ଅନ୍‌ଲାଇନ ଶିକ୍ଷାର ସମୀକ୍ଷା ଲୋଡ଼ା

ରାଜୀବ କୁମାର ନାୟକ

କରୋନା ସଂକ୍ରମଣକୁ ରୋକିବା ସକାଶେ ଭାରତରେ ମାଚ୍ଚର୍ର୍ ଶେଷ ସପ୍ତାହରୁ ଲକ୍‌ଡାଉନ୍‌ ଘୋଷଣା ହେବା ଫଳରେ ଏହାର ପ୍ରଭାବ ବିଦ୍ୟାଳୟର ପାଠପଢା ଉପରେ ପଡ଼ିଛି। ଓଡ଼ିଶାର ପ୍ରାଥମିକ ଶିକ୍ଷାରେ ଏଇ କିଛିବର୍ଷ ହେଲା ଶିକ୍ଷାବର୍ଷ ପ୍ରାୟତଃ ଫେବୃୟାରୀ-ମାର୍ଚ୍ଚରେ ଶେଷ ହୋଇ ଏପ୍ରିଲଠାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଛି। ଏହାଦ୍ୱାରା ପିଲାମାନଙ୍କର ଖାତାବହି ସମ୍ବନ୍ଧୀୟ ଅଭାବ ଅସୁବିଧା ଗ୍ରୀଷ୍ମାବକାଶ ପୂର୍ବରୁ ପ୍ରାୟତଃ ସମାଧାନ ହୋଇ ପାଠପଢା କିଛିମାତ୍ରାରେ ଆରମ୍ଭ ହୋଇପାରୁଛି ଏବଂ ସେମାନେ ଛୁଟିର ସଦ୍‌ବ୍ୟବହାର କରିବା ସକାଶେ ଯତ୍ନଶୀଳ ହେଉଛନ୍ତି। ଚଳିତବର୍ଷ କରୋନା ସଂକ୍ରମଣର ଭୟାବହତାକୁ ଆଖି ଆଗରେ ରଖି ସରକାର ବିଦ୍ୟାଳୟ ସବୁ ବନ୍ଦ କରି ଦେଇଛନ୍ତି ଏବଂ ଅନ୍‌ଲାଇନ ପାଠପଢା ଭଳି ଏକ ଅଭିନବ ପ୍ରୟାସର ଶୁଭାରମ୍ଭ କରିଛନ୍ତି। ଓଡିଶା ଶିକ୍ଷା ସଂଯୋଗ ନାମରେ କାର୍ଯ୍ୟକାରୀ ଏହି ପ୍ରୟାସରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ନିଜନିଜ ଆଣ୍ଡ୍ରଏଡ ସେଟରେ ବ୍ଲକ୍‌ସ୍ତରରେ ପରିଚାଳିତ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ମାଧ୍ୟମରେ ଏବଂ ନବମ ଓ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ମଧୁ ଆପ୍‌ ଡାଉନଲୋଡ୍‌ କରି ଅନ୍‌ଲାଇନରେ ଯାହା ଯାହା ପଢାଯିବ ଘରେ ବସି ଦେଖିପାରିବେ ଏବଂ ମେସେଜ ପଠାଇ ସନ୍ଦେହ ଦୂର କରିପାରିବେ। ଯେଉଁ ସ୍ଥାନରେ ମୋବାଇଲ ତଥା ଇଣ୍ଟରନେଟର ସୁବିଧା ନାହଁି ଜଣେ କରି ଶିକ୍ଷକ ଗୋଟିଏ ଗୋଟିଏ ଗାଁକୁ ଯାଇ ସାମାଜିକ ଦୂରତା ବଜାୟ ପୂର୍ବକ ପିଲାଙ୍କୁ ସହାୟତା ପ୍ରଦାନ କରିବେ। କେନ୍ଦ୍ର ସରକାରଙ୍କ ତରଫରୁ ଇଂଲିଶ ମାଧ୍ୟମ ବିଦ୍ୟାଳୟ ସକାଶେ ଅନୁରୂପ ଭାବରେ ଦୀକ୍ଷାଆପ୍‌ର ଶୁଭାରମ୍ଭ କରାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଟିଭି ମାଧ୍ୟମରେ ବି ନାନା ବିଷୟରେ ଶିକ୍ଷାଦାନର ସିଧା ପ୍ରସାରଣ କରାଯାଉଛି। କିନ୍ତୁ ଏହାର କାର୍ଯ୍ୟକାରିତାକୁ ନେଇ ଥିବା ଅସୁବିଧା ବିଷୟରେ ସମୀକ୍ଷା କରାଯିବା ଆବଶ୍ୟକ।
ପ୍ରଥମତଃ ଆମେ ଜାଣିଛୁ ସରକାରଙ୍କ ଯେତେ ବିଦ୍ୟାଳୟ ସେତେ ନୀତି। ତେଣୁ ଏହି ପଦକ୍ଷେପରେ ସରକାର ତାଙ୍କ ଅଧୀନରେ ଥିବା ଯେଉଁ ସମସ୍ତ ଆଶ୍ରମ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ଏବଂ ଅବଶିଷ୍ଟ ସରକାରୀ ବିଦ୍ୟାଳୟକୁ ଏଥିରେ ସାମିଲ କରିଛନ୍ତି ସବୁଠି ସମାନ ସୁବିଧା ନାହିଁ। କେଉଁଠି ଗୋଟିଏ ଶିକ୍ଷକରେ ବିଦ୍ୟାଳୟ ଚାଲୁଥିବା ବେଳେ କେଉଁଠି ଆବଶ୍ୟକ ସଂଖ୍ୟାରେ ଶିକ୍ଷକ ନାହାନ୍ତି। ତେଣୁ ଗାଁ ଗାଁ ଯାଇ ପିଲାଙ୍କୁ ଅନ୍‌ଲାଇନ ପାଠ୍ୟକ୍ରମ ସମ୍ବନ୍ଧରେ ସହାୟତା ପ୍ରଦାନ କରିବା ସହଜ ନୁହେଁ। କାରଣ ଗୋଟିଏ ବିଦ୍ୟାଳୟକୁ ଅନେକ ଗାଁରୁ ପିଲା ପଢିବାକୁ ଆସୁଥିବାବେଳେ ଗୋଟିଏ ଗାଁରେ ଅନେକ ଶ୍ରେଣୀର ପିଲା ପଢୁଛନ୍ତି। ଆହୁରି ମଧ୍ୟ ଏବେ ସମସ୍ତ ବିଦ୍ୟାଳୟ ବନ୍ଦ ଥିବାରୁ ଗାଁରେ ଯଦି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ପଢିବାର ବ୍ୟବସ୍ଥା ଅଛି, ସେ ଗାଁରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଅନ୍ୟ ସ୍କୁଲକୁ ଯାଉଥିବେ। ପୁଣି ବିଷୟଭିତ୍ତିକ ଶିକ୍ଷକ ନ ହେଲେ ସହାୟତା ପ୍ରଦାନ କରିବାରେ ଅସୁବିଧା ପରିଲକ୍ଷିତ ହେବ। ଉଚ୍ଚପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟ ପରିସର ଅଧିକ ଏବଂ ଆଶ୍ରମ ବିଦ୍ୟାଳୟ କ୍ଷେତ୍ରରେ ଦେଖିଲେ ଏହାର ପରିସର ଆହୁରି ଅଧିକ। ତେଣୁ ଯେଉଁ ଶିକ୍ଷକମାନଙ୍କର ଆଗରୁ ପିଲାଙ୍କ ସହିତ ପରିଚୟ ନ ଥିବ ସେ ତା’ ପାଖକୁ ଗଲେ ବିଦ୍ୟାର୍ଥୀ ତାଙ୍କୁ କେତେମାତ୍ରାରେ ଗ୍ରହଣ କରିବ? ଦ୍ୱିତୀୟତଃ ଅଧିକାଂଶଙ୍କ ପାଖରେ ମୋବାଇଲ ନାହିଁ, ଯାହା ପାଖରେ ଅଛି ଆଣ୍ଡ୍ରଏଡ ସେଟ ନାହିଁ, ଜାଗା ଭେଦରେ ଇଣ୍ଟର୍‌ନେଟ ଠିକ ଭାବରେ ଆସୁନାହିଁ। ଏପରି କି ଅନେକ ପାହାଡିଆ ତଥା ଆଦିବାସୀ ଅଧ୍ୟୁଷିତ ଇଲାକାରେ ଏହି ସେବା ଆଦୌ ଉପଲବ୍‌ଧ ହେଉ ନାହିଁ। ଯେଉଁଠି ସବୁ ସୁବିଧା ଅଛି ଅତିରିକ୍ତ ସେଟ ନ ଥିବା ଫଳରେ ବାପା ବା ମାଆ କାମ ନାଁରେ ବାହାରକୁ ଚାଲିଗଲେ ପିଲାଟି ଏହି ସୁବିଧାରୁ ବଞ୍ଚିତ ହେଉଛି।
ବାସ୍ତବରେ ଦେଖିଲେ ବିଦ୍ୟାର୍ଥୀମାନଙ୍କ ପାଖରେ ବ୍ୟକ୍ତିଗତ ଭାବରେ ପ୍ରାୟତଃ ମୋବାଇଲ ସେଟ ନ ଥାଏ। ତେଣୁ ତାଙ୍କୁ ମାତାପିତାଙ୍କ ଉପରେ ନିର୍ଭର କରିବାକୁ ପଡିଥାଏ। ମୋବାଇଲ ମିଳିଲେ ମଧ୍ୟ ତାହାର ସଦ୍‌ବ୍ୟବହାର ପିଲା କରିବେ କି ନା ସନ୍ଦେହ। ତୃତୀୟତଃ ସବୁ ଅଭିଭାବକଙ୍କ ଆର୍ଥିକ ଅବସ୍ଥା ସମାନ ନ ଥିବା କାରଣରୁ ମୋବାଇଲ ଫୋନ ଖଣ୍ଡେ ମଧ୍ୟ ନ ଥିବା କିଛି ଅସମ୍ଭବ ନୁହେଁ। ଯେଉଁଠି ତଥ୍ୟ କହୁଛି ମଧ୍ୟାହ୍ନଭୋଜନ ଫଳରେ ବିଦ୍ୟାଳୟରେ ଉପସ୍ଥାନ ବଢିଛି ସେଠି ଜୀବନ ଜୀବିକା ପାଇଁ ଅହରହ ସଂଗ୍ରାମରତ ମଣିଷ ଆଣ୍ଡ୍ରଏଡ ସେଟ ଥିବା ମୋବାଇଲ ଏବଂ ତହିଁରେ ପୁଣି ଇଣ୍ଟର୍‌ନେଟ ସୁବିଧା ବାସ୍ତବିକ ଆକାଶ କୟାଁ ଚିଲିକା ମାଛ ସଦୃଶ। ପ୍ରାପ୍ତ ସୂଚନା ଅନୁଯାୟୀ, ଖୋର୍ଦ୍ଧା ଭଳି ସହରି ଛାପ ଥିବା ଜିଲାରେ ୪୦ ପ୍ରତିଶତ ବିଦ୍ୟାର୍ଥୀ ଯଦି ଏହି ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥାରେ ସାମିଲ ହେବାରେ ସଫଳ ହୋଇଛନ୍ତି ତେବେ କନ୍ଧମାଳ, ମାଲକାନଗିରି ଭଳି ଜିଲାର କେତେ ପିଲା ଏଥିରେ ସାମିଲ ହୋଇଥିବେ ତାହା ଚିନ୍ତାଜନକ ବିଷୟ। ଏହାବାଦ୍‌ ଯେଉଁମାନେ ଏବେ ଏହି ସୁବିଧାରୁ ବଞ୍ଚିତ ହେବେ ସେମାନେ ନିଶ୍ଚୟ ପାଠପଢାରେ ପଛରେ ପଡିବେ, ଯାହା କି ବିଦ୍ୟାଳୟ ଖୋଲିଲା ପରେ ଜଣାପଡ଼ିବ। ବିଦ୍ୟାଳୟ ଖୋଲିଲା ପରେ ଯଦି ସରକାର ଏହି ପିଲାଙ୍କ ସକାଶେ ଅତିରିକ୍ତ କ୍ଲାସ୍‌ କରିବେ ତା’ହେଲେ ଏବେ ଛୁଟିରେ ଏହା କାର୍ଯ୍ୟକାରୀ କରିବାରେ କି ଲାଭ ରହିଲା ବରଂ ପିଲାମାନେ ପାଠ ବହି ବାଦ୍‌ ନିଜସ୍ବ ଉଦ୍ୟମରେ କିଛି ଆନୁଷଙ୍ଗିକ ପୁସ୍ତକ, ଗପବହି ଇତ୍ୟାଦି ପଢିବାର ସୁଯୋଗ ପାଇ ପାରିଥାନ୍ତେ। ଆହୁରି ମଧ୍ୟ ସରକାର ଯେତେ ବାରଣ କଲେ ମଧ୍ୟ ଗାଁଠାରୁ ସହର ପର୍ଯ୍ୟନ୍ତ ଅଳ୍ପେ ବହୁତେ ଟିଉସନ ଆରମ୍ଭ ହୋଇ ସାରିଲାଣି। ତେଣୁ ଯେଉଁମାନେ ଅଭାବ ଅସୁବିଧାରେ କାଳାତିପାତ କରୁଛନ୍ତି ସେମାନେ ହିଁ ଅସଲରେ ଏହି ସମସ୍ତ ସୁବିଧାରୁ ବଞ୍ଚିତ। ଆଉ ବିଦ୍ୟାଳୟର ଦୈନନ୍ଦିନ ପାଠପଢାରେ ଯେଉଁଠି ବ୍ଲକ୍‌ ଶିକ୍ଷାଧିକାରୀ, ଜିଲା ଶିକ୍ଷାଧିକାରୀ ଭଳି ତଦାରଖ ବ୍ୟବସ୍ଥା ଥିବା ସତ୍ତ୍ୱେ ଦୀର୍ଘବର୍ଷ ହେଲା ଅଭିଭାବକ ସରକାରୀ ବିଦ୍ୟାଳୟରୁ ମୁହଁ ଫେରାଇନେଇ ବେସରକାରୀ ବିଦ୍ୟାଳୟରେ ପିଲାଙ୍କୁ ଭର୍ତ୍ତି କରିବାରେ ଲାଗିଛନ୍ତି, ସେଠି ବିନା ତଦାରଖରେ ଏହି ଯୋଜନା କେତେ ଫଳପ୍ରଦ ହେବ ତାହା ସନ୍ଦେହର ବିଷୟ। ଆନନ୍ଦମୟ ଶିକ୍ଷା ସକାଶେ ଦୀର୍ଘଦିନ ଏତେ ପରୀକ୍ଷା ନିରୀକ୍ଷା ଚାଲିଥିବା ବେଳେ ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥା ବିଦ୍ୟାର୍ଥୀଙ୍କ ମଧ୍ୟରେ ପାଚେରି ହୋଇ ଛିଡା ନ ହେଉ, ବୋଝ ହୋଇ ନ ରହୁ। ଆଉ ନାହିଁ ମାମୁଠାରୁ ମାମୁଟିଏ ଯେମିତି ହେଉ ପଛେ ଥିବା ଭଲ ଭଳି ସରକାର ଆରମ୍ଭ କରିଥିବା ଏହି ପଦକ୍ଷେପ ଯଦିଓ ଏକ ପ୍ରଶଂସନୀୟ ପଦକ୍ଷେପ ଭଳି ମନେହେଉଛି ଅସଲରେ ଯଦି ଏହା ବୈଷମ୍ୟ ସୃଷ୍ଟିକଲା ତା’ହେଲେ ସର୍ବଶିକ୍ଷା, ସମଗ୍ର ଶିକ୍ଷା ଭଳି ସରକାରଙ୍କ ସ୍ଲୋଗାନ ସ୍ଲୋଗାନରେ ରହିଯିବ। ତେଣୁ ସରକାର ଓଡିଶାର ଜନଜୀବନ, ଭୌଗୋଳିକ ଅବସ୍ଥିତି ଇତ୍ୟାଦିକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଅନ୍ୟଥା ଗୋଦରା କୋଡ଼େ ଯେତେ ମାଡ଼େ ସେତେ ହେବା ଯାହା ସାର ହେବ। ତେଣୁ ସରକାର କାଳବିଳମ୍ବ ନ କରି ଏହି ଯୋଜନାକୁ ସମୀକ୍ଷା କରିବା ଆବଶ୍ୟକ।
ପଦରପଡ଼ା, ବୌଦ୍ଧ, ମୋ-୯୪୩୭୫୭୧୮୧୩


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri