Posted inଫୁରସତ

ସଫଳତା ପରେ ହିଁ ବାସ୍ତବ ସଂଘର୍ଷ

ମନର ଭାବକୁ ଶବ୍ଦର ରୂପ ଦେବା ମଣିଷଟିଏ ହେଉଛନ୍ତି ଗୀତିକାର ଅରୁଣ ମନ୍ତ୍ରୀ। ତାଙ୍କ ଲିଖିତ ପ୍ରଥମ ଭଜନ ‘ତୁଳସୀ କ୍ଷେତ୍ରରେ ବଳଦେବ ଖ୍ୟାତ’କୁ ଭଜନ ସମ୍ରାଟ ଭିକାରୀ ବଳ ଗାଇଥିଲେ। କେବଳ ଭଜନ ନୁହେଁ, ଆଲ୍‌ବମ୍‌, ଯାତ୍ରା, ଓଡ଼ିଆ ଚଳଚ୍ଚିତ୍ର ପାଇଁ ଗୀତ ଲେଖି ସେ ବେଶ୍‌ ଲୋକପ୍ରିୟ ହୋଇପାରିଛନ୍ତି। ‘ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା’ ଗୀତ ପାଇଁ ସେ ରାତାରାତି ଚର୍ଚ୍ଚାକୁ ଆସିଥିଲେ। ଇତିମଧ୍ୟରେ ସେ ୨ଶହରୁ ଊର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ର ଗୀତ, ୨ ହଜାରରୁ ଊର୍ଦ୍ଧ୍ୱ ଭଜନ, ଆଲବମ୍‌, ଯାତ୍ରା ପାଇଁ ଗୀତ ରଚନା କରି ସାରିଛନ୍ତି। ଜଗତ୍‌ସିଂହପୁର ଜିଲା ମଣିଜଙ୍ଗା ଗ୍ରାମରେ ତାଙ୍କର ଜନ୍ମ। କଟକକୁ କର୍ମଭୂମି ଭାବେ ବାଛିନେଇଥିବା ଅରୁଣ ମନ୍ତ୍ରୀଙ୍କ ସହ ଧରିତ୍ରୀର ବନ୍ଦନା ସେଠୀଙ୍କ ଆଳାପ।

ପ୍ରଶ୍ନ- ସଙ୍ଗୀତ କ୍ଷେତ୍ରକୁ କେମିତି ଆସିଲେ?
ଉତ୍ତର- ସ୍କୁଲରେ ପଢ଼ିବା ବେଳୁ କବିତା ଲେଖାଲେଖି କରୁଥିଲି। କଲେଜ ପଢ଼ିବା ସମୟରେ ମୋର ଏକ ଗୀତ ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମରେ ବାଜିଲା। ଏହାପରେ ମୋର ଗୀତ ଲେଖା ନେଇ ଆଗ୍ରହ ବଢ଼ିଲା। ଗଁ।ରୁ କଟକ ପାଠ ପଢ଼ିବା ପାଇଁ ଆସିଥିଲି। ପାଠପଢ଼ା ସହ ଗୀତ ଲେଖୁଥିଲି ଏବଂ ବହୁ ସଙ୍ଗୀତ ନିର୍ଦ୍ଦେଶକଙ୍କ ପାଖକୁ ଯାଉଥିଲି। ଅନେକ ଥର ନିରାଶ ହେବାକୁ ପଡିଥିଲା। ନୂଆ ପିଲା ବୋଲି କେତେଜଣ କାମ ଦେଇ ନ ଥିଲେ। ହେଲେ ସରୋଜ ନନ୍ଦଙ୍କ ନିର୍ଦ୍ଦେଶନାରେ ମୋର ଭଜନ ରିଲିଜ୍‌ ହେବା ପରେ ଧୀରେ ଧୀରେ କାମ ମିଳିଥିଲା।
ପ୍ରଶ୍ନ- ଆପଣ ଇଞ୍ଜିନିୟରିଂ କରି ସଙ୍ଗୀତକୁ ଜୀବିକା ଭାବେ ବାଛିନେଲେ। ଏନେଇ ପରିବାରର ସମର୍ଥନ ମିଳିଥିଲା କି?
ଉତ୍ତର- ପ୍ରଥମେ ପ୍ରଥମେ ସମର୍ଥନ ମିଳି ନ ଥିଲା। ମୁଁ ଗୀତକୁ ପ୍ରଫେସନ କରିବା ପର୍ଯ୍ୟନ୍ତ ଅନ୍ୟ କେହି ଏହାକୁ ପ୍ରଫେସନ ଭାବେ ଗ୍ରହଣ କରି ନ ଥିଲେ। ଯେଉଁମାନେ ସଙ୍ଗୀତ ସହ ଜଡ଼ିତ ଥିଲେ ସେମାନେ ପ୍ରାୟ ସଙ୍ଗୀତ ବ୍ୟତୀତ ଚାକିରି କିମ୍ବା ବ୍ୟବସାୟ କରୁଥିଲେ। ତେଣୁ ଗୀତ ଲେଖି ଯେ ପେଟ ପୋଷି ପାରିବି ସେ ଭରସା ଘର ଲୋକଙ୍କର ନ ଥିଲା। ଇଞ୍ଜିନୟରିଂ କ୍ୟାରିୟରକୁ ଛାଡି ଗୀତ ଲେଖୁଛି ବୋଲି କେତେ ମାନ ଅଭିମାନ ମଧ୍ୟ କରିଥିଲେ। ହେଲେ ବାପା ଜଗବନ୍ଧୁ ମନ୍ତ୍ରୀ ନିଜେ ୨ଟା ନାଟକ ଲେଖିବା ସହ ଅନେକ ନାଟକରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ତେଣୁ କେଉଁଠି ନା କେଉଁଠି ମୁଁ ଗୀତ ଲେଖେ ବୋଲି ତାଙ୍କର ଆଶୀର୍ବାଦ ଥିଲା, ଯାହା ମତେ ସଫଳତା ଦେଇଛି।
ପ୍ରଶ୍ନ- ସଫଳତା ପାଇଲେଣି, ଭବିଷ୍ୟତକୁ କିଭଳି ଦେଖୁଛନ୍ତି?
ଉତ୍ତର- ୨୫ବର୍ଷର କ୍ୟାରିୟର ଭିତରେ ସଂଘର୍ଷ କରିଚାଲିଛି। ସଂଘର୍ଷ ନ ଥିଲେ ସଫଳତା ମିଳେନାହିଁ। କହିବାକୁ ଗଲେ, ସଫଳତା ପାଇବା ପରେ ହିଁ ବାସ୍ତବ ସଂଘର୍ଷ ଆରମ୍ଭ ହୁଏ। ଆଗରୁ କ’ଣ ଲେଖିବା ନ ଲେଖିବା ତାହାର ଭୟ ନ ଥାଏ। କିନ୍ତୁ ଥରେ ସଫଳତା ପାଇବା ପରେ ମନରେ ଭୟ ଆସେ ଓ ସତର୍କ ହେବାକୁ ପଡେ। କ’ଣ ଲେଖିବି, ଶ୍ରୋତାମାନେ ତାକୁ କିପରି ଗ୍ରହଣ କରିବେ, ସେହି ଭାବନା ହିଁ ସଂଘର୍ଷ। ଜୀବନର ପ୍ରତି କ୍ଷେତ୍ରରେ ସଂଘର୍ଷ ଥିଲା, ଅଛି, ରହିବ ଓ ଏହା ରହିବା ମଧ୍ୟ ଦରକାର।
ପ୍ରଶ୍ନ- ଶ୍ରେଷ୍ଠ ଗୀତିକାର ଭାବେ ଦୁଇଥର ରାଜ୍ୟ ପୁରସ୍କାର ପାଇଛନ୍ତି। ଆଗକୁ ଆଉ କ’ଣ ଆଶା ରହିଛି?
ଉତ୍ତର- ପୁରସ୍କାର ପାଇବା ନ ପାଇବା ଭାଗ୍ୟର କଥା। ପରିସ୍ଥିତି ଓ ସମୟ ଗୀତ ଲେଖିବାକୁ ବାଧ୍ୟ କରେ। ବେଳେବେଳେ ଗୀତ ହୃଦୟରୁ ଆସେ। ଯେ ପର୍ଯ୍ୟନ୍ତ ମତେ ଶ୍ରୋତାମାନେ ଖୋଜୁଥିବେ ସେ ପର୍ଯ୍ୟନ୍ତ ଗୀତ ଲେଖୁଥିବି। ମୋର ଆଶା ଶ୍ରୋତାମାନେ ମତେ ଖୋଜୁଥା’ନ୍ତୁ ଏବଂ ସେମାନଙ୍କ ମନଜାଣି ମୁଁ ଲେଖୁଥାଏ।
ପ୍ରଶ୍ନ-ସଙ୍ଗୀତ ନିର୍ଦ୍ଦେଶନା କିମ୍ବା ସଂଳାପ ଲେଖିବା ଇଚ୍ଛା ଅଛି କି?
ଉତ୍ତର- ନଁ।, ନିର୍ଦ୍ଦେଶନା ଦେବାର ତ ପ୍ରଶ୍ନ ଉଠୁନାହିଁ। ଆଉ ସଂଳାପ ଲେଖିବା ପାଇଁ ମତେ ପୂର୍ବରୁ ୨/୩ଟି ଅଫର ଆସିଛି, ମାତ୍ର ମୁଁ ମନା କରିଛି। ମୋ ମତରେ ଏବେ ମୁଁ ଚାଲିଚାଲି ବାଟମଙ୍ଗଳା ପାଖକୁ ଆସିଲିଣି। ସେଠାରୁ ସିଂହଦ୍ୱାର ମୋ ପାଇଁ ଆଉ ଅଳ୍ପ ବାଟ। ଏତେ ପାଖରୁ ବାଟଭାଙ୍ଗି ଆଉ କୁଆଡେ ଯିବି, ସେ ଭାବନା ଆସିନାହିଁ। ଯଦି ପରିସ୍ଥିତି ବାଧ୍ୟ କରିବ ତେବେ ସଂଳାପ ଲେଖିବା କଥା ଚିନ୍ତା କରିବି।
ପ୍ରଶ୍ନ- ଏବେକାର ଓଡ଼ିଆ ଗୀତରେ ହିନ୍ଦୀ ଓ ଇଂଲିଶ ଭାଷାର ପ୍ରୟୋଗ ହେଉଛି। ଏହାଦ୍ୱାରା ଓଡ଼ିଆ ଗୀତର ମୌଳିକତା ନଷ୍ଟ ହେଉଛି କି?
ଉତ୍ତର- ଆମ ସମାଜରେ ସବୁ ସମୟରେ ଅନୁପ୍ରବେଶ ଘଟିଛି। କେତେବେଳେ ସାହିତ୍ୟରେ ତ କେତେବେଳେ ସଙ୍ଗୀତରେ। ଏପରି କି ଆମ ଦେଶରେ ମଧ୍ୟ ଅନୁପ୍ରବେଶ ହେଉଛି। ଏହା ଯୁଗେଯୁଗେ ରହି ଆସିଛି। ମାତ୍ର ଅନୁପ୍ରବେଶ ଚିରସ୍ଥାୟୀ ନୁହେଁ। ବେଳେବେଳେ ପରିସ୍ଥିତି ବାଧ୍ୟ କରିଥାଏ ଗୀତରେ ହିନ୍ଦୀ ଏବଂ ଇଂଲିଶ ଭାଷା ପ୍ରୟୋଗ କରିବା ପାଇଁ। ତେବେ ଏହାଦ୍ୱାରା ନିଶ୍ଚିତପକ୍ଷେ ଓଡ଼ିଆ ଗୀତର ମୌଳିକତା ନଷ୍ଟ ହେଉଛି। ତେଣୁ ଯେତେଦୂର ସମ୍ଭବ ଆମକୁ ଅନ୍ୟ ଭାଷାର ପ୍ରୟୋଗ ନ କରିବା ଦରକାର।
ପ୍ରଶ୍ନ- ନୂଆପିଢ଼ି ପାଇଁ ଗୀତ ରଚନା ସମ୍ପର୍କରେ କ’ଣ କହିବେ?
ଉତ୍ତର- ଗୀତ ଲେଖିବାବେଳେ ମତେ ଲାଗେ ମୁଁ ନୂଆକରି ଲେଖୁଛି। ନୂଆ ଗୀତିକାର ହୋଇ ନ ଲେଖିଲେ ଜଣେ ଭଲ ଗୀତ ଲେଖିପାରିବ ନାହିଁ। ଗୀତ ଲେଖିବା ବେଳେ ସଙ୍ଗୀତ ସହିତ ସେଥିରେ ସାହିତ୍ୟ ରହିବା ଜରୁରୀ। ଏଥିସହ ଗୀତ ଲେଖିବାବେଳେ ତାହା ଯେଭଳି ସବୁ ବର୍ଗର ଲୋକଙ୍କୁ ଭଲ ଲାଗିବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ସ୍ଥାନ, କାଳ, ପାତ୍ରର ଜ୍ଞାନ ରହିବା ଦରକାର।
ପ୍ରଶ୍ନ- ଯାତ୍ରା ଓ ଚଳଚ୍ଚିତ୍ର ପାଇଁ ଗୀତ ଲେଖାରେ କ’ଣ ପାର୍ଥକ୍ୟ ରହିଛି?
ଉତ୍ତର- ଯାତ୍ରା ପାଇଁ ଗୀତ ଲେଖିବା କଷ୍ଟ। କାରଣ ଦିନ, ରାତି, ଖରା, ବର୍ଷା ସବୁ ସେଇ ଗୋଟିଏ ଷ୍ଟେଜ୍‌ରେ ହୋଇଥାଏ। ତେଣୁ ସେଠାରେ ବେଶି କିଛି କରିବାର ସୁଯୋଗ ନ ଥାଏ। ମାତ୍ର ଚଳଚ୍ଚିତ୍ରରେ କିଛି ବି ଲେଖିହୋଇ ପାରିବ। ଚଳଚ୍ଚିତ୍ରରେ ଗୀତ ଅନୁଯାୟୀ ଶଟ୍‌ ନେବେ। ଦୁଇଟା ଯାକରେ କାହାଣୀର ଚାହିଦାକୁ ଦେଖି ଗୀତ ଲେଖିବାକୁ ପଡ଼ୁଥିଲେ ବି ଫିଲ୍ମରେ ସ୍ବାଧୀନତା ଥାଏ।
ପ୍ରଶ୍ନ- କେଉଁଭଳି ଗୀତ ଲେଖିବାକୁ ଭଲ ଲାଗେ?
ଉତ୍ତର- ମୋ ଗୀତରେ ଆପଣାପଣ ରହିଛି। ସମସ୍ତଙ୍କ ହୃଦୟର କଥା ମତେ ଲେଖିବାକୁ ଭଲଲାଗେ। ଜଣେ ପ୍ରେମ କଲେ ତା’ ମନରେ କ’ଣ ଭାବନା ଥିବ ଏବଂ ବିରହରେ ତା’ର ମନର ଦୁଃଖ କିଭଳି ଥିବ ତାହା ବୁଝିବାକୁ ଚେଷ୍ଟା କରେ। ସାଧାରଣ ଲୋକର ମନକଥାକୁ ଶବ୍ଦରେ ରୂପ ଦିଏ। ସବୁ ପ୍ରକାର ଗୀତ ଲେଖିଛି, ହେଲେ ବିରହ ଓ ରୋମାଣ୍ଟିକ୍‌ ଗୀତ ଲେଖିବାକୁ ବେଶି ଭଲ ଲାଗେ।
ପ୍ରଶ୍ନ- ତାହାହେଲେ ଆପଣ ବି ପ୍ରେମରେ ପଡ଼ିଥିବେ?
ଉତ୍ତର- ପ୍ରେମ ବିନା ତ ଜୀବନ ସମ୍ଭବ ନୁହେଁ। ତେବେ ସବୁ ପ୍ରେମ କ’ଣ ସିନ୍ଦୂରରେ ସରେ…। ଭଲପାଇବା ଏକ ଆକର୍ଷଣ, ଏକ ଅନୁଭବ। ମୁଁ ବି ଭଲପାଇଛି। କେତେବେଳେ ମାଟିକୁ ଭଲପାଇଛି ତ ଆଉ କେତେବେଳେ ଫୁଲ, ନିଜ ଗାଁ, ଦେଶ, ମୋ ବୋଉ, ସ୍ତ୍ରୀ, ଝିଅ ଓ ଶ୍ରୋତା ସଭିଁଙ୍କୁ ଭଲପାଇଛି। ଭଲପାଇବାରେ ମିଠା ମିଠା ଦୁଷ୍ଟାମି ଭରି ରହିଥାଏ।
ପ୍ରଶ୍ନ- ଦୁଷ୍ଟାମିର କିଛି ଅନୁଭୂତି?
ଉତ୍ତର- ମୁଁ ଛୋଟବେଳେ ପ୍ରବଳ ଦୁଷ୍ଟ ଥିଲି। ଏବେ ଟିକେ ବଦଳିଯାଇଛି। ଆମ ବାଡ଼ିରେ ଗୋଟେ କୂଅ ଥିଲା। ପିଲାବେଳେ ସବୁ ଜିନିଷ ନେଇ ମୁଁ ସେ କୂଅରେ ପକାଇ ଦେଉଥିଲି। ଘର ତିଆରି କରିବା ପାଇଁ ଆମ ବାଡ଼ିରେ ବାଲି ଗଦା ହୋଇ ଥାଏ। ଦିନେ ମୋ ଦୁଷ୍ଟାମିରେ ଅତିଷ୍ଠ ହୋଇ ବାପା ମତେ ନେଇକି ସେହି ବାଲିରେ ବେକ ପର୍ଯ୍ୟନ୍ତ ପୋତି ଦେଇଥିଲେ। ଏବେ ବି ମୁଁ ଦୁଷ୍ଟ ଅଛି। କାରଣ ଦୁଷ୍ଟାମି ନ ଥିଲେ କ’ଣ ଗୀତ ଲେଖିହବ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri