ସିଭିଲ ସର୍ଭିସ୍‌ ପରୀକ୍ଷାରେ ଚୟନ ପ୍ରାର୍ଥୀଙ୍କୁ ଅନ୍‌ଲାଇନ ତାଲିମ

ଭୁବନେଶ୍ୱର,୨୧।୭(ବ୍ୟୁରୋ):  କରୋନା ପାଇଁ ଆବଶ୍ୟକ ହୋଇପଡିଥିବା ଲକ୍‌ଡାଉନ ଏବଂ ସାମାଜିକ ଦୂରତା ନିୟମକୁ ବିଚାର କରି ରାଜ୍ୟ ସରକାର ୨୦୧୮ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଅନ୍‌ଲାଇନ୍‌ ମୋଡ୍‌ରେ ତାଲିମ ଦେବା ପାଇଁ ନିଷ୍ପତ୍ତି କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନୂଆକରି ସିଭିଲ ସର୍ଭିସ୍‌କୁ ପ୍ରବେଶ କରୁଥିବା ଯୁବତୀ, ଯୁବକମାନଙ୍କ ଉପଯୁକ୍ତ ଅନୁପ୍ରେରଣା ଓ ଦକ୍ଷତା ବୃଦ୍ଧି ନିମନ୍ତେ ସର୍ବୋତ୍ତମ ତାଲିମ ଏବଂ ମୂଲ୍ୟାଙ୍କନ ମଡ୍ୟୁଲ ପ୍ରସ୍ତୁତ କରିବାକୁ ମୁଖ୍ୟ ସାସନ ସଚିବ ବିଭିନ୍ନ ତାଲିମ ଅନୁଷ୍ଠାନଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ଅଗଷ୍ଟ ୪ରୁ ଏହି ତାଲିମ ଆରମ୍ଭ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି, ଓଡିଶା ଲୋକସେବା ଆୟୋଗଙ୍କଠାରୁ ମିଳିଥିବା ତାଲିକା ଅନୁଯାୟୀ ୬୦ଜଣ ପ୍ରାର୍ଥୀ ଓଡିଶା ପ୍ରଶାସନିକ ସେବା, ୬୧ଜଣ ଓଡିଶା ରାଜସ୍ବ ସେବା, ୧୫ ପୋଲିସ ସେବା, ୩୧ ଟ୍ୟାକ୍ସ ଓ ଆକାଉଣ୍ଟ ସେବା ଏବଂ ୧୬ ଓଡିଶା ଶିକ୍ଷା ସେବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କୁ ସମ୍ପୃକ୍ତ ସେବା ପାଇଁ ଉଦ୍ଦିଷ୍ଟ ରାଜ୍ୟସ୍ତରୀୟ ତାଲିମ କେନ୍ଦ୍ରରେ ତାଲିମ ମିଳିବ। ବର୍ତ୍ତମାନ ରାଜ୍ୟରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ, ମଧୂସୁଦନ ଦାସ ଆର୍ଥିକ ପରିଚାଳନା ଆଞ୍ଚଳିକ ପ୍ରତିଷ୍ଠାନ, ରାଜସ୍ବ ଅଧିକାରୀ ତାଲିମ ପ୍ରତିଷ୍ଠାନ ଏବଂ ଜଙ୍ଗଲ ସେବା ତାଲିମ ଅନୁଷ୍ଠାନଗୁଡିକ ରହିଛି। ଏହିସବୁ ଅନୁଷ୍ଠାନରେ ଅନ୍‌ଲାଇନ୍‌ ଟ୍ରେନିଂ ନିମନ୍ତେ ଭିତ୍ତିଭୂମି ଓ ପ୍ରସ୍ତୁତି ଆଦି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଛନ୍ତି।