ବିଜେଡି ନାଁରେ ଟଙ୍କା ବଣ୍ଟା ଅଭିଯୋଗ ଆଣିଲେ ବିରୋଧୀ

ଭୁବନେଶ୍ବର,୨ା୧୧(ବ୍ୟୁରୋ): ରାଜନୀତି ପାଣି ଗୋଳିଆ କରିବାର ୨୨ ବର୍ଷର ଅଭିଜ୍ଞତା ବିଜେଡି ପାଖରେ ଅଛି। ଅତୀତରେ ହୋଇଥିବା ଉପନିର୍ବାଚନରେ କଳ, ବଳ, କୌଶଳ ବ୍ୟବହାର କରି ଶାସକ ଦଳ ବୁଥ୍‌ ରିଗିଂ, ଭୋଟ ବାକ୍ସ ବୋହିନେବା, ଜୋର ଜବରଦସ୍ତ ବାଲଟ ପେପର ଉପରେ ମୋହର ମାରିବା ଆଦି ଅଗଣତାନ୍ତ୍ରିକ କାର୍ଯ୍ୟ କରି ଭୋଟ ହାତେଇଥିଲା। ଏଥର ମଧ୍ୟ ଧାମନଗର ଉପନିର୍ବାଚନରେ ବିଜେଡି ପୋଲିସ ପ୍ରଶାସନ ଓ ଏସ୍‌ଏଚ୍‌ଜିର ସିଆରପି, ଏମବିକେ ମହିଳାଙ୍କ ସହାୟତାରେ ଟଙ୍କା ବାଣ୍ଟୁଛି ବୋଲି ଭାଜପା ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି। ଆସନ୍ତା ୩ ତାରିଖ ନିର୍ବାଚନ ଥିବାରୁ ମଙ୍ଗଳବାର ଏବଂ ବୁଧବାର ୨ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅବାଧ, ନିରପେକ୍ଷ ଓ ମୁକ୍ତ ନିର୍ବାଚନ ନିମନ୍ତେ ସିଇଓ ବ୍ୟାପକ ଏବଂ କଡ଼ାକଡ଼ି ବ୍ୟବସ୍ଥା ଗ୍ରହଣ କରିବା ସହ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବାକୁ ଲେଖାଶ୍ରୀ ଅନୁରୋଧ କରିଛନ୍ତି। ଅନ୍ୟପଟେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ବିଜେଡି ଉପନିର୍ବାଚନରେ ବିଜୟୀ ହେବା ପାଇଁ ବ୍ୟାପକ ଅର୍ଥ କାରବାର ଚଳାଇଛି। ମିଶନ ଶକ୍ତି ମହିଳାଙ୍କ ଜରିଆରେ ବ୍ୟାପକ ଅର୍ଥ କାରବାର ଚାଲିଛି। ସେହିପରି ସରକାରୀ କଳ, ବଳ ସବୁ ଶାସକ ଦଳ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଲାଗିପଡିଛନ୍ତି। ପ୍ରଶାସନିକ ଅଧିକାରୀମାନେ ନିରପେକ୍ଷତା ଅବଲମ୍ବନ କରୁ ନ ଥିବା ସୁରେଶ ଅଭିଯୋଗ କରିଛନ୍ତି। ବିଜେଡି କିନ୍ତୁ ଉଭୟ ଭାଜପା ଏବଂ କଂଗ୍ରେସ କଥାକୁ ସମାଲୋଚନା କରିଛି। ବିଜେଡି ନେତା ଲେନିନ ମହାନ୍ତି କହିଛନ୍ତି, ଭାଜପା ମିଛର ଭଣ୍ଡାର ଖୋଲିଛି। ଏବେଠାରୁ ଏହି ଉପନିର୍ବାଚନରେ ପରାଜୟ ଜାଣି ଭାଜପା ନେତାମାନେ ସବୁଦିନ ମିଛ କଥା କହିଚାଲିଛନ୍ତି।