ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ ଅବଧି ଶେଷହେବାକୁ ଆଉ ମାତ୍ର ୨ ଦିନ ବାକି। ଏପର୍ଯ୍ୟନ୍ତ ଜିଲାର ପ୍ରାୟ ଅଧାଚାଷୀ ପଞ୍ଜୀକରଣରୁ ବଞ୍ଚିତ ଅଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଚାଷୀ ପଞ୍ଜୀକରଣ କରିପାରିବେ କି ନାହିଁ, ତାହାକୁ ନେଇ ଆଶଙ୍କା ବଢ଼ିଛି।
୨୦୨୫-୨୬ ଖରିଫ ଋତୁରେ ଜିଲାର ୫୦,୯୧୯ ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ଚଳିତ ବର୍ଷ ଅଗଷ୍ଟ ୨୬ ସୁଦ୍ଧା ମାତ୍ର ୨୪,୩୬୧ (୪୭.୮୪%) ଚାଷୀ ପଞ୍ଜୀକରଣ କରିଛନ୍ତି। ତେବେ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ୨୭,୩୦୦ରେ ପହଞ୍ଚତ୍ଛି। ଜିଲାର ୧୩ ଲ୍ୟାମ୍ପ୍ସ ମାଧ୍ୟମରେ ପଞ୍ଜୀକରଣ ଚାଲିଛି। ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ୍ସରେ ସର୍ବାଧିକ ୭୩.୬୬% ଚାଷୀ ପଞ୍ଜୀକରଣ କରିଥିବା ବେଳେ କୋଷାଗୁମୁଡାରେ ସର୍ବନିମ୍ନ ୩୦.୬୧% ପଞ୍ଜୀକରଣ ହୋଇଛି। ଚନ୍ଦାହାଣ୍ଡିରେ ୬୪.୭୩, ଝରିଗାଁ ୬୩.୯୦, ଅଞ୍ଚଳଗୁମ୍ମା ୬୧.୧୫, କୋଡ଼ିଙ୍ଗା ୫୯.୦୮, ପାପଡ଼ାହାଣ୍ଡି ୫୦.୬୯, ମଇଦଲପୁର ୪୮.୬୨, ଡାବୁଗାଁ ୪୩.୩୨, ନନ୍ଦାହାଣ୍ଡି ୪୨.୫୬, ନବରଙ୍ଗପୁର ୪୧.୨୪, ରାଇଘର ୩୮.୮୭ ଏବଂ ଉମରକୋଟରେ ୩୭.୪୧ ପ୍ରତିଶତ ଚାଷୀ ପଞ୍ଜୀକରଣ କରିଛନ୍ତି।
ଅନେକ ସ୍ଥାନରେ ସର୍ଭର ଡାଉନ୍ ସମସ୍ୟା ଯୋଗୁ ପଞ୍ଜୀକରଣ ବାଧାପ୍ରାପ୍ତ ହେଉଛି। ଫଳରେ ସକାଳଠାରୁ ରାତି ପର୍ଯ୍ୟନ୍ତ ଲ୍ୟାମ୍ପ୍ସ କାର୍ଯ୍ୟାଳୟଗୁଡ଼ିକରେ ଚାଷୀଙ୍କ ପ୍ରବଳ ଭିଡ଼ ଲାଗିରହୁଛି। ସରକାର ଘୋଷଣା କରିଥିବା ୭୮ଟି ନୂତନ ଲ୍ୟାମ୍ପ୍ସ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ପୁରୁଣା ୧୩ଟି ଲ୍ୟାମ୍ପ୍ସ ଉପରେ ସମସ୍ତ ଚାଷୀ ନିର୍ଭର କରୁଛନ୍ତି। ଏହା ପଞ୍ଜୀକରଣ ପ୍ରକ୍ରିୟାକୁ ଧିମା କରିଥିବା ଅଭିଯୋଗ ହୋଇଛି। ଅବଶିଷ୍ଟ ଚାଷୀଙ୍କ ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି କରାଯିବ କି ନାହିଁ, ତାହା ଏବେ ଚାଷୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।