ବେନାମୀ ଚିଠି ଖୋଲିଲା ଗୁମର

ନୂଆପଡ଼ା ଅଫିସ,୯।୧୧: ନୂଆପଡ଼ା ସଦର ଥାନା ଟାୱାଟ ପଞ୍ଚାୟତ ରତିପାଲି ଗାଁର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ନିଖୋଜ ଘଟଣାର ଗୁମର ଖୋଲିଛି ବେନାମୀ ଚିଠି। ଚିଠିରେ ଲେଖାଥିବା ୫ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ମଙ୍ଗଳବାର ସଦର ଥାନା ପୋଲିସ ନିଖୋଜ ଛାତ୍ରୀଙ୍କ କଙ୍କାଳ ଏକ ଧାନ କିଆରିରୁ ମାଟି ଖୋଳି ଜବତ କରିଛି। ଏହାର ସବିଶେଷ ତଥ୍ୟ ତଦନ୍ତ ପରେ ଦିଆଯିବ ବୋଲି ଏସ୍‌ଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ କହିଛନ୍ତି। ପ୍ରାପ୍ତ ସୂଚନା ମୁତାବକ, ସଦର ଥାନା ରତିପାଲି ଗାଁର ଧନିରାମ ନାଏକଙ୍କ ଝିଅ ହିତେଶ୍ୱରୀ ନାଏକ (୧୭) ଏକଲବ୍ୟ ବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷରେ ପଢ଼ୁଥିଲେ। ଗତବର୍ଷ ଡିସେମ୍ବରରେ ବଡ଼ଦିନ ଛୁଟିରେ ଘରକୁ ଆସିଥିଲେ। ଜାନୁୟାରୀ ୩ ତାରିଖ ରାତିରେ ଖାଇବା ପରେ କୋଠରିରେ ଶୋଇବାକୁ ଯାଇଥିଲେ। ତାଙ୍କ ମା’ ସୁମିତ୍ରା ରାତି ପ୍ରାୟ ୨ଟାରେ ଘରୁ ବାହାରିବା ସମୟରେ ଦେଖିଲେ ଯେ, ଝିଅ କୋଠରିରେ ନାହିଁ। ଏ ନେଇ ତାଙ୍କ ସ୍ବାମୀ ଧନିରାମଙ୍କୁ ଏ ବିଷୟରେ ଜଣାଇଥିଲେ। ପରିବାର ଓ ପଡ଼ୋଶୀମାନେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ। ଜାନୁୟାରୀ ୯ରେ ଧନିରାମ ନୂଆପଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ। ସଦର ଥାନା ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିଲା। ପ୍ରାୟ ୧୦ ମାସ ପରେ ଗାଁର ଜଣେ ଯୁବକ ତୁମ ଝିଅକୁ ହତ୍ୟା କରି ମାଟିରେ ପୋତି ଦିଆଯାଇଛି ବୋଲି ଗତ ୨୫ ତାରିଖରେ କହିଥିଲେ। ଏହା ପରେ ଗାଁର ଲୋକଙ୍କୁ ନେଇ ଏକ ବୈଠକ କରାଯାଇ ଅଭିଯୁକ୍ତ କିଏ ବୋଲି ଖୋଜା ଚାଲିଥିଲା। ହଠାତ ଏକ ବେନାମୀ ଚିଠି ଧନିରାମଙ୍କ ନାମରେ ସେହି ଦିନ ଆସିଥିଲା। ସେହି ଚିଠିରେ ତୁମର ଝିଅ ହିତେଶ୍ୱରୀଙ୍କୁ ୫ଜଣ ଯୁବକ ମାରି ମାଟିରେ ପୋତି ଦେଇଛନ୍ତି ବୋଲି ଉଲ୍ଲେଖ ରହିଥିଲା। ଚିଠିରେ ୫ଜଣ ଯୁବକଙ୍କ ନାମ ମଧ୍ୟ ଲେଖାଯାଇଥିଲା। ଚିଠି ତଳେ ମୁଁ ଛତିଶଗଡ଼ ମହାସମୁନ୍ଦ୍ରର ତୁମର ଜଣେ ହିତାକାଂକ୍ଷୀ। ଓଡ଼ିଶା ଯାଇଥିବା ବେଳେ ଏହି ଖବର ଶୁଣିଲି ବୋଲି ଲେଖାଯାଇଥିଲା। ସେହି ଚିଠି ଆଧାରରେ ଗତ ୨ ତାରିଖରେ ପୁଣି ସଦର ଥାନାରେ ବାପା ଧନିରାମ ଅଭିଯୋଗ କରିଥିଲେ। ଚିଠିରେ ଲେଖାଥିବା ୫ଜଣ ଯୁବକଙ୍କୁ ସଦର ଥାନା ପୋଲିସ ଅଟକ ରଖି ପଚରାଉଚରା କରିଥିଲା। ହତ୍ୟା ପ୍ରମାଣ ନଷ୍ଟ କରିବା ପାଇଁ ମାରି ନିଆଁରେ ପୋଡି ପୋତି ଦେଇଥିବା ସେହି ଯୁବକମାନେ ସ୍ବୀକାର କରିଥିଲେ। ତାଙ୍କୁ ମାରି ପୋତି ଥିବା ଏକ ଧାନ କିଆରି ସ୍ଥାନ ଦେଖାଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ ନୂଆପଡା ଉପଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ନୂଆପଡା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଇନ୍ଦ୍ରମଣି ବେହେରା, ସଦର ଥାନା ଆଇଆଇସି ନିର୍ମଳ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ଅଭିଯୁକ୍ତମାନେ ଦେଖାଇଥିବା ଧାନ କିଆରିକୁ ଯାଇଥିଲେ। ଧାନ ସଫା କରି ଜେସିବି ସାହାଯ୍ୟରେ ମାଟି ଖୋଳି ଛାତ୍ରୀଙ୍କ କଙ୍କାଳ ଜବତ କରାଯାଇଛି।