କଟକଣା ଭିତରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲୁ: ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଜୟନ୍ତ

ପୁରୀ ଅଫିସ,୧୯ା୧୦: କରୋନା କଟକଣାକୁ ପାଳନ କରି ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବାକୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମତ ରଖିଛନ୍ତି। ଏ ନେଇ ସେ ରବିବାର ସାମାଜିକ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଜୟନ୍ତ ତାଙ୍କ ପୋଷ୍ଟରେ ଉଲ୍ଳେଖ କରିଛନ୍ତି ଯେ, ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଐତିହ୍ୟ କରିଡ଼ରର ସୌନ୍ଦର୍ଯ୍ୟକରଣ ଏବଂ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏ ସମ୍ପର୍କିତ ଫଟୋ ଦେଖି ସେ ଖୁସିବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହା ଯେପରି ବେଶ୍‌ ଶୃଙ୍ଖଳିତ ଭାବେ ଆୟୋଜନ କରାଯାଇଥିଲା ଠିକ୍‌ ସେହିପରି ସାଧାରଣ ଭକ୍ତଙ୍କ ପାଇଁ ଆୟୋଜନ କରାଯାଇ ଦର୍ଶନ ବ୍ୟବସ୍ଥା ହେଉ। କରୋନା କଟକଣା ପାଳନ କରି ଯେପରି ଭକ୍ତମାନେ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେଥିଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉ ବୋଲି ଜୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।