ଅଣାୟତ୍ତ ବେଳେ ଖୋଲିଦେଲେ

ପୁରୀ ଅଫିସ, ୨୩।୯:ପୁରୀ ଜିଲାରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ସେପ୍ଟେମ୍ବର ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି। ତେବେ ଏଭଳି ସମୟରେ ପର୍ଯ୍ୟଟକଙ୍କ ଆଗମନ ଉପରୁ କଟକଣା ହଟାଇବା ସହ ହୋଟେଲ, ରେଷ୍ଟୁରାଣ୍ଟ, ବେଳାଭୂମି ଆଦି ଖୋଲି ଦିଆଯାଇଛି। ଏଥିଯୋଗୁ ସଂକ୍ରମଣ ହାର ଉଦ୍‌ବେଗଜନକ ଭାବେ ବଢିବାରେ ଲାଗିଛି। ଏପ୍ରିଲ ୩ରେ ଜିଲାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପୂର୍ବରୁ ଦେଶବ୍ୟାପୀ ଲକ୍‌ଡାଉନ ଜାରି ହୋଇଥିଲା। ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ସମେତ ହୋଟେଲ, ରେଷ୍ଟୁରାଣ୍ଟ ଆଦି ବନ୍ଦ ରହିଥିଲା। ଶ୍ରୀମନ୍ଦିର, ବେଳାଭୂମିକୁ ଯିବାରେ କଟକଣା ଥିଲା। ଏହି ସମୟରେ ପୁରୀରୁ ପଜିଟିଭ ସଂଖ୍ୟା କମ୍‌ ରହୁଥିଲା। ମାତ୍ର ଲକ୍‌ଡାଉନ, ଶଟ୍‌ଡାଉନ ସବୁ କଟକଣା କୋହଳ ପରେ ସଂକ୍ରମିତଙ୍କ ସଂଖ୍ୟା ବଢିବାକୁ ଲାଗିଲା। ଅଗଷ୍ଟ ଶେଷ ସୁଦ୍ଧା ୩,୫୦୦ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେପ୍ଟେମ୍ବର ଆରମ୍ଭରୁ ସ୍ଥିତି ଅଣାୟତ୍ତ ହୋଇପଡ଼ିଲା। ଏବେ ମୋଟ ପଜିଟିଭ ସଂଖ୍ୟା ୮,୬୫୨ରେ ପହଞ୍ଚତ୍ଲାଣି। ସବୁଠୁ ଉଦ୍‌ବେଗର ବିଷୟ ହେଉଛି, ଏବେ ପୁରୀକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଥିବା କଟକଣା ହଟାଇ ଦିଆଯାଇଛି। ଜୀବନ ଜୀବିକାକୁ ଆଗକୁ ବଢାଇବା ଲାଗି ହୋଟେଲ, ରେଷ୍ଟୁରାଣ୍ଟ ଆଦି ସମେତ ବ୍ଲୁ ଫ୍ଲାଗ ବିଚ୍‌ ଖୋଲିଦିଆଯାଇଛି। ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନକୁ ମାନି ଏ ସବୁକୁ ପ୍ରଶାସନ ଖୋଲିଦେଇଛି। ଏହା ପରଠାରୁ ଜିଲାର କରୋନାଗ୍ରାଫ୍‌ ଉପରମୁହଁା ହୋଇଛି। ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଦ୍ର୍ରୁତଗତିରେ ବଢୁଛି। ସେପେ୍‌ଟମ୍ବର ୧ରେ ମୃତ୍ୟୁସଂଖ୍ୟା ୧୩ ଥିବାବେଳେ ବର୍ତ୍ତମାନ ୩୮ ଛୁଇଁଲାଣି। ଏପର୍ଯ୍ୟନ୍ତ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ାଯାଉ ନାହିିଁ। ନିକଟ ଭବିଷ୍ୟତରେ ଯଦି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ମିଳେ ତେବେ କରୋନା ସ୍ଥିତି ଆହୁରି ବିଗିଡ଼ି ପାରେ। ସେବାୟତମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଥିବାରୁ ଚିନ୍ତା ବଢିଲାଣି। ଏ ସବୁକୁ ଦୃଷ୍ଟିରେ ରଖି ପୁରୀ ଉପରେ ସ୍ବତନ୍ତ୍ର ଗୁରୁତ୍ୱ ଦିଆଯିବା ଦରକାର ବୋଲି ମହେଶ୍ୱର ବେହେରାଙ୍କ ସମେତ ଅନେକ ବୁଦ୍ଧିଜୀବୀ କହିଛନ୍ତି। ଏ ନେଇ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ପୁରୀର କରୋନା ସ୍ଥିତି ସମ୍ପର୍କରେ ସରକାର ଅବଗତ ଅଛନ୍ତି। ଏ ନେଇ ବ୍ୟବସ୍ଥା କରାଯାଉଛି। ପୁରୀ ଜିଲାରେ ନୂତନ କୋଭିଡ୍‌ ହସ୍ପିଟାଲ ଖୋଲିବା ପାଇଁ ଯୋଜନା ରହିଛି।