୟକ, ସତ୍ୟବ୍ରତ ପରିଜା ଓ ଶଙ୍କର୍ଷଣ ସାମନ୍ତରାୟ ଉପସ୍ଥିତ ରହି ସ୍କୁଲ୍‌ ବନ୍ଦ ବିରୋଧରେ ସ୍ବର ଉଠାଇଥିଲେ।
ସେପଟେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ମଧ୍ୟ ଏହାକୁ ବିରୋଧ କରାଯାଇଛି। ବିଦ୍ୟାଳୟ ଭାଙ୍ଗିବା ବା ବନ୍ଦ କରିବା ପୂର୍ବରୁ ବାରମ୍ବାର ତର୍ଜମା କରି ବିଭିନ୍ନ ଦିଗକୁ ବିଶ୍ଳେଷଣ କରି ପଦକ୍ଷେପ ନିଆଯାଉ। ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଓଷ୍ଟା ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।