ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ସମ୍ଭାଳିବେ ଜଣେ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ରାଜ୍ୟ କୃଷି ଉତ୍ପାଦନ କମିଶନର (ଏପିସି) ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିବେ। ଏ ନେଇ ସୋମବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସେପ୍ଟେମ୍ବର ୧୪ରେ ମାସେ ଛୁଟିରେ ଯିବା ପରେ ଆର୍‌.କେ. ଶର୍ମାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ପ୍ରଦୀପ୍ତ କାର୍ଯ୍ୟରେ ଯୋଗ ଦେବା ପରେ ଅକ୍ଟୋବର ୧୬ ତାରିଖରେ ତାଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି)ର ଅଧ୍ୟକ୍ଷ ଭାବେ ବଦଳି କରାଯାଇଛି। ଆର.କେ. ଶର୍ମା ନିଜ ଦାୟିତ୍ୱ ସହ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।