କୃଷି ଆଇନକୁ ବରଗଡ଼ରେ ବିରୋଧ: ରାଜରାସ୍ତାରେ ଜଳିଲା ନିଆଁ

ବରଗଡ଼ ଅଫିସ,୮।୧୨: କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଉଛି। ଏହି କ୍ରମରେ ସାରାଦେଶରେ ଚାଷୀ ଆନ୍ଦୋଳନ ଜାରି ରଖିଥିବାବେଳେ ମଙ୍ଗଳବାର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ ମିଳିଛି। ବରଗଡ଼ ଜିଲାରେ ଏହା ମଧ୍ୟ ଦେଖିବାକୁ ମିଳିଛି। ଜିଲାରେ ଦୋକାନ, ବଜାର ବନ୍ଦ ଥିବାବେଳେ ବରଗଡ଼ ପଦ୍ମପୁର, ପାଇକମାଳ, ଅତାବିରା ଆଦି ଅଞ୍ଚଳରେ ରାସ୍ତା ଅବରୋଧ କରାଯାଇଛି। ବରଗଡ଼ ଗାନ୍ଧୀଛକ ସମେତ ଅନେକ ସ୍ଥାନରେ ଟାୟାର ଜାଳି ରାସ୍ତାରୋକ କରାଯାଇଛି। ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନୱୟ ସମିତି, ଜୟ କିଶାନ ଆନ୍ଦୋଳନ, ଆଞ୍ଚଳିକ କୃଷକ ମହାସଂଘ, ମାଣ୍ଡୋସିଲ, ରାଜବୋଡାସମ୍ବର କୃଷକ ସଂଗଠନ, ପାଇକମାଳ, ନବର୍ନିମାଣ କୃଷକ ସଂଗଠନ ସମେତ ବିଭିନ୍ନ ଚାଷୀ ସଂଗଠନ ପ୍ରମୁଖ ଏଥିରେ ସାମିଲ ହୋଇଛନ୍ତି। ସେହିପରି କଂଗ୍ରେସ, ଆମ୍‌ ଆଦମୀ ପାର୍ଟି ଭଳି ଅନେକ ରାଜନୈତିକ ସଂଗଠନ ଗୁଡ଼ିକ ମଧ୍ୟ ଏହାକୁ ସମର୍ଥନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।