୨ବର୍ଷ ନୂଆ ନିଯୁକ୍ତି ନ ହେବା ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି। ସେହି ଅନୁଯାୟୀ ଆଗକୁ ଆଉ କିଛି ନୂଆ ପଦବୀ ସୃଷ୍ଟି ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହେବାପରେ ବିରୋଧୀ ବର୍ଷିଛନ୍ତି। ଉଭୟ କଂଗ୍ରେସ ଏବଂ ଭାଜପା ଏହା ବିରୋଧରେ ମୁହଁ ଖୋଲିଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଅଭିନବ ଉପାୟରେ ଭିକ୍ଷାମାଗି, ଜୋତାପଲିସି କରି ଓଡ଼ିଶା ସରକାରଙ୍କ ଦୁଇବର୍ଷ ସରକାରୀ ନିଯୁକ୍ତି କାଟ୍‌କୁ ପ୍ରତିବାଦ କରାଯାଇଛି। ପ୍ରବାସୀ ଶ୍ରମିକମାନେ ଏବେ ବିନା କାମରେ ଘରେ ବସିଛନ୍ତି, ଏହି ମୁହୂର୍ତ୍ତରେ ସରକାରଙ୍କର ଏହି କଠୋର ନିଷ୍ପତ୍ତି ଓଡ଼ିଶାର ଶିକ୍ଷିତ ଯୁବତୀଯୁବକ ଏବଂ ସେମାନଙ୍କ ଅଭିଭାବକ ମାନସିକ ଚାପଗ୍ରସ୍ତ ହେବେ ବୋଲି ଲେଙ୍କା କହିଛନ୍ତି। ସେହିପରି ଏକ ପ୍ରେସ୍‌ ବାର୍ତ୍ତା ମାଧ୍ୟମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ଆଗାମୀ ଦୁଇବର୍ଷ ପାଇଁ ନିଯୁକ୍ତି ବନ୍ଦ ନିଷ୍ପତ୍ତି ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଷକୁ ୨ ଲକ୍ଷ କର୍ମନିଯୁକ୍ତି ଯୋଗାଇଦେବା ନେଇ ଆଗରୁ ଘୋଷଣା କରିଥିଲେ। କୋଭିଡ୍‌ ବିପତ୍ତି ସମୟରେ ଯେତେବେଳେ କର୍ମନିଯୁକ୍ତିର ଘୋର ଅଭାବ ଦେଖାଦେଇଛି ସେ ସମୟରେ ଲୋକଙ୍କୁ କର୍ମନିଯୁକ୍ତି ଦେବା ସରକାରଙ୍କ ପ୍ରାଥମିକତା ହେବା ଉଚିତ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି ଯେ, ୨୦ବର୍ଷ ଭିତରେ କେବଳ ଖର୍ଚ୍ଚ କାଟ କରି ସରକାର ଚଲାଇଛନ୍ତି। ସରକାରୀ ନିଯୁକ୍ତିକୁ ୨ ବର୍ଷ ଲାଗି ବନ୍ଦ କରିବା ନିଷ୍ପତ୍ତିି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିଜ ଦାୟିତ୍ୱରୁ ଖସିଯିବାର ଏକ ଷଡ଼ଯନ୍ତ୍ର ବୋଲି ପ୍ରଦୀପ୍ତ ଅଭିଯୋଗ କରିଛନ୍ତି। ବିରୋଧୀ ଏଭଳି ଅଭିଯୋଗ କରୁଥିବାବେଳେ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ନିଯୁକ୍ତି ବନ୍ଦ ହୋଇନାହିଁ। ଚାଲିଥିବା ପ୍ରକ୍ରିୟା ଜାରି ରହିବ। ଦୁଇବର୍ଷ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ। କେତେକେ ଭାବୁଛନ୍ତି ନିଯୁକ୍ତି ବନ୍ଦ ହୋଇଗଲା। ମାତ୍ର ପ୍ରକୃତ କଥା ହେଲା, କୌଣସି ନୂଆ ପଦବୀ ସୃଷ୍ଟି ହେବନାହିଁ। କିଛି ସମୟ ପର୍ଯ୍ୟନ୍ତ କେବଳ ନୂଆ ପଦବୀ ସୃଷ୍ଟି ଉପରେ କଟକଣା ଲାଗିଛି। ଖାଲି ଥିବା ପଦବୀ ପୂରଣ ହେବ ବୋଲି ଅର୍ଥ ବିଭାଗ ସ୍ପଷ୍ଟୀକରଣ ରଖିଛି।