ଅନଲାଇନ୍‌ କ୍ଲାସର ବାସ୍ତବଚିତ୍ର: ପାହାଡ ଉପରେ ଚାଲିଛି ଛାତ୍ରୀଛାତ୍ରଙ୍କ ପାଠପଢା

ହରଭଙ୍ଗା, ୧୬ା୯( ଡି.ଏନ.ଏ.)-ମହାମାରୀ କରୋନା କଟକଣା ପାଇଁ ସ୍କୁଲ କଲେଜ ବନ୍ଦ ରହିଛି। ସରକାର ଅନ୍‌ଲାଇନ୍‌ କ୍ଲାସ ଜରିଆରେ ପିଲାଙ୍କୁ ଶିକ୍ଷାଦାନ କରାଉଛନ୍ତି। ହେଲେ ଅନ୍‌ ଲାଇନ୍‌ କ୍ଲାସ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟ ପୂରଣ କରିପାରୁ ନ ଥିବା ଅଭିଯୋଗ ହୋଉଛି। ଏହାର ଏକ ଚିତ୍ର ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଧଲପୁର ପଞ୍ଚାୟତ ଅନ୍ତର୍ଗତ ପଲସାକୁଟୁଣି ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମଟି ପାହାଡିଆ ଅଞ୍ଚଳ ହୋଇଥିବାରୁ ପ୍ରାୟ ସମୟ ନେଟ୍‌ ସମସ୍ୟା ଦେଖାଦେଇଥାଏ। ଏଥିଯୋଗୁ ଗ୍ରାମର ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ସରକାରୀ ସ୍କୁଲରେ ପଢୁଥିବା ପିଲାମାନେ ଗାଁ ନିକଟ ମୁଣ୍ଡିଆ(ଛୋଟ ପାହାଡ)ରେ ଅନଲାଇନ କ୍ଲାସ୍‌ କରୁଥିବା ଦେଖିବାକୁ ମିଳୁଛି। ଅଧିକାଂଶ ଛାତ୍ରୀଛାତ୍ରଙ୍କ ପାଖରେ ଆଣ୍ଡ୍ରଏଡ୍‌ ଫୋନ ନ ଥିବାରୁ କ୍ଲାସ କରିବାରୁ ସେମାନେ ବି ବଞ୍ଚିତ ହେଉଛନ୍ତି। ଗାଁର ସାନୁଜ ପ୍ରଧାନ, ସଞ୍ଜୟ ପଲିଆ, ଅଭି ଦନ୍ତା ପ୍ରମୁଖ ଅଭିଭାବକମାନେ କହିଛନ୍ତି ଯେ, ନେଟ ନ ଥିବାରୁ ନାନା ପ୍ରତିକୂଳତା ସତ୍ତ୍ୱେ ସେମାନେ ପିଲାଙ୍କୁ ଗାଁର ଅନତି ଦୂରରେ ଥିବା ମୁଣ୍ଡିଆକୁ ଅନଲାଇନ କ୍ଲାସ କରିବାକୁ ପଠାଉଛନ୍ତି। ଏ ନେଇ ଜିଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁରୁ କହିଛନ୍ତି, ଜିଲାର ଉପାନ୍ତ ଅଞ୍ଚଳରେ ପିଲାମାନେ ଅନଲାଇନ କ୍ଲାସ ପାଇଁ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ବିଭାଗ ଅବଗତ ଅଛି। ଏ ନେଇ ଜିଲାପାଳଙ୍କୁ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି।