୯ରୁ ଏସ୍‌ସିବି ଓପିଡି ପାଇଁ ଅନ୍‌ଲାଇନ ଟିକେଟ ବୁକିଂ

କଟକ ଅଫିସ,୨୯ା୪: ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କୁ ଏଣିକି ଟିକେଟ ଲାଗି ଆଉ ଲମ୍ବାଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ। ଏଥର ଅନ୍‌ଲାଇନରେ ଟିକେଟ ବୁକିଂ କରିହେବ। ଆସନ୍ତା ମେ ୯ ତାରିଖରୁ ମେଡିକାଲର ବହିର୍ବିଭାଗ (ଓପିଡି) ଲାଗି ଅନ୍‌ଲାଇନ୍‌ ସ୍ଲଟ୍‌ ବୁକିଂ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ସୂଚନାଯୋଗ୍ୟ, ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଦିନ ଶହ ଶହ ରୋଗୀ ଏହି ମେଡିକାଲକୁ ଆସିଥାନ୍ତି। ତେବେ କୌଣସି ବିଭାଗରେ ଚିକିତ୍ସା ପୂର୍ବରୁ ଓପିଡିରେ ଟିକେଟ କରିବା ପାଇଁ ରୋଗୀ କିମ୍ବା ରୋଗୀ ସମ୍ପର୍କୀୟଙ୍କୁ ଲମ୍ବାଧାଡ଼ିରେ ଛିଡ଼ା ହେବାକୁ ପଡ଼ିଥାଏ। ବେଳେ ବେଳେ ଘଣ୍ଟାଘଣ୍ଟା ଧରି ମଧ୍ୟ ଟିକେଟ୍‌ ମିଳି ନ ଥାଏ। ଫଳରେ ରୋଗୀଙ୍କୁ ନିରାଶ ହେବାକୁ ପଡ଼େ। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍‌ଲାଇନ୍‌ରେ ଟିକେଟ ସ୍ଲଟ୍‌ ବୁକିଂ ଲାଗି ପଦକ୍ଷେପ ନିଆଯାଇଛି। ଆସନ୍ତା ମେ ୯ରୁ ଟିକେଟ ସ୍ଲଟ୍‌ ବୁକିଂର ଶୁଭାରମ୍ଭ ହେବ। ୧୦ ତାରିଖରୁ ରୋଗୀମାନେ ଏହି ଟିକେଟର ପ୍ରିଣ୍ଟ କପି ଡାକ୍ତରଙ୍କୁ ଦେଖାଇ ସେବା ପାଇପାରିବେ। eswasthya.odisha.gov.in ପୋର୍ଟାଲକୁ ଯାଇ ଅନଲାଇନ୍‌ ମାଧ୍ୟମରେ ଓପିଡି ଟିକେଟ୍‌ କରାଯାଇପାରିବ। ବିନା ଧାଡ଼ିରେ ଜନସାଧାରଣ ଘରେ ବସି ଯେକୌଣସି ବିଭାଗର ଡାକ୍ତରଙ୍କୁ ଦେଖାଇବା ପାଇଁ ଅନ୍‌ଲାଇନ୍‌ ମାଧ୍ୟମରେ ନାମ ପଞ୍ଜୀକରଣ କରିପାରିବେ ବୋଲି ଏସ୍‌ସିବି ଆଡ୍‌ମିନିଷ୍ଟ୍ରେସନ୍‌ ରେଜିଷ୍ଟ୍ରାର ଡ. ଅବିନାଶ ରାଉତ କହିଛନ୍ତି।