ବିପଦ ସାଜିଛି ମୁକୁଳା ଡ୍ରେନ୍‌

କାଏମା,୮ା୧୦(ଶିବପ୍ରସାଦ ମହାନ୍ତି):ମୁକୁଳା ଡ୍ରେନ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟୁଛି। ଡ୍ରେନ୍‌ରେ ପଡ଼ି ଲୋକେ ମୃତାହତ ହେଉଛନ୍ତି। ଏହାସତ୍ତ୍ୱେ ଅଘଟଣ ଏଡାଇବା ପାଇଁ ପ୍ରଶାସନର ଚେତା ପଶୁନାହିଁ। ଏବେ ମଧ୍ୟ ଅନେକ ସ୍ଥାନରେ ଡ୍ରେନଗୁଡ଼ିକ ମୁକୁଳା ଅବସ୍ଥାରେ ରହିଛି। ଧର୍ମଶାଳା ବ୍ଲକ୍‌ର ଜାରକା ବଜାର ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ଜାରକା ଅଞ୍ଚଳର ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ୱର ଦୁଇ ଘରୋଇ ସ୍କୁଲ ନିକଟରେ ନିର୍ମିତ ଡ୍ରେନ୍‌ର କିଛି ସ୍ଥାନ ମୁକୁଳା ହୋଇ ପଡ଼ିଛି। ଢାଙ୍କୁଣି ସମ୍ପୂର୍ଣ୍ଣ ଭାବେ ଘୋଡ଼ା ହୋଇନାହିଁ। ଅନ୍ୟ ଏକ ସ୍ଥାନରେ ବହୁ ଦିନ ହେବ ଡ୍ରେନ୍‌ ଢାଙ୍କୁଣୀ ଭାଙ୍ଗିଯାଇଛି। ଏହି ରାସ୍ତା ଦେଇ ପ୍ରତ୍ୟେକଦିନ ଛୋଟ ପିଲା ସ୍କୁଲକୁ ଯିବା ଆସିବା କରନ୍ତି। ତେଣୁ ସେମାନେ ବହୁ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏହାଛଡ଼ା ସେଠାର ବହୁ ଗାଡ଼ି ଗ୍ୟାରେଜ, ଚକ୍ଷୁ ହସ୍ପିଟାଲ ରହିଥିବାରୁ ଅନେକ ସମୟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳେ। ସେହିପରି ମୁକୁଳା ଡ୍ରେନରେ ବିଭିନ୍ନ ସମୟରେ ଗୋରୁ ପଡ଼ି ଆହତ ହେଉଛନ୍ତି। ଲୋକେ ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏ ଦିଗରେ ଦୃଷ୍ଟିଦେବାକୁ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନେ ଦାବି କରିଛନ୍ତି।