ଶିମିଳିପାଳ ପାଦଦେଶରେ ଅଫିମଚାଷ

ବାରିପଦା, ୨୫ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଚାଲିଥିଲା ଅଫିମ ଚାଷ। ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଶନିବାର ଚଢାଉ କରି ଦୁଇଟି ସ୍ଥାନରେ ହୋଇଥିବା ୧୩ହଜାର ଅଫିମ ଗଛକୁ ପୋଡି ନଷ୍ଟ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୨୬ଲକ୍ଷ ୧୩ହଜାର ଟଙ୍କା ହେବ। ଏ ସଂକ୍ରାନ୍ତରେ ପୋଲିସ ପୃଥକ ମାମଲା ରୁଜୁ କରିଥିବା ବେଳେ କାହାରିକୁ ଗିରଫ କରିବାରେ ସଫଳ ହୋଇପାରିନାହିଁ।
ଯଶୀପୁର ଥାନା ଅଧୀନ ଶିମିଳିପାଳ ସଂଲଗ୍ନ ପଡାଗଡ ପଞ୍ଚାୟତର ବୁନ୍ଦେଇପୋଷି ଓ ଧଳବଣି ପଞ୍ଚାୟତର ଠାକୁରଗୋଡା ଗ୍ରାମରେ ଅଫିମ ଚାଷ ହୋଇଥିବା ପୋଲିସ ଖବର ପାଇଥିଲା। ମୟୂରଭଞ୍ଜ ଏସ୍‌ପି ଏସ୍‌. ସୁଶ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା। ମାଜିଷ୍ଟ୍ରେଟ ଭାବେ ଯଶୀପୁର ତହସିଲଦାରଙ୍କ ନେତୃତ୍ୱରେ କରଞ୍ଜିଆ ଏସ୍‌ଡିପିଓ, ଯଶୀପୁର ଆଇଆଇସି, ଅବକାରୀ ଓ ବନବିଭାଗ ସଦଳବଳେ ପଡାଗଡ ପଞ୍ଚାୟତର ବୁନ୍ଦେଇପୋଷି ଗ୍ରାମରେ ପହଞ୍ଚି ୭ ଡିସିମିଲ ଜମିରେ ୩ହଜାର ଅଫିମ ଗଛକୁ ଓପାଡି ପୋଡି ନଷ୍ଟ କରିଥିଲେ। ଯାହାର ବଜାର ମୂଲ୍ୟ ୬ଲକ୍ଷ ଟଙ୍କା। ସେହିପରି ଧଳବଣି ପଞ୍ଚାୟତ ଠାକୁରଗୋଡା ଗ୍ରାମରେ ପହଞ୍ଚି ୨୧ ଡିସିମିଲ ଜମିରେ ୧୦ହଜାର ଅଫିମ ଗଛକୁ ପୋଡି ନଷ୍ଟ କରିଛନ୍ତି। ଯାହାର ବଜାର ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏନେଇ ଯଶୀପୁର ପୋଲିସ ପକ୍ଷରୁ ଏନଡିପିଏସ୍‌ ଆକ୍ଟରେ ପୃଥକ ମାମଲା ରୁଜୁ ସହିତ ମିଳିତ ବିଭାଗର କର୍ମଚାରୀ ଗୋଟି ଗୋଟି ଗଛ ଓପାଡି ଠୁଳ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କିରୋସିନ ଢାଳି ନିଆଁ ଲଗାଇ ନଷ୍ଟ କରିଛନ୍ତି। ଘଟଣାରେ କାହାରିକୁ ଗିରଫ କରାଯାଇ ନ ଥିବା ପୋଲିସ ଡିଏସ୍‌ପି ଦୋଳମଣି ଭୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଶିକାର ଓ ଶିକାରୀଙ୍କ ଉପରେ ଅଙ୍କୁଶ ଆଣିବା ପାଇଁ ଯୁଗ୍ମ ଟାସ୍କଫୋର୍ସ ନିୟୋଜନ ସହିତ ବ୍ୟାପକ ଧରପଗଡ ପରେ ରେକର୍ଡ ସଂଖକ ବନ୍ଧୁକ ଜବତ କରାଯାଉଥିବା ବେଳେ ଶିମିଳିପାଳ ସଂଲଗ୍ନ ଅଞ୍ଚଳରେ ଅଫିମ ଚାଷ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।