ହାଟଡ଼ହୀ,୧୨l୧୧(ଶୁଭକାନ୍ତ ନାୟକ): କେନ୍ଦୁଝର ଏସ୍ପିଙ୍କ ଅପରେସନ ବୈତରଣୀ ଅଭିଯାନକୁ ବାଲି ମାଫିଆଙ୍କ ବେଖାତିର। ବାରମ୍ବାର ଚଢ଼ାଉ, ଗାଡ଼ି ଜବତ ହେଉଥିଲେ ହେଁ ମାଫିଆ ଖୋଲମଖୁଲା ବାଲି ଚୋରାଚାଲାଣ କରୁଛନ୍ତି।
ମଙ୍ଗଳବାର ରାତିରେ ପୋଲିସ, ତହସିଲ ପ୍ରଶାସନ, ଖଣି ବିଭାଗର ମିଳିତ ଚଢ଼ାଉରେ ୧୦ଟି ବେଆଇନ ବାଲି ବୋଝେଇ ହାଇୱା ଜବତ ହୋଇଥିଲା। ଚଢ଼ାଉରେ ଅନେକ ଗାଡ଼ି ଚାଳକ ଧରାପଡ଼ିବା ଭୟରେ ରାସ୍ତା ଉପରେ ବାଲି ଢାଳି ଗାଡ଼ି ନେଇ ଫେରାର ହୋଇଯାଇଥିଲେ।
ପୁଣି ବୁଧବାର ରାତିରେ ନନ୍ଦିପଦା ପୋଲିସ ଚଢ଼ାଉ କରି ବେଆଇନ ବାଲି ପରିବହନ କରୁଥିବା ୩ଟି ହାଇୱାକୁ ରମ୍ପାସ ରାସ୍ତାରୁ ଜବତ କରିଛି। ଚଢ଼ାଉ ସମୟରେ ଗାଡି ଚାଳକମାନେ ଗାଡି ଛାଡ଼ି ଫେରାର ହୋଇଯାଇଥିଲେ। ଥାନା ଅଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି କହିଛନ୍ତି, ଜବତ ହାଇୱାଗୁଡ଼ିକୁ ଥାନାକୁ ଆଣି ରଖାଯାଇଛି। ୩ଟି ମାମଲା ପଞ୍ଜିକରଣ ହୋଇଛି। ସେହିପରି ଆନନ୍ଦପୁର ପୋଲିସ ମଧ୍ୟ ୨ଟି ବାଲି ବୋଝେଇ ହାଇୱା ଜବତ କରିଥିବା ସୂଚନା ମିଳିଛି।