ଜଣେ କରିଦେବ କଳୁଷିତ

ଦିଲ୍ଲୀର ନିର୍ଭୟା ଗଣବଳାତ୍କାରର ୯ ବର୍ଷ ପରେ ନିକଟରେ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇର ସାକିନାକା ଅଞ୍ଚଳରେ ଜଣେ ୩୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରାଯିବା ପରେ ତାଙ୍କ ଗୁପ୍ତାଙ୍ଗରେ ଲୁହାରଡ୍‌ ପୂରାଇ ଦିଆଯାଇଥିଲା। ୧୧ ସେପ୍ଟେମ୍ବରରେ ତାଙ୍କର ମୃତ୍ୟୁ ଘଟିଯାଇଛି। ଦିଲ୍ଲୀ ନିର୍ଭୟା ଘଟଣା ଶୈଳୀରେ ମୁମ୍ବାଇ ମହିଳାଙ୍କୁ ଯେଭଳି ବୀଭତ୍ସ ଭାବେ ବଳାତ୍କାର ପରେ ହତ୍ୟା କରାଗଲା ତାହା ସମଗ୍ର ଦେଶର ଜନମାନସକୁ ପୁଣି ଦୋହଲାଇ ଦେଇଛି। ୨୦୧୨ ନିର୍ଭୟା ଘଟଣା ପରେ ଯେଉଁ ଧରଣର ପ୍ରତିବାଦ କରାଯାଇ ଆଇନକୁ କଡ଼ାକଡ଼ି କରାଯାଇଥିଲା, ଆଶା କରାଯାଉଥିଲା ଯେ ଏପରି ଅମାନୁଷିକ କାଣ୍ଡ କରିବା ଲାଗି ଅପରାଧୀଙ୍କ ମନରେ ଭୟ ପଶିବ। ଇତିମଧ୍ୟରେ ନିର୍ଭୟା ବଳାତ୍କାରୀଙ୍କୁ ଫାଶୀ ଦିଆଯାଇସାରିଛି। ତଥାପି ଶିଶୁକନ୍ୟାଠାରୁ ଆରମ୍ଭ କରି ଯୁବତୀ ଓ ମହିଳାଙ୍କ ପ୍ରତି ପାଶବିକତା କମୁନାହିଁ। ୨୦୧୯ରେ ହାଇଦ୍ରାବାଦରେ ପ୍ରାଣୀ ଚିକିତ୍ସିକାଙ୍କୁ ଗଣବଳାତ୍କାର କରି ହତ୍ୟା କରାଯିବା ପରେ ଦୋଷୀ ଆଖ୍ୟା ଦିଆଯାଇ ୪ ଜଣଙ୍କୁ ସେଠାକାର ପୋଲିସ ଏନ୍‌କାଉଣ୍ଟର କରି ମାରି ଦେଇଥିଲା। ଥୋକେ କହିବା ଆରମ୍ଭ କଲେ ଯେ ବଳାତ୍କାରୀଙ୍କୁ ଏଭଳି ଭାବେ ତତ୍‌କ୍ଷଣାତ୍‌ ଶାସ୍ତି ଦିଆଯିବା ଦରକାର। ଯଦିଓ ତାହା ଆଇନଗତ ଦୃଷ୍ଟିରୁ ବିବାଦୀୟ ହୋଇଥିଲା, ତଥାପି ଅସାମାଜିକମାନେ ଡରିଲେ ନାହିଁ। ଏହା ମଧ୍ୟ ବୁଝାଯାଇପାରେ, ଯେଉଁ ୪ ଜଣଙ୍କୁ ପୋଲିସ ଗୁଳି କରିଥିଲା, ହୁଏତ ସେମାନେ ପ୍ରକୃତ ବଳାତ୍କାରୀ ନ ଥିଲେ। ଏହି ସତ୍ୟ ସମ୍ଭବତଃ ଦେଶର ଅପରାଧୀ ମହଲରେ ପ୍ରଚାରିତ ହୋଇଥିବ।
କୁହାଯାଇପାରେ, ଯେତେ କଡ଼ା ଆଇନ କରାଗଲେ ମଧ୍ୟ ଜନସାଧାରଣଙ୍କ ମାନସିକତାରେ ପରିବର୍ତ୍ତନ ନ ଆସିବା ପର୍ଯ୍ୟନ୍ତ ସ୍ଥିତିରେ ସୁଧାର ଆସିବ ନାହିଁ। ଯଦି ଜଣେ ତା’ର ପଡ଼ୋଶୀଙ୍କୁ ସମ୍ମାନ ଦେବା ପାଇଁ ଅନିଚ୍ଛୁକ, ତେବେ ସାମାଜିକ ଏକତା ଆସିବା ଅସମ୍ଭବ। ଭାରତରେ ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ସବୁ କଥାରେ ମହିଳାଙ୍କ ଉପରେ ଦୋଷ ଲଦି ଦିଅନ୍ତି। ଅନେକ ଧର୍ମଗୁରୁ ମହିଳାଙ୍କ ବେଶପୋଷାକ ଉପରେ ଆକ୍ଷେପ କରିବା ସହ କହନ୍ତି ଯେ, ଦୁଇ ହାତରେ ତାଳି ବାଜେ। ଅର୍ଥାତ୍‌ ବଳାତ୍କାରର ଶିକାର ହୋଇଥିବା ମହିଳାଙ୍କର ମଧ୍ୟ ଘଟିଥିବା ଘଟଣାରେ କିଛି ସହଯୋଗ ଥିଲା। ଏଭଳି ଅସାମାଜିକ ଚିନ୍ତାଧାରାକୁ ଆମ ନ୍ୟାୟାଳୟ ମଧ୍ୟ ସହଯୋଗ କରୁଥିବାର ଦେଖାଯାଏ। ଉଦାହରଣ ସ୍ବରୂପ, ଗୁଆହାଟୀ ହାଇକୋର୍ଟଙ୍କ ରାୟକୁ ଦେଖାଯାଇପାରେ। ବଳାତ୍କାର ଘଟାଇଥିବା ଜଣେ ଆଇଆଇଟି ଛାତ୍ରଙ୍କୁ ମେଧାବୀ କହି ଦୋଷମୁକ୍ତ କରିଦେବା ବିପଜ୍ଜନକ ସ୍ଥିତି ସୃଷ୍ଟି କରୁଛି। ବଳାତ୍କାର ଘଟାଇଥିବା କୌଣସି ଅପରାଧୀ କେବେହେଲେ, ପରବର୍ତ୍ତୀ ଜୀବନରେ, ସମାଜ ଗଠନ ପାଇଁ କାର୍ଯ୍ୟ କରିପାରିବ ନାହିଁ।
ଏଠାରେ ଦୋହରାଯାଇପାରେ ଯେ, ମହିଳାଙ୍କ ସୁରକ୍ଷା ସେହି ମହିଳାଙ୍କର ନୁହେଁ, ଆମ ସମସ୍ତଙ୍କ ଦାୟିତ୍ୱ । ଅନ୍ୟପଟେ ଯଦି ଗୋଟିଏ କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତି ଭିଡ଼ରେ ରହିଲେ ତାହା ହେଲେ ଅନ୍ୟ ସମସ୍ତଙ୍କୁ କ୍ଷତି ପହଞ୍ଚାଇପାରେ। ସେହିଭଳି ଏହି ଦେଶରେ ଗୋଟିଏ ବଳାତ୍କାରୀ ରହିଲେ ସମାଜକୁ କଳୁଷିତ କରିଦେଇପାରିବ।