ଅଫ୍‌ଲାଇନ୍‌ରେ ଡିଏଲ୍‌ଏଡ୍‌ ପରୀକ୍ଷା ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ୱର, ୧୧। ୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୪ରୁ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରୀ ଏଜୁକେଶନ (ଡିଏଲ୍‌ଏଡ୍‌) ପ୍ରଥମ ଓ ଶେଷବର୍ଷ ପରୀକ୍ଷା ଆରମ୍ଭ ହେବ। ରାଜ୍ୟର ପ୍ରାୟ ୧୩,୫୦୦ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବେ। ଏହି ପରୀକ୍ଷାକୁ ଅଫ୍‌ଲାଇନରେ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବାରୁ ଏହାର ତୀବ୍ର ପ୍ରତିବାଦ କରିଛନ୍ତି ପରୀକ୍ଷାର୍ଥୀ। କରୋନା ସଂକ୍ରମଣ ଏଡ଼ାଇବା ପାଇଁ ବିଏଡ୍‌ ପରୀକ୍ଷା ଅନଲାଇନ୍‌ ମାଧ୍ୟମରେ କରାଯାଇଥିଲା। କିନ୍ତୁ ଡିଏଲ୍‌ଏଡ୍‌ ପରୀକ୍ଷା କାହିଁକି ଅଫ୍‌ଲାଇନ୍‌ରେ କରାଯିବ ସେନେଇ ଅଖିଳ ଭାରତ ଛାତ୍ରସଂଘ ଓ ନିଖିଳ ଓଡ଼ିଶା ଡିଏଲ୍‌ଏଡ୍‌ ଛାତ୍ରସଂଘ ପକ୍ଷରୁ ସରକାରଙ୍କୁ ପ୍ରଶ୍ନ କରାଯାଇଛି। ଶନିବାର ଏଆଇଏସ୍‌ଏଫ୍‌ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସଭାପତି ସଂଘମିତ୍ରା ଜେନା କହିଛନ୍ତି, ପରୀକ୍ଷା କେନ୍ଦ୍ର ୧୦୦ରୁ ୧୫୦କି.ମି. ଦୂରତାରେ ହୋଇଥିବାବେଳେ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ଯାତାୟତ, ପରୀକ୍ଷା ପାଇଁ ୧୫ଦିନ ରହଣି, ପରୀକ୍ଷାର୍ଥୀ ଓ ପରିବାରବର୍ଗଙ୍କ କରୋନା ପରୀକ୍ଷା ବ୍ୟବସ୍ଥା ସମ୍ପର୍କରେ ସରକାର ଚିନ୍ତା ନ କରି ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ଅନେକ ଛାତ୍ରୀଛାତ୍ରଙ୍କ ଜୀବନହାନି ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ସରକାର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର ନ କଲେ ୧୨ ତାରିଖରେ ଏହି ଛାତ୍ରୀଛାତ୍ରମାନେ ନବୀନ ନିବାସ ଘେରାଉ କରିବେ ବୋଲି ଏଆଇଏସ୍‌ଏଫ୍‌ ଓ ନିଖିଳ ଓଡ଼ିଶା ଡିଏଲ୍‌ଏଡ୍‌ ଛାତ୍ରସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।